୨୦୧୯ ଲୋକସଭା ନିର୍ବାଚନ: ଶତପ୍ରତିଶତ ଜିତିଥିଲେ ବିଜେପିର ମହିଳା ପ୍ରାର୍ଥୀ – Utkal Mail
ଭୁବନେଶ୍ବର/ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରିଛନ୍ତି। ନୂଆ ସଂସଦର ପ୍ରଥମ ଅଧିବେଶନରେ ବିଲ୍ ଉପସ୍ଥାପନ କରିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ହେବ। ତେବେ ଲୋକସଭାରେ ମହିଳା ସଂରକ୍ଷଣ ବିଲ ଉପସ୍ଥାପନ ହେବା ଅବସରରେ ଆମକୁ ଜାଣିବାର ଅଛି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ କେଉଁ ଦଳ କେତୋଟି ଲେଖାଏଁ ମହିଳା ପ୍ରାର୍ଥୀ ଦେଇଥିଲା। କେଉଁ ଦଳରୁ କେତେ ମହିଳା ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇଥିଲେ। ସେ ନେଇ ସମୀକ୍ଷା କରିବାର ଆବଶ୍ୟକତା ଅଛି।
୨୦୧୯ ମସିହାରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପିର ମହିଳା ପ୍ରାର୍ଥୀମାନେ ଶତପ୍ରତିଶତ ବିଜୟୀ ହୋଇଥିଲେ। ଭୁବନେଶ୍ବର ଓ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟରେ ଯଥାକ୍ରମେ ଅପରାଜିତା ଷଡ଼ଙ୍ଗୀ ଓ ସଙ୍ଗୀତା କୁମାରୀ ସିଂହଦେଓ ନିର୍ବାଚନ ଲଢ଼ିଥିଲେ। ଉଭୟ ଶ୍ରୀମତୀ ଷଡ଼ଙ୍ଗୀ ଓ ଶ୍ରୀମତୀ ସିଂହଦେଓ ନିର୍ବାଚନ ଜିତିଥିଲେ। ବିଜେଡି ୭ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା। ସେଥି ମଧ୍ୟରୁ ୫ ଜଣ ପ୍ରାର୍ଥୀ ବିଜୟ ଲାଭ କରିଥିଲେ।
ମହିଳା ସଂରକ୍ଷଣ ବିଲକୁ ନେଇ ଓଡ଼ିଶାରେ ରାଜନୀତି ତେଜିଛି। ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ ବିଜେଡିକୁ ସମାଲୋଚନା କରିଛନ୍ତି। ୨୩ବର୍ଷ ଶାସନ ଭିତରେ ବିଜେଡିର ଘୋଷଣା ପରେ ବି ବିଧାୟକ ଟିକେଟ, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦ ଏବଂ ରାଜ୍ୟସଭାରେ ୩୩ ପ୍ରତିଶତ ସଂରକ୍ଷଣ ହେଉଛି କି ବୋଲି ପ୍ରଶ୍ନ କରିଛନ୍ତି।
୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା କହି ମହିଳା ଭୋଟରଙ୍କୁ ଆକୃଷ୍ଟ ପାଇଁ ଉଦ୍ୟମ କରିଥିବା ବିଜେଡି ମାତ୍ର ୨୦ଜଣ ମହିଳା(୧୩.୬୦%)ଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲା। କଂଗ୍ରେସ ୧୨ ଜଣ ଓ ବିଜେପି ୧୦ଜଣ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା। ଗତ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ (୭ଜଣ) ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିବାର ବାହାବା ନେଉଥିବା ବିଜେଡି ଯଦି ବାସ୍ତବରେ ମହିଳାଙ୍କ ସଶକ୍ତୀକରଣର ଶ୍ରେୟ ନେବାକୁ ଚାହୁଁଛି ତା’ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରି ଏକ ଉଦାହରଣ ସୃଷ୍ଟି କରୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।