ଚିନି ଦାମ୍ ୬ ବର୍ଷରେ ସର୍ବାଧିକ: ଅଶୋଧିତ ତେଲ ୯୦ ଡଲାର ଟପିଲା – Utkal Mail
ନୂଆଦିଲ୍ଲୀ: ଚାଉଳ, ଗହମ, ଅଟା, ଡାଲି, ଟମାଟୋ, ପିଆଜ ପରେ ଏବେ ଚିନି ଦାମ୍ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥି ସହିତ ଆଜି ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ମଧ୍ୟ ୯୦ ଡଲାରରୁ ଅଧିକ ହୋଇଛି, ଯାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହେବାକୁ ଯାଉଛି। ଗତବର୍ଷ ନଭେମ୍ବର ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଦାମ୍କୁ ଏଭଳି ଉଚ୍ଚ ସ୍ତରରେ ଦେଖିବାକୁ ମିଳିଛି। ସେହିପରି ଦେଶ ଭିତରେ ଚିନି ଦାମ୍ ମଧ୍ୟ ବଢ଼ୁଛି। ଚିନି ମୂଲ୍ୟ ଛଅ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଚିନିର ଟନ୍ ପିଛା ଦାମ୍ ୩୭୭୬୦ ଟଙ୍କା ହୋଇଛି। ୨୦୧୭ ପରେ ପ୍ରଥମ ଥର ପାଇଁ ଚିନି ଦାମ୍ ଏଭଳି ସ୍ତରକୁ ବୃଦ୍ଧି ପାଇଛି।
ଆନ୍ତର୍ଜାତିକ ବଜାରରେ ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦାମ୍ ୧.୨୧ ଡଲାର ବୃଦ୍ଧି ପାଇ ୯୦.୨୧ ଡଲାର ହୋଇଛି। ସେହିପରି ୟୁଏସ୍ ଟେକ୍ସାସ୍ ଇଣ୍ଟରମେଡିଏଟ୍ କ୍ରୁଡ୍ ଦାମ୍ ୧.୫୯ ଡଲାର ବୃଦ୍ଧି ପାଇ ୮୭.୧୪ ଡଲାର ହୋଇଛି। ଅଶୋଧିତ ତେଲକୁ ବିଶୋଧନ କରି ସେଥିରୁ ପେଟ୍ରୋଲ୍ ଓ ଡିଜେଲ୍ ଉତ୍ପାଦନ କରାଯାଉଛି। ଏହି ତେଲ ଦାମ୍ ବଢ଼ୁଥିବାରୁ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିବା ଆଶଙ୍କା ରହିଛି। ଏମିତିରେ ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ୍ ଦାମ୍ ଏବେ ୧୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। ତେଲ ଉପରେ ରୁଷ୍ ଓ ସାଉଦି ଆରବର ଅର୍ଥନୀତି ଅତ୍ୟଧିକ ନିର୍ଭରଶୀଳ। ସେମାନେ ଜାଣିଛନ୍ତି ବଜାରରେ କମ୍ ତେଲ ରହିଲେ ଯଦି କିଣିବା ଚାହିଦା ବଢ଼ିବ ତେବେ ଗ୍ରାହକ ସେଥିପାଇଁ ଅଧିକ ଦାମ୍ ଗଣିବେ। ସେହି ଭାବନା ଅନୁସାରେ ଏହି ଦୁଇ ଦେଶ ତେଲ ଉତ୍ପାଦନ କମ୍ କରିଛନ୍ତି। ସାଉଦି ଏହି ଧାରାକୁ ଜାରି ରଖିବାର ସଙ୍କେତ ଦେଇଥିବା ବେଳେ ୨୦୨୪ ଶେଷ ପର୍ଯ୍ୟନ୍ତ ଉତ୍ପାଦନ କମ୍ ରଖିବା ଉପରେ ରୁଷ୍ ବିଚାର କରୁଛି।
ଅକ୍ଟୋବରରୁ ଆରମ୍ଭ ହେଉଥିବା ନୂଆ ଋତୁରେ ଚିନି ଉତ୍ପାଦନ ୩.୩ ପ୍ରତିଶତ ହ୍ରାସ ପାଇ ୩୧.୭ ନିୟୁତ ଟନ୍ ହେବ ବୋଲି ଆଶଙ୍କା କରାଯାଉଛି। କାରଣ ଦେଶର ଅଧାରୁ ଅଧିକ ଚିନି ଉତ୍ପାଦନ କରୁଥିବା ଦୁଇ ରାଜ୍ୟ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କମ୍ ବର୍ଷା ଯୋଗୁଁ ଆଖୁ ଚାଷ ପ୍ରଭାବିତ ହୋଇଛି। ଆସନ୍ତା ଅକ୍ଟୋବରଠାରୁ ଚିନି ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ ସରକାର ବିଚାର କରୁଛନ୍ତି। ସାତବର୍ଷ ପରେ ପ୍ରଥମ ଥର ପାଇଁ ଏଭଳି କଟକଣା ଲାଗୁ କରାଯିବ। ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଯଥାସମ୍ଭବ ଉଦ୍ୟମ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ସାମଗ୍ରୀ ଦାମ୍ରେ ବୃଦ୍ଧି ସେମାନଙ୍କ ରଣନୀତିକୁ ବିଗାଡ଼ି ଦେଉଛି।



