ଦେଶ ବିଦେଶ

‘ମୁଁ ଓ ଆମେର ଲଢ଼େଇରେ ବଳି ପଡ଼ୁଛି ପରିବେଶ’

ଭୁବନେଶ୍ବର: ବିକାଶ ନାଁରେ ଶକ୍ତିକୁ ବ୍ୟବହାର କରାଯାଉଛି। ଆମେ କୋଇଲା ଜାଳୁଛେ, ପାହାଡ଼ ଭାଙ୍ଗୁଛେ ଓ ଜଳକୁ ପ୍ରଦୂଷିତ କରୁଛେ। ହେଲେ ଏହାର ପ୍ରଭାବ ପରିବେଶ ଉପରେ କ’ଣ ପଡ଼ୁଛି, ସେ ସମ୍ପର୍କରେ ଆମେ ସଚେତନ ନୁହନ୍ତି। ଫଳରେ ଶକ୍ତିକୁ ଅପଚୟ କରି ପରିବେଶ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛନ୍ତି। ମୁଁ ଓ ଆମେର ଲଢ଼େଇରେ ବଳି ପଡ଼ୁଛି ପରିବେଶ।

ତେଣୁ ସନ୍ଥ କବିଭୀମ ଭୋଇଙ୍କ ଉକ୍ତି ‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’’କୁ ସ୍ମରଣ କରି ‘ମୁଁ’ ରୁ ବାହାରି ‘ଆମେ’ କଥା ଚିନ୍ତା କରିବାକୁ ପଡ଼ିବ। ପିରାମିଡ୍ କ୍ଲାସେସ୍ ଓ ସମ୍ବାଦ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।

ପିରାମିଡ୍ କ୍ଲାସେସ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ଭରଷା କରି ପରିବେଶକୁ ସୁରକ୍ଷା ଦିଆଯାଇ ପାରିବନାହିଁ। କଳୁଷିତ ବ୍ୟବସ୍ଥାରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ଅଭ୍ୟାସକୁ ବଦଳାଇବାକୁ ପଡ଼ିବ। ଯେମିତି ବଡ଼ମାନଙ୍କୁ ସମ୍ମାନ ଜଣାଇବା ପାଇଁ ପିଲାମାନଙ୍କୁ ଛୋଟ ବେଳୁ ଶିଖାଯାଏ, ଠିକ୍ ସେହିପରି ଛୋଟବେଳୁ ପିଲାଙ୍କୁ ପରିବେଶ ସୁରକ୍ଷା ଶିକ୍ଷା ବଡ଼ ମାନେ ଦିଅନ୍ତୁ। ପିରାମିଡ୍ କ୍ଲାସେସ୍ର ଅଧ୍ୟକ୍ଷ ଶୈଳଶ ମିଶ୍ର କହିଲେ, ସଚେତନ ନାଗରିକ ଭାବରେ ପରିବେଶ ସୁରକ୍ଷାର ଦାୟିତ୍ବ ପ୍ରଥମେ ନିଜେ ନିଅନ୍ତୁ ଏବଂ ପରେ ଅନ୍ୟମାନଙ୍କୁ ପ୍ରଭାବିତ କରନ୍ତୁ। ସମ୍ମାନିତ ଅତିଥି ସନ୍ତୋଷ ମିଶ୍ର କହିଲେ, ଭବିଷ୍ୟତ ପିଢ଼ିକୁ ଏକ ସୁନ୍ଦର ପୃଥିବୀ ଭେଟି ଦେବା ପାଇଁ ‘ସମ୍ବାଦ’ର ପ୍ରୟାସ ସ୍ବାଗତଯୋଗ୍ୟ। ଯୁବପିଢ଼ି ସଚେତନ ହେଲେ ପରିବେଶ ସମ୍ପର୍କିତ ଅନେକ ସମସ୍ୟାର ସମାଧାନ ହୋଇ ପାରିବ। ଅଧ୍ୟାପକ ଚିଦାନନ୍ଦ ସୁତାର କହିଲେ, ପରିବେଶ ପାଇଁ ବଡ଼ ଜନ ଜାଗରଣ ସୃଷ୍ଟି ହେବା ଉଚିତ।

‘ସମ୍ବାଦ’ ପ୍ରତିନିଧି ସୋମନାଥ ପରିଡ଼ା ‘ସମ୍ବାଦ’ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ। ପିଙ୍କୁନା ବେହେରା ସଭା ପରିଚାଳନା କରିଥିଲେ। ଆଲୋଚନାରେ ଅସ୍ମିତା ସାସମଲ, ବିକାଶ ରଂଜନ ନାୟକ, ମାନସୀ ମଲ୍ଲିକ, ଜ୍ୟୋତି ସ୍ବରୂପ ମଲ୍ଲ, ଦିବ୍ୟ ପ୍ରତ୍ୟୁଷ ଦତ୍ତ ଓ ସଂଗ୍ରାମ କେଶରୀ ପ୍ରଧାନ ପ୍ରମୁଖ ଅଂଶଗ୍ରହଣକରି ନିଜ ମତ ପ୍ରଦାନ କରିଥିଲେ। ସହଯୋଗୀ ଶିକ୍ଷକ ଶୁଭଲକ୍ଷ୍ମୀ ସାହୁ, ଜ୍ୟୋତି ରଞ୍ଜନ ପଣ୍ଡା, ସନ୍ଦୀପ ବର୍ମା, ସରୋଜ ମହାରଣା, ଚିଦାନନ୍ଦ ସୁତାର, ବିକାଶ ରଞ୍ଜନ ସାହୁ, ଅଭିଲିପ୍ସା ଜେନା, ମୋନାଲିସା ବାରିକ ଓ ଶ୍ରୀଧର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ବୃକ୍ଷରୋପଣ କରିଥିଲେ।

ପରିବେଶ ସମ୍ପର୍କିତ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା
ଏହି ଅବସରରେ ଅନୁଷ୍ଠିତ ‘ପରିବେଶ ଓ ତହିଁରେ ଯୁବପିଢି’ ବିଷୟବସ୍ତୁ ଉପରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ବିଶ୍ବାଳ ପ୍ରଥମ, ଭୋମ୍ୟ କାଲୋ ଦ୍ବିତୀୟ ଓ ରାକେଶ ନାୟକ ତୃତୀୟ ହୋଇଥିଲେ। ସେହିପରି ‘ପ୍ରଗତି ଓ ପରିବେଶ’ ବିଷୟ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତାରେ କିରଣ ପ୍ରିୟଦର୍ଶିନୀ ଜେନା ପ୍ରଥମ, ଜ୍ୟୋସ୍ନା ରାଣୀ ନାୟକ ଦ୍ବିତୀୟ ଓ ପ୍ରୀତି ଓରାମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶ୍ରୀ ପଟ୍ଟନାୟକ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏକ ସୁନ୍ଦର କବିତା ଜରିଆରେ ପରିବେଶ ବାର୍ତ୍ତା ଦେଇଥିଲେ ସୂର୍ଯ୍ୟକାନ୍ତ ବେହେରା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button