ଦେଶ ବିଦେଶ

୩୧ ଅକ୍ଟୋବର ନା ୧ ନଭେମ୍ବର, ଜାଣନ୍ତୁ କେବେ ପାଳନ ହେବ ଦୀପାବଳି

ନୂଆଦିଲ୍ଲୀ ୨।୧୦: ଦୀପାବଳି ଉତ୍ସବ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ, ଯାହାକୁ ସାରା ଦେଶରେ ଧୁମଧାମର ସହ ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଶ୍ରୀରାମ ଚନ୍ଦ୍ର ୧୪ ବର୍ଷ ବନବାସ ସାରି ରାବଣ ବଧ କରି ଅଯୋଧ୍ୟା ଫେରିଥିଲେ, ଯେଉଁ ଖୁସିର ଅଯୋଧ୍ୟାବାସୀ ପୁରା ନଗରକୁ ଦୀପ ଆଲୋକରେ ସଜାଇ ଖୁସି ହୋଇଥିଲେ।

ଏହା ସହିତ ଦୀପାବଳିରେ ଗଣେଶ, ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯିବାର ବିଧାନ ମଧ୍ୟ ରହିଛି।

ଚଳିତବର୍ଷ ଦୀପାବଳି ତିଥିକୁ ନେଇ ଭ୍ରମ ସୃଷ୍ଟି ହୋଇଛି। ପଞ୍ଚାଙ୍ଗ ଅନୁସାରେ ସବୁ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ପାଳନର ବିଧାନ ରହିଛି। ଚଳିତବର୍ଷ ୩୧ ଅକ୍ଟୋବର ମଧ୍ୟାହ୍ନ ୩ଟା ୫୨ ମିନିଟରେ ଅମାବାସ୍ୟା ତିଥି ଆରମ୍ଭ ହେବ ଓ ୧ ନଭେମ୍ବର ସନ୍ଧ୍ୟା ୫ଟା ୧୩ ମିନିଟରେ ଶେଷ ହେବ। ଏଣୁ ଅମାବାସ୍ୟା ତିଥି ଆଧାରରେ କିଛି ବିଦ୍ୱାନ ୩୧ ଅକ୍ଟୋବରକୁ ଦୀପାବଳି ପାଳନ କରିବାକୁ ପରାମର୍ଶ ଦେଉଥିବା ବେଳେ ଆଉ କିଛି ୧ ନଭେମ୍ବର ଦୀପାବଳି ପାଳନର କଥା କହୁଛନ୍ତି।

ତେବେ କାସୀ ବିଦ୍ୱାନ କର୍ମକାଣ୍ଡ ପରିଷଦର ପଣ୍ଡିତ ଓ ବିଦ୍ୱାନମାନେ ଦୀପାବଳି ପାଳନକୁ ନେଇ ସେମାନଙ୍କ ମତ ଦେଇଛନ୍ତି। ପରିଷଦର ସଭାପତି ଆଚାର୍ଯ୍ୟ ଅଶୋକ ଦ୍ୱିବେଦୀ କହିଛନ୍ତି ଯେ ପଶ୍ଚିମ ପଞ୍ଚାଙ୍ଗରେ ଦୀପାବଳି ତାରିଖକୁ ନେଇ ଭ୍ରମର ସ୍ଥିତି ଉପୁଜିଛି, ଏଥିରେ ୧ ନଭେମ୍ବରକୁ ଦୀପାବଳି ବୋଲି କୁହାଯାଇଛି। ତେବେ କାସୀ ପଞ୍ଚାଙ୍ଗ ଓ ପଣ୍ଡିତଙ୍କ ଦୀପାବଳି ତିଥିକୁ ନେଇ କୌଣସି ସଂଶୟ ଅଥବା ଭ୍ରମ ନାହିଁ ବୋଲି କହିଛନ୍ତି। ପରିଷଦ ମୁତାବକ କାର୍ତ୍ତିକ ମାସ ଅମାବାସ୍ୟା ୩୧ ଅକ୍ଟୋବର ଅପରାହ୍ନ ୩ଟା ୫୨ ମିନିଟରୁ ଆରମ୍ଭ ହୋଇଯିବ। ଏଣୁ ୩୧ ଅକ୍ଟୋବର ଅପରାହ୍ନରୁ ରାତ୍ର ବ୍ୟାପୀ ଅମାବାସ୍ୟା ରହିବ। ଏଣୁ ଦୀପାବଳି ୩୧ ଅକ୍ଟୋବର ସନ୍ଧ୍ୟାରୁ ପାଳନ କରିବା ଶୁଭ ହେବ ବୋଲି କହିଛନ୍ତି।

ଏଥିରେ ଲକ୍ଷ୍ମୀ ପୂଜା ପାଇଁ ପ୍ରଦୋଷ କାଳ ଯାହାକୁ ସନ୍ଧ୍ୟାକାଳ ମଧ୍ୟ କୁହାଯାଏ ସମୟକୁ ସବୁଠୁ ଉତ୍ତମ ମନେ କରାଯାଉଛି। ପ୍ରଦୋଷ କାଳ ସୂର୍ଯ୍ୟାସ୍ତ କାଳର ୩ ମୂହୁର୍ତ୍ତକୁ କୁହାଯାଏ। ପ୍ରଦୋଷ କାଳ ସୂର୍ଯ୍ୟାସ୍ତ ପରେ ପାଖାପାଖି ୨ଘଣ୍ଟା ୨୪ ମିନିଟ୍ ପର୍ଯ୍ୟନ୍ତ ରହିବ। କାର୍ତ୍ତିକ ମାସର ଅମାବାସ୍ୟା ଦିନ ଓ ପ୍ରଦୋଷ କାଳରେ ଦୀପାବଳିରେ ମହାଲକ୍ଷ୍ମୀ ପୂଜନର ବୈଦିକ ପରମ୍ପରା ରହିଛି। ୩୧ ଅକ୍ଟୋବରରେ ରାତ୍ରିବ୍ୟାପୀ ଅମାବାସ୍ୟା ତିଥି ହୋଇଥିବା କାରଣରୁ ଲକ୍ଷ୍ମୀ ପୂଜାନ ଓ ଦୀପୋତ୍ସବ ପାଳନ ପାଇଁ ଶୁଭ ମୁହୁର୍ତ୍ତ ବୋଲି କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button