ଦେଶ ବିଦେଶ

ମଣିପୁରରେ ଭୟର ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ମହିଳାଙ୍କ ପ୍ରତି ହିଂସା ହେଉଛି: ସୁପ୍ରିମକୋର୍ଟ – Utkal Mail


ନୂଆଦିଲ୍ଲୀ: ମଣିପୁରରେ ମହିଳାମାନେ ଅତି ବର୍ବର ହିଂସା ଏବଂ ଅତ୍ୟାଚାରର ଶିକାର ହେବା ଘଟଣାରେ ଉଦ୍‌ବେଗ ପ୍ରକାଶ କରି ସୁପ୍ରିମକୋର୍ଟ ଆଜି କହିଛନ୍ତି, ବିଶୃଙ୍ଖଳ ଜନତା ଅନ୍ୟ ସମ୍ପ୍ରଦାୟକୁ ଭୟର ବାର୍ତ୍ତା ପଠାଇବାପାଇଁ ଯୌନ ହିଂସାକୁ ବ୍ୟବହାର କରୁଛନ୍ତି। ରାଜ୍ୟ ଏହା ବନ୍ଦ କରିବା ଉଚିତ। ମେ’ ୪ ଘଟଣା ସମେତ ମହିଳାଙ୍କ ବିରୋଧରେ ଅନ୍ୟାନ୍ୟ ହିଂସା ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିବା ୩ ଜଣିଆ ଅବସରପ୍ରାପ୍ତ ବିଚାରପତିଙ୍କ କମିଟି ମଣିପୁରରେ ମହିଳାଙ୍କ ବିରୋଧରେ ହୋଇଥିବା ହିଂସାର ବିଭିନ୍ନ ଦିଗକୁ ଭଲଭାବେ ତଦନ୍ତ କରିବାପାଇଁ କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ମହିଳାଙ୍କୁ ହିଂସା ଏବଂ ଅପରାଧ ପାଇଁ ବ୍ୟବହାର କରିବା ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ।

ଏହା ମହିଳାଙ୍କ ସମ୍ମାନ ଓ ବ୍ୟକ୍ତିଗତ ସ୍ବାଧୀନତା ଉଲ୍ଲଂଘନ କରୁଛି। ଖଣ୍ଡପୀଠ କହିଛନ୍ତି, ବିଶୃଙ୍ଖଳ ଜନତା ବିଭିନ୍ନ କାରଣ ପାଇଁ ମହିଳାଙ୍କ ବିରୋଧରେ ହିଂସା ଘଟାଉଛନ୍ତି। ସେମାନେ ଯଦି ଏକ ବିଶାଳ ଗୋଷ୍ଠୀର ହୋଇଥିବେ ତେବେ ସେମାନେ ସେମାନଙ୍କ ଅପରାଧ ପାଇଁ ଦଣ୍ଡରୁ ବି ବର୍ତ୍ତି ଯାଇପାରନ୍ତି। କୋର୍ଟ କହିଛନ୍ତି, ସାମ୍ପ୍ରଦାୟିକ ହିଂସା ସମୟରେ ବିଶୃଙ୍ଖଳ ଜନତା ଅନ୍ୟ ସମ୍ପ୍ରଦାୟ (ପୀଡ଼ିତା ଯେଉଁ ସମ୍ପ୍ରଦାୟର)କୁ ଭୟର ବାର୍ତ୍ତା ପଠାଇବାପାଇଁ ‌ଯୌନ ହିଂସାକୁ ବ୍ୟବହାର କରୁଛନ୍ତି। ତେବେ ଏଭଳି ସମୟରେ ରାଜ୍ୟର ପ୍ରଥମ କର୍ତ୍ତ୍ୟବ ହେଉଛି ଲୋକଙ୍କୁ ଏଭଳି ହିଂସା କରିବାରୁ ଅଟକାଇବା ଏବଂ ହିଂସାର ଟାର୍ଗେଟ୍‌ରେ ଥିବା ଲୋକଙ୍କୁ ସୁରକ୍ଷା ଦେବା। କୋର୍ଟ କହିଛନ୍ତି, ତଦନ୍ତ ଶେଷ କରିବାପାଇଁ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅଭିଯୁକ୍ତ ପ୍ରମାଣ ନଷ୍ଟ କରିବାକୁ ‌ଚେଷ୍ଟା କରିପାରେ କିମ୍ବା ସାକ୍ଷୀଙ୍କୁ ବି ପ୍ରଭାବିତ କରିବାକୁ ଚେଷ୍ଟା କରିପାରେ। ତେଣୁ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ବିଳମ୍ବ ନକରିବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button