ଏବେ ଦୁଃସାହସିକ ପର୍ଯ୍ୟଟନର ମଜା ନେବେ ପର୍ଯ୍ୟଟକ, ସ୍ୱତନ୍ତ୍ର ନୀତି ଆଣିବେ ସରକାର

ଭୁବନେଶ୍ୱର,୦୪/୧୦: ଏବେ ଦୁଃସାହସିକ ପର୍ଯ୍ୟଟନ (ଆଡ୍ଭେଞ୍ଚର ଟୁରିଜିମ୍)ର ମଜା ନେବେ ପର୍ଯ୍ୟଟକ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ଆଣିବେ, ଯାହା ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଲାଗି ମୁଖ୍ୟ ଆକର୍ଷଣ ପାଲଟିବ । ଏ ନେଇ ସରକାର ଯୋଜନା କରୁଥିବା ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ଏକ ଉତ୍ସବରେ ବିସ୍ତୃତ ସୂଚନା ଦେଇଥିଲେ ।
ଗୁରୁବାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀବୃନ୍ଦ ଦୁଃସାହସିକ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍) ଏବଂ କୃଷିଭିତ୍ତିକ ପର୍ଯ୍ୟଟନ (ଆଗ୍ରୋ ଟୁରିଜିମ୍) ବିଷୟରେ ଜ୍ଞାନ ଆହରଣ କରିବାକୁ ମେଘାଳୟର ରାଜଧାନୀ ସିଲଂ ଯାତ୍ରା କରିଛନ୍ତି । ପ୍ରତିନିଧି ଦଳ ସିଲଂ ଠାରେ ଅନୁଷ୍ଠିତ ଦୁଃସାହସିକ ପର୍ଯ୍ୟଟନ ସମ୍ମେଳନ ବା କନ୍କ୍ଲେଭ୍ରେ ଯୋଗ ଦେବେ । ଓଡ଼ିଶାରେ ଥିବା ସମ୍ଭାବନାକୁ କିପରି ବାସ୍ତବତାରେ ପରିଣତ କରାଯାଇପାରିବ ସେଥିପାଇଁ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତିର ପରିକଳ୍ପନା ନେଇ ଫେରିବେ । ଶ୍ରୀମତୀ ପରିଡ଼ା ଦୁଃସାହସିକ ପର୍ଯ୍ୟଟନ ସମ୍ମେଳନରେ ମୁଖ୍ୟ ଅତିଥି ରହିଛନ୍ତି । ଗୌହାଟୀର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀମତୀ ପରିଡ଼ା କହିଛନ୍ତି, ଆମେ ବି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ଭଳି ପର୍ଯ୍ୟଟକଙ୍କ ଲାଗି ବହୁତ କିଛି ସୁବିଧା କରିପାରିବା ।
ଶ୍ରୀମତୀ ପରିଡ଼ା ଦାୟିତ୍ୱ ନେବା ପରେ ରାଜ୍ୟର ପର୍ଯ୍ୟଟନସ୍ଥଳୀରେ ଦୁଃସାହସିକ ପର୍ଯ୍ୟଟନକୁ କିପରି ଯୋଡ଼ାଯାଇପାରିବ ତା’ ଉପରେ ଅଧିକାରୀଙ୍କ ସହ ତର୍ଜମା କରିଥିଲେ । ରାଜ୍ୟରେ ବହୁତ ସୁନ୍ଦର ପାହାଡ଼, ଜଙ୍ଗଲ, ନଦୀ, ଝରଣା, ହ୍ରଦ ଏବଂ ୪୮୦ କିମି ବ୍ୟାପୀ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି । ତେଣୁ ଦୁଃସାହସିକ ପର୍ଯ୍ୟଟନକୁ ବିକଶିତ କରିବାକୁ ପଡ଼ିବ ବୋଲି ସେ କହିଥିଲେ । ଦୁଃସାହସିକ ପର୍ଯ୍ୟଟନ ପାଇଁ ସୁଯୋଗ ଥିବା ପାହାଡ଼ିଆ ଅଞ୍ଚଳରେ ଟ୍ରେକିଂ ରୁଟ୍, ରୋପ୍ୱେ ବ୍ୟବସ୍ଥା ଆଦି କରିବାକୁ ହେବ । ଏହାଛଡ଼ା ଅନ୍ୟାନ୍ୟ ସୁବିଧା ବି ରହିବ । ପ୍ରତିବର୍ଷ ପର୍ଯ୍ୟଟକଙ୍କ ପାଇଁ କିଛି ନୂଆ ସୁବିଧା, ସୁଯୋଗ ସୃଷ୍ଟି କରିବାକୁ ହେବ ।