୨୫ଶହ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ଆବେଦନ କଲେ ୩୪୦୦: ପ୍ରଥମ ଦିନରୁ ପଞ୍ଜୀକରଣ ପୋର୍ଟାଲ ବନ୍ଦ

ପୁରୀ,୦୭/୧୦: ଶ୍ରୀକ୍ଷେତ୍ରରେ ରାଈଦାମୋଦର ବ୍ରତ ପାଳନ ନିମନ୍ତେ ସରକାରଙ୍କ ପକ୍ଷରୁ ପଞ୍ଜୀକରଣ ନିମନ୍ତେ ଇଛୁକ ହବିଷ୍ୟାଳିମାନଙ୍କ ଆବେଦନ ଆହ୍ୱାନ କରାଯାଇଥିଲା । ରବିବାର ପ୍ରଥମ ଦିନରେ ପ୍ରାୟ ୩୪୦୦ ହବିଷ୍ୟାଳି ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଯାହା ପରେ ଅନ୍ଲାଇନ୍ ୱେବ୍ସାଇଟ୍କୁ ସରକାରଙ୍କ ପକ୍ଷରୁ ବନ୍ଦ କରି ଦିଆଯାଇଛି ।
ତେବେ କେଉଁ ଜିଲ୍ଲାରୁ କେବେ ଆବେଦନ ଆସିଛି ତାହା ଜଣାପଡ଼ିନି । ପ୍ରତିବର୍ଷ ପରି ଶ୍ରୀକ୍ଷେତ୍ରରେ କାର୍ତ୍ତିକ ମାସରେ ରାଈଦାମୋଦର ବ୍ରତ ପାଳନ ନିମନ୍ତେ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କୁ ସୁଯୋଗ ଦିଆଯାଇଥିଲା । ମାଗଣାରେ ରହଣି, ଜଗା ଦର୍ଶନ, ତୀର୍ଥ ସ୍ନାନ, ମହାପ୍ରସାଦ ସେବନ, ପୁରାଣ ଓ ପ୍ରବଚନ ଶୁଣିବା ପ୍ରଭୃତିର ସୁଯୋଗ ସରକାର ଦେଉଥିବା ଜାଣିବା ପରେ ପ୍ରଥମ ଦିନରେ ହିଁ ଲକ୍ଷ୍ୟ ଧାର୍ଯ୍ୟଠାରୁ ଆଧିକ ଆଶାୟୀ ହବିଷ୍ୟାଳି ଅନ୍ଲାଇନ୍ ଯୋଗେ ନାମ ପଞ୍ଜୀକରଣ କରିଛନ୍ତି । ତେଣୁ ୧୧ ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିବାକୁ ଯୋଜନା କରିଥିବା ଆଶାୟୀ ହବିଷ୍ୟାଳି ଏହି ସୁବିଧାରୁ ବାଦ୍ ପଡ଼ିବା ସୁନିଶ୍ଚିତ ହୋଇଛି ।
ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୨୫ଶହ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ରରେ ରହି ହବିଷ୍ୟ ପାଳନର ମାଗଣା ସୁବିଧା ଦେବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥିନିମନ୍ତେ ୨ କୋଟିରୁ ଅଧିକ ଟଙ୍କା ବ୍ୟୟ ବଜେଟ ହୋଇଛି । ତେବେ ଶାରୀରିକ ଓ ମାନସିକ ସୁସ୍ଥ ଥିବା ବିଧବା ଓ ନୂତନ ଆବେଦନକାରୀଙ୍କୁ ଚଳିତ ବର୍ଷ ସରକାର ପ୍ରାଥମିକତା ଭିତ୍ତିରେ ବ୍ରତ ପାଳନର ସୁଯୋଗ ଦେବାକୁ ଅଣ୍ଟା ଭିଡ଼ିଥିବାରୁ ଯାଞ୍ଚ ପ୍ରକ୍ରିୟାରେ ଅନେକ ବାଦ୍ ପଡ଼ିବା ସୁନିଶ୍ଚିତ ହୋଇଛି । ୧୮ ତାରିଖରୁ ବ୍ରତ ଆରମ୍ଭ ହେଉଥିବାରୁ ଆସନ୍ତା ୧୩ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।