ବ୍ୟବସାୟ

ଦେବାଳିଆ ହେବ ଚାଟ୍‌ଜିପିଟି: ଦିନକୁ ଖର୍ଚ୍ଚ ହେଉଛି ୫.୮୦ କୋଟି, ଆୟ ହେଉନଥିବାରୁ ଚିନ୍ତା – Utkal Mail


ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜଗତର ଚର୍ଚ୍ଚିତ ନାମ ଚାଟ୍‌ଜିପିଟି ପ୍ରତି ବଡ଼ ସଙ୍କଟ ସୃଷ୍ଟି ହୋଇଛି। ନିଜ ଅସମ୍ଭବ ଦକ୍ଷତା ବଳରେ ସାରା ଦୁନିଆକୁ ଚକିତ କରିଥିବା ଏହି ଜେନେରେଟିଭ୍ ଏଆଇ ଟୁଲ୍‌ର ଅସ୍ଥିତ୍ବ ପ୍ରତି ବିପଦ ଦେଖାଦେଇଛି। ଏହାକୁ ଜାରି ରଖିବା ପାଇଁ ଦୈନିକ ବିପୁଳ ଖର୍ଚ୍ଚ କରିବାକୁ ପଡ଼ୁଛି। ଯଦି ସେହିଧାରା ବଜାୟ ରହିବ ତେବେ ଏହାକୁ ସୃଷ୍ଟି କରିଥିବା ଆମେରିକାର ସଂସ୍ଥା ଓପନ୍‌ଏଆଇ ଦେବାଳିଆ ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଓପନ୍‌ଏଆଇ ଚାଟ୍‌ଜିପିଟିକୁ କାର୍ଯ୍ୟକ୍ଷମ କରିବା ପରେ ଖୁବ୍‌ କମ୍ ଦିଗ ଭିତରେ ତାହା ବେଶ ଚର୍ଚ୍ଚିତ ହୋଇପଡ଼ିଥିଲା। ପ୍ରଯୁକ୍ତି ଦୁନିଆର ସବୁଠୁ ଚର୍ଚ୍ଚିତ ଶବ୍ଦ ଭାବେ ତାହା ଉଭା ହୋଇଥିଲା। ଏହାକୁ ମାନବ ସମାଜ ପ୍ରତି ସବୁଠୁ ବଡ଼ ବିପଦ ଆଖ୍ୟା ଦିଆଯାଇଥିଲା। ଏଆଇ ଉପରେ ସବୁ ପ୍ରକାର ପରୀକ୍ଷାନିରୀକ୍ଷା ତୁରନ୍ତ ବନ୍ଦ କରିବାକୁ ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ସମେତ ପ୍ରାୟ ୧୦୦୦ ବିଶେଷଜ୍ଞ ଆହ୍ବାନ ଦେଇଥିଲେ। ଏଆଇ ପ୍ରଭାବରେ ବିଶ୍ବବ୍ୟାପୀ ନିଯୁକ୍ତି ସଙ୍କଟ ଦେଖାଦେବ, ଲୋକମାନେ ଚାକିରି ହରାଇବେ, ଅଧିକାଂଶ କାମ ମେସିନ କରିବ ଭଳି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଚାଟ୍‌ଜିପିଟି ଏତେ ‌ଲୋକପ୍ରିୟ ହୋଇପଡ଼ିଥିଲା ଯେ ଆମେରିକାଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ଓ ଚୀନ୍ ପର୍ଯ୍ୟନ୍ତ ସବୁ ଆଡ଼େ ସେଭଳି ପ୍ରଯୁକ୍ତି ବିକାଶ କରିବା ପାଇଁ ବଡ଼ ବଡ଼ କଂପାନିଗୁଡ଼ିକ ମଧ୍ୟରେ ଦୌଡ଼ ଆରମ୍ଭ ହୋଇଯାଇଥିଲା। ତେବେ ଏତେ କମ୍ ଦିନ ଭିତରେ ଏହାର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠିବ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ।

ପ୍ରଯୁକ୍ତି କ୍ଷେତ୍ରରେ ବିଶେଷ ଜ୍ଞାନ ନଥିବା ଲୋକମାନେ ଯେଭଳି ଏଆଇକୁ ବ୍ୟବହାର କରିପାରିବେ ସେଥିପାଇଁ ଆମେରିକୀୟ ସଂସ୍ଥା ଓପନ୍ଏଆଇ ପକ୍ଷରୁ ଚାଟ୍‌ଜିପିଟିର ବିକାଶ କରାଯାଇଥିଲା। ଏହି ସଂସ୍ଥା ଆସନ୍ତା ବର୍ଷ (୨୦୨୪)ଦେବାଳିଆ ହୋଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଚାଟ୍‌ଜିପିଟିର ଉନ୍ନତ ଭର୍ସନ ଜିପିଟି ୩.୫ ଏବଂ ଜିପିଟି-୪ ଜରିଆରେ କମ୍ପାନି ଅର୍ଥ ରୋଜଗାର ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ବିଶେଷ ସଫଳ ହୋଇନାହିଁ। ଚାଟ୍‌ଜିପିଟି ଚର୍ଚ୍ଚିତ ହୋଇଥିଲେ ମଧ୍ୟ ସେଥିରୁ ଅର୍ଥ ଉପାର୍ଜନର ‌ଉତ୍ସ ବାହାର କରାଯାଇପାରି ନାହିଁ ବୋଲି ଆନାଲିଟିକ୍ସ ଇଣ୍ଡିଆ ମାଗାଜିନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ସାମ୍‌ ଅଲ୍ଟମ୍ୟାନଙ୍କ ଦ୍ବାରା ଉକ୍ତ କମ୍ପାନି ସ୍ଥାପନ ହୋଇଛି। ତେବେ ଏହାର ଗୋଟିଏ ଏଆଇ ସେବା ଚାଟ୍‌ଜିପିଟିକୁ ଚଳାଇ ରଖିବା ପାଇଁ କମ୍ପାନିକୁ ଦିନକୁ ୭ ଲକ୍ଷ ଡଲାର (୫.୮୦ କୋଟି ଟଙ୍କା) ବ୍ୟୟ କରିବାକୁ ପଡ଼ୁଛି। ଫଳରେ କମ୍ପାନିର ଆର୍ଥିକ ସମ୍ବଳ ଦ୍ରୁତ ଗତିରେ ହ୍ରାସ ପାଉଛି। ତେଣୁ ଦିନକୁ ଯେତିକି ଖର୍ଚ୍ଚ ହେଉଛି ସେତିକି ରାଜସ୍ବ ସଂଗ୍ରହ କରିବା ପାଇଁ କମ୍ପାନି ପାଇଁ କଷ୍ଟକର ହୋଇପଡ଼ିଛି। ବିଲ୍‌ ଗେଟ୍‌ସଙ୍କ ସଂସ୍ଥା ମାଇକ୍ରୋସଫ୍ଟ ଦେଇଥିବା ୧୦୦୦ କୋଟି ଡଲାରରେ କଂପାନି ବଞ୍ଚିରହିଛି।

ପ୍ରାରମ୍ଭରେ ଓପନଏଆଇର ଚାଟଜିପିଟି ଗ୍ରାହକ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଥିଲା। କିନ୍ତୁ ଏବେ ଗ୍ରାହକ ସଂଖ୍ୟା ଆଉ ସେଭଳି ବଢ଼ୁନାହିଁ। ଜୁନ ତୁଳନାରେ ଜୁଲାଇରେ କମ୍ପାନିର ୟୁଜରଙ୍କ ସଂଖ୍ୟା ୧୨ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଜୁନରେ କମ୍ପାନିର ଗ୍ରାହକଙ୍କ ସଂଖ୍ୟା ୧.୭ ବିଲିଅନ ଥିବାବେଳେ ଜୁଲାଇରେ ଏହା ୧.୫ ବିଲିଅନକୁ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନିର ଚାଟଜିପିଟି ୱେବସାଇଟ୍‌କୁ ଭିଜିଟ କରୁଥିବା ୟୁଜରଙ୍କୁ ନେଇ ଉକ୍ତ ତଥ୍ୟ ପ୍ରସ୍ତୁତ ହୋଇଛି। ଏଥିରେ ଓପନଏଆଇର ଏପିଆଇ ୟୁଜର ସାମିଲ ନାହାନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button