‘ଟାଇମ୍’ର ଶ୍ରେଷ୍ଠ ୧୦୦ କମ୍ପାନି ତାଲିକାରେ ଏକମାତ୍ର ଭାରତୀୟ କମ୍ପାନି ‘ଇନ୍ଫୋସିସ୍’ – Utkal Mail
ନୂଆଦିଲ୍ଲୀ: ‘ଟାଇମ୍ ମାଗାଜିନ୍’ ଓ ଅନ୍ଲାଇନ୍ ଡାଟା ପ୍ଲାଟ୍ଫର୍ମ ‘ଷ୍ଟାଟିଷ୍ଟା’ ପ୍ରସ୍ତୁତ କରିଥିବା ୨୦୨୩ ବର୍ଷରେ ବିଶ୍ବର ୧୦୦ଟି ଶ୍ରେଷ୍ଠ କମ୍ପାନି ତାଲିକାରେ ଏକମାତ୍ର ଭାରତୀୟ କମ୍ପାନି ଭାବେ ‘ଇମ୍ଫୋସିସ୍’ ସ୍ଥାନ ପାଇଛି।
‘ମାଇକ୍ରୋସଫ୍ଟ୍’, ‘ଆପ୍ଲ’, ‘ଆଲ୍ଫାବେଟ୍’ ଓ ‘ମେଟା’ ପ୍ଲାଟ୍ଫର୍ମ ଆଦି ‘ଟେକ୍ କମ୍ପାନି’ ସବୁ ଏହି ତାଲିକାର ଶୀର୍ଷ ସ୍ଥାନରେ ଥିବା ବେଳେ ‘ଇନ୍ଫୋସିସ୍’ ୬୪ତମ ସ୍ଥାନରେ ରହିଛି।
ବିଶ୍ବ ଆର୍ଥିକ ଶୃଙ୍ଖଳକ୍ରମ ପ୍ରତି ଧ୍ୟାନ ଦେଇ ‘ଟାଇମ୍’ ଓ ‘ଷ୍ଟାଟିଷ୍ଟା’ ସମୁଦାୟ ୭୫୦ଟି କମ୍ପାନିର ନାମ ସଂଗ୍ରହ କରିଥିଲେ। ରାଜସ୍ବ ଅଭିବୃଦ୍ଧି, କର୍ମଚାରୀଙ୍କ ସନ୍ତୋଷ ସର୍ବେକ୍ଷଣ, କଠିନ ପାରିପାର୍ଶ୍ବିକ, ସାମାଜିକ ଓ କର୍ପୋରେଟ୍ ନିୟନ୍ତ୍ରଣ ଆଦି ତଥ୍ୟାବଳିକୁ ଆଧାର କରି କମ୍ପାନିମାନଙ୍କର ରାଙ୍କ୍ ନିର୍ଦ୍ଧାରଣ କରାଯାଇଛି।
ସୂଚନାଯୋଗ୍ୟ, ଏକଦା ବିଶ୍ବ ଅର୍ଥନୀତିକୁ ପରିଚାଳିତ କରୁଥିବା ଉତ୍ପାଦନକାରୀ ଓ ଗ୍ରାହକ ବ୍ୟବହାର୍ଯ୍ୟ ସାମଗ୍ରୀ କମ୍ପାନିମାନଙ୍କୁ ଏବେ ଦ୍ରୁତ ଅଭିବୃଦ୍ଧିଶୀଳ ‘ଟେକ୍’ ଓ ‘ବିଜ୍ନେସ୍ ସର୍ଭିସ୍ କମ୍ପାନି’ ସବୁ ପଛରେ ପକାଇ ଦେଉଛନ୍ତି ବୋଲି ସେମାନଙ୍କ ସର୍ଭେରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ‘ଇନ୍ଫୋସିସ୍’ ବ୍ୟତୀତ ଆଉ ୭ଟି ଭାରତୀୟ କମ୍ପାନି ମଧ୍ୟ ‘ଟାଇମ୍’ ପ୍ରସ୍ତୁତ କରିଥିବା ୭୫୦ କମ୍ପାନି ତାଲିକାରେ ସ୍ଥାନ ପାଇଛନ୍ତି।