ଓଡିଶା

୧୮ରୁ କାର୍ତ୍ତିକ ବ୍ରତ: ପୁରୀରେ ୨୫ ଶହ ହବିଷ୍ୟାଳୀଙ୍କ ପାଇଁ ରହଣୀ ବ୍ୟବସ୍ଥା

ପୁରୀ : ଆସନ୍ତା ୧୮ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ୨୫ ଶହ ବିଧବା ଓ ବୃଦ୍ଧାଙ୍କୁ ନିଃଶୁଳ୍କ ହବିଷ ବ୍ରତ ପାଳନ ସୁଯୋଗ ଯୋଗାଇଦେବେ ରାଜ୍ୟ ସରକାର। ସେମାନଙ୍କୁ ଏକମାସ ଧରି ମାଗଣା ଆବାସ, ଦିନକୁ ଗୋଟିଏ ଓଳି ମହାପ୍ରସାଦ, ପ୍ରତ୍ୟେକ ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ରାଧା ଦାମୋଦର ପୂଜା ସୁବିଧା ଯୋଗାଇ ଦିଆଯିବ।

ଏଥିପାଇଁ ୩୬୫୦ ଶ୍ରଦ୍ଧାଳୁ ଅନ୍‌ଲାଇନ ଯୋଗେ ଆବେଦନ କରିଛନ୍ତି। ଚଳିତ ବର୍ଷ ନୂତନ ଆବେଦନକାରୀଙ୍କୁ ଏଥିପାଇଁ ଅଗ୍ରାଧିକାର ଦିଆଯାଉଛି। ମାଗଣା ହବିଷ ଶିବିର ଆୟୋଜନ ପାଇଁ ସରକାର ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ହବିଷ୍ୟାଳିଙ୍କ ପାଇଁ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡରେ ଥିବା ପୁରୁଣା ମହିଳା କଲେଜ କୋଠା, ବଗଲା ଧର୍ମଶାଳା ଏବଂ ମୋଚିସାହି କଲ୍ୟାଣ ମଣ୍ଡପରେ ରହିବା ବ୍ୟବସ୍ଥା କରାଯାଇଛି।

ସେସବୁ ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର, ପୁଲିସ ସହାୟତା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ଅଗ୍ନି ନିରାପତ୍ତା ଶିବିର ଖୋଲାଯିବ। ନିରବଚ୍ଛିନ୍ନ ବିଦ୍ୟୁତ୍ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ହବିଷ ଶିବିର ପରିଚାଳନା ଦାୟିତ୍ବରେ ୪ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ପ୍ରାୟ ୨ଶହ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ସ୍ବତନ୍ତ୍ର ସର୍କିଟ ହାଉସରେ ପ୍ରସ୍ତୁତି କକ୍ଷର ସମୀକ୍ଷା କରିଛନ୍ତି।

୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ମନୋନୀତ ହବିଷ୍ୟାଳିଙ୍କୁ ପ୍ରଶାସନ ପକ୍ଷରୁ ଫଟୋ ପରିଚୟପତ୍ର ପ୍ରଦାନ କରାଯିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥଥିବା ଆବେଦନକାରୀଙ୍କୁ ଚିହ୍ନଟ କରାଯାଇଛି। ହବିଷ ଶିବିରଗୁଡ଼ିକରେ ସନ୍ଧ୍ୟାରେ କାର୍ତ୍ତିକ ପୁରାଣ ଓ ଭାଗବତ କଥା ପ୍ରବଚନ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button