ଓଡିଶା

ଫାଟି ଆଁ କରିଛି ଜମି, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

କଲମପୁର: ଇନ୍ଦ୍ରାବତୀ ପାଦତଳେ ଥାଇ ମଧ୍ୟ ନିରାଶ ଚାଷୀ। ଏହି ସମୟରେ ଯେଉଁ କ୍ଷେତରେ ସୁନାର ଫସଲ ହସିବା କଥା, ସେହି କ୍ଷେତରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଉପୁଜିଛି। ଧାନ ଗଛ ସବୁ ଝାଉଁଳି ଯାଇଛି, ଯେଉଁଥିପାଇଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଚାଷ ପାଇଁ କରିଥିବା ଧାର କରଜ କିଭଳି ସୁଝିବେ ସେହି ଚିନ୍ତାରେ ଅଛନ୍ତି କଳାହାଣ୍ଡି ଜିଲା ଜୟପାଟଣା ବାନେର ଏବଂ ଭଇଁରୀପାଲି ଅଞ୍ଚଳର ଚାଷୀ।

ଶେଷରେ ଏହାର ସ୍ଥାୟୀ ସମାଧାନ ଓ ମରୁଡ଼ି ଘୋଷଣା ଦାବିରେ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଇନ୍ଦ୍ରାବତୀ ପାଦତଳେ ଥାଇ ମଧ୍ୟ ଏଠାରେ ଲାଗେନାହିଁ କେନାଲ ପାଣି। ବର୍ଷା ଭରସାରେ କରିଥିଲେ ଧାନ ଚାଷ। ହେଲେ ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି। କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକ ଅଧିନ ବାନେର ଓ ଭଇଁରିପାଲି ପଞ୍ଚାୟତର ହେକ୍ଟର ହେକ୍ଟର ଚାଷ ଜମିରେ ଏବେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ନିଅଣ୍ଟିଆ ବର୍ଷା ଯୋଗୁଁଁ ଆରମ୍ଭରୁ ହିଁ ବିଳମ୍ବରେ ଚାଷ କାର୍ଯ୍ୟ ହୋଇଥିବାବେଳେ ଧାନ ଗଛର ଗର୍ଭଣୀ ସମୟରେ ଜମିରେ ପାଣି ଜମା ହୋଇ ରହିବା ନିହାତି ଜରୁରୀ। ହେଲେ ବିଲରେ ପାଣି ଅଭାବରୁ ଜମି ଫାଟି ଆଁ କରିଥିବାରୁ ଗଛ ବଞ୍ଚିଥିଲେ ସୁଦ୍ଧା ମଞ୍ଜି ନ ହେବା ନେଇ ଆଶଙ୍କା ରହିଛି। ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ବାମ, ଡାହାଣ ଓ ଲିଫ୍ଟ କେନାଲ ମାଧ୍ୟମରେ ଜିଲାବ୍ୟାପୀ ଜଳ ଯୋଗାଣ କରୁଥିବାବେଳେ ପାଦ ତଳେ ଥାଇ ମଧ୍ୟ ଏହି ଦୁଇ ପଞ୍ଚାୟତର ୫୦୦ ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ଏଯାଏଁ ପହଞ୍ଚିପାରିନି ଜଳ ସେଚନ। ଏନେଇ ଚାଷୀ ଅନେକ ଥର ଜଳ ସେଚନ ବିଭାଗର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବାରୁ ଶେଷରେ ମରୁଡ଼ି ଘୋଷଣା ସହ ଲିପ୍ଟ କେନାଲ ମାଧ୍ୟମରେ ଜଳ ସେଚନ ପାଇଁ ଜୟପାଟଣାର ମା’ ରକ୍ତ ବୋଡେନ କୃଷକ ସଂଘ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଆଉ କିଛିଦିନ ପରେ କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଧାନ ବିକ୍ରି କରି ନିଜର ଆବଶ୍ୟକ ପୂରଣ କରିବା ସହ କିଛି ନୂଆ କାର୍ଯ୍ୟ କରିବାର ଯୋଜନା ରହିଛି। କିନ୍ତୁ ଚାଷଜମିଗୁଡ଼ିକ ଶୁଖି ପୋଡ଼ି ଯାଇଥିବାବେଳେ ଋଣ କରଜ କରି ଚାଷ କାର୍ଯ୍ୟ କରିଥିବା ଚାଷୀ ବର୍ତ୍ତମାନ କିଭଳି ଋଣ ପରିଶୋଧ କରିବା ସହ ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଜୟପାଟଣା ବ୍ଲକରେ ଥିବା ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ଦ୍ବାରା ବାମ, ଡାହାଣ ମୁଖ୍ୟ କେନାଲ ଓ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ଜିଲାର ଧର୍ମଗଡ଼, ଜୁନାଗଡ଼, ଲାଞ୍ଜିଗଡ଼ ଓ ଭବାନୀପାଟଣା ଚାରୋଟି ନିର୍ବାଚନ ମଣ୍ଡଳୀର ୮ଗୋଟି ବ୍ଲକର ୪୨୯ଟି ଗାଁର ୧ ଲକ୍ଷ ୧୨ ହଜାର ୮୬୬.୦୪ ହେକ୍ଟର ଚାଷ ଜମିରେ ଜଳ ସେଚନ କରି ୯୯ ହଜାର ୧୭୨ଟି ଚାଷୀ ପରିବାର ମୁହଁରେ ହସ ଦେଇ ପାରିଛି। କିନ୍ତୁ ଏହି ଅଞ୍ଚଳ ଉଚ୍ଚତାରେ ଥିବାରୁ ଜଳ ସେଚନର ବ୍ୟବସ୍ଥା ନାହିଁ। ଉଠା ଜଳ ସେଚନର ବ୍ୟବସ୍ଥା କରି ଏହାର ସ୍ଥାୟୀ ସମାଧାନ ପାଇଁ ଚାଷୀ ଦାବି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button