ଜି୨୦ ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ବିଜେପି ନେତା – Utkal Mail
ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀର ସଫଳତା ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ସେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଯୋଗଦେବାକୁ ଆସିଥିଲେ, ଯେଉଁଠି ଚଳିତବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡ଼ିକ ଉପରେ ବିଚାରବିମର୍ଶ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଗୋଲାପ ଫୁଲ ଦେଇ ସ୍ବାଗତ ଜଣାଇଥିଲେ।
ଜି୨୦ ସମ୍ମିଳନୀ ପରି ବୈଶ୍ବିକ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହେବା ପରେ ବିଜେପି ଆଗାମୀ ବିଧାନସଭା ନିର୍ବାଚନଗୁଡ଼ିକ ପାଇଁ ପ୍ରାର୍ଥୀ ମନୋନୟନ ଉପରେ ବିଚାରବିମର୍ଶ କରିଥିଲା। ଏହି ବୈଠକରେ ବିଶେଷତଃ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଗୁରୁତ୍ବ ଦିଆଯାଇଥିଲା। ଆସନ୍ତା ନଭେମ୍ବର-ଡିସେମ୍ବର ମାସରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଥିବା ବେଳେ ମିଜେରାମରେ ଏହାର ସହଯୋଗୀ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାର ଚଳାଉଛି।