ସ୍ୱଚ୍ଛସଲିଳା ତୁଙ୍ଗଭଦ୍ରା – Utkal Mail
ଭାରତ ପୁଣ୍ୟପ୍ଳାବିନୀ ନଦୀର ଏକ ଦେଶ। କିନ୍ତୁ ଭାରତର ଅନେକ ନଦୀ ଏବେ ପ୍ରଦୂଷିତ। ଏ ସମସ୍ୟାରୁ ମୁକ୍ତ ଏକ ନଦୀ ରହିଛି, ଯାହାର ନାମ ତୁଙ୍ଗଭଦ୍ରା। କନ୍ନଡ଼ରେ ଏକ ପ୍ରଚଳିତ ଉକ୍ତି ରହିଛି, “ତୁଙ୍ଗାପାନ-ଗଙ୍ଗାସ୍ନାନ”। ଅର୍ଥାତ୍ ତୁଙ୍ଗଭଦ୍ରାର ନିର୍ମଳ ଜଳ ପାନ ଏବଂ ପବିତ୍ରଗଙ୍ଗାରେ ସ୍ନାନ କଲେ ମନୁଷ୍ୟ ମୁକ୍ତି ପାଏ।
ପୁରାଣର ବର୍ଣ୍ଣନା ଅନୁସାରେ, ହିରଣ୍ୟାକ୍ଷକୁ ବଧ କଲା ପରେ, ବରାହ ଭଗବାନ କ୍ଳାନ୍ତ ହୋଇ ପଶ୍ଚିମଘାଟ ସ୍ଥିତ ଏକ ପର୍ବତଶୃଙ୍ଗ ଉପରେ ବିଶ୍ରାମ ନେଲେ। ସେତେବେଳେ ତାଙ୍କର ଶରୀରରୁ ଯେଉଁ ଶ୍ରମଝାଳ ନିର୍ଗତ ହେଲା, ବାମ ପଟର ଝାଳ ହେଲା ତୁଙ୍ଗା ଏବଂ ଦକ୍ଷିଣ ପଟର ଝାଳ ହେଲା ଭଦ୍ରା। ଏହି ଦୁଇ ଧାର କର୍ଣ୍ଣାଟକର ସିମୋଗାଠାରେ ଏକତ୍ର ହୋଇ ‘ତୁଙ୍ଗଭଦ୍ରା’ ନାମ ଧାରଣ କରିଛନ୍ତି। ଏହା କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପ୍ରବାହିତ ହୋଇ ସଙ୍ଗମାଲେଶ୍ୱରମ୍ଠାରେ କୃଷ୍ଣାନଦୀ ସହିତ ମିଳିତ ହୋଇଛି।
କଥିତ ଅଛି, ସେଠାରେ ପାଞ୍ଚଟି ନଦୀର ମିଳନ ଘଟିଛି। ତେଣୁ ବନବାସ କାଳରେ ଯୁଧିଷ୍ଠିର କାଶୀରୁ ଏକ ଶିବଲିଙ୍ଗ ଅଣାଇ ସଙ୍ଗମେଶ୍ୱର ନାମରେ ସେଠାରେ ପ୍ରତିଷ୍ଠା କରିଥିଲେ। ରାମାୟଣରେ ଏହି ନଦୀର ବିସ୍ତୃତ ବର୍ଣ୍ଣନା ମିଳେ। ସୀତାଙ୍କୁ ହରାଇ ରାମଚନ୍ଦ୍ର ପ୍ରସ୍ରବଣ ଗିରିରେ ଅବସ୍ଥାନ କଲାବେଳେ, ତୁଙ୍ଗଭଦ୍ରାକୁ ଦେଖାଇ ଲକ୍ଷ୍ମଣଙ୍କୁ କହିଛନ୍ତି- ଏହି ନଦୀ ମନ୍ଦାକିନୀ ସଦୃଶ ନିର୍ମଳ ଓ ପବିତ୍ର। ଏହାର ଧାରା ପଶ୍ଚିମରୁ ପୂର୍ବକୁ ବହୁଛି। ଚନ୍ଦନ, ତିଳକ, ଶାଳ, ତମାଳ ଅଶୋକ ଆଦି ବୃକ୍ଷ ଏହି ନଦୀର ତଟଦେଶକୁ ଏପରି ସୁଶୋଭିତ କରିଛି, ଯେ ଦେଖିଲେ ମନେହେବ, ସତେ ଯେପରି ଏକ ସୁନ୍ଦରୀ ଯୁବତୀ ଶୃଙ୍ଗାର ପରେ ମନ୍ଦ୍ରନୂପୁର ଧ୍ୱନି କରି ଗମନ କରୁଛି। ଅସଂଖ୍ୟ ପକ୍ଷୀଙ୍କ କୂଜନ ଦିବ୍ୟ ସଂଗୀତର ମାଧୁର୍ଯ୍ୟ ଆଣି ଦେଉଛି। ନଦୀର ବକ୍ଷସ୍ଥଳ ଲୋହିତ, ଶ୍ୱେତ ଓ ନୀଳ କମଳରେ ଶୋଭିତ- ଯାହାର ଦର୍ଶନରେ ମୁଁ ସୀତାଙ୍କ ବିଚ୍ଛେଦ ଦୁଃଖ ଭୁଲି ଯାଉଛି।
ଏହି ଦୀର୍ଘ ନଦୀର ତଟଦେଶରେ, ଅନେକ ସ୍ମୃତି ବିଜଡ଼ିତ କିସ୍କିନ୍ଧାରାଜ୍ୟ ସହିତ, ବିଭବମୟୀ ବିଜୟ ନଗରର ଇତିହାସ ଜଡ଼ିତ ହୋଇ ରହିଛି। ବହୁ ଶୈବତୀର୍ଥ ତୁଙ୍ଗଭଦ୍ରାକୁ ପବିତ୍ରତା ପ୍ରଦାନ କରିଛି। ଏହି ନଦୀ ଦ୍ୱାରା ଏକ ବିରାଟ ଅଞ୍ଚଳ ଜଳସେଚିତ। ସମ୍ରାଟ କୃଷ୍ଣଦେବରାୟଙ୍କ ଦ୍ୱାରା ନିର୍ମିତ ବନ୍ୟା ନିରୋଧ ନଦୀବନ୍ଧ ତୁଙ୍ଗଭଦ୍ରାର ଅନ୍ୟ ଏକ ବିଶେଷତ୍ୱ।
-ଡକ୍ଟର ତୁଳସୀ ଓଝା