ଗୁଜବ ପିଛା ୩ କୋଟି କ୍ଷତି: ବିମାନରେ ବୋମା ଭୟ

ନୂଆଦିଲ୍ଲୀ: ଗତ କିଛି ଦିନ ଭିତରେ ଭାରତୀୟ ବିମାନ ଚଳାଚଳ କମ୍ପାନିଗୁଡ଼ିକ ଏକ ଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି। ତାହା ହେଉଛି ବିମାନରେ ବୋମା ଗୁଜବ। ଏଭଳି ଘଟଣା ଯାତ୍ରୀ ସୁରକ୍ଷା ଦୃଷ୍ଟିରୁ ବେଶ୍ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏୟାରଲାଇନ୍ଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ମଧ୍ୟ କ୍ଷତି ସହୁଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ ପ୍ରତି ବୋମା ଗୁଜବ ଘଟଣା ପିଛା ବିମାନ କମ୍ପାନିଗୁଡ଼ିକ ପ୍ରାୟ ୩ କୋଟି ଟଙ୍କାର କ୍ଷତି ସହୁଛନ୍ତି।
ଯାତ୍ରୀ, ସେମାନଙ୍କ ଜିନିଷ ଓ ଅନ୍ୟାନ୍ୟ ପଣ୍ୟ ଭର୍ତ୍ତି ହେବା ପରେ ଏକ ବିମାନର ଓଜନ ୩୪୦-୩୫୦ ଟନ୍ ହୋଇଥାଏ। ଏକ ବୋଇଙ୍ଗ ୭୭୭ ବିମାନ ଅବତରଣ କରିବା ଲାଗି ତାହାର ଓଜନ ୨୫୦ ଟନ୍କୁ ହ୍ରାସ କରିବାକୁ ପଡ଼ିଥାଏ। ବିମାନ ଓଜନ କମାଇବା ଲାଗି ସେଥିରେ ଥିବା ବଳକା ତେଲ ନିଷ୍କାସନ କରିବାକୁ ହୁଏ। ବିମାନକୁ ସଫଳତାର ସହ ଅବତରଣ କରାଇବା ଲାଗି ୧୦୦ ଟନ୍ ତେଲ ଦରକାର। ତେଣୁ ବୋମା ଗୁଜବ ପାଇଁ କୌଣସି ବିମାନ ଅବତରଣ କରାଇବାକୁ ପଡ଼ିଲେ କେବଳ ଇନ୍ଧନ ବାବଦରେ ପ୍ରାୟ ୧ କୋଟି ଟଙ୍କାର କ୍ଷତି ହୋଇଥାଏ।
ଏହା ବ୍ୟତୀତ ଅନିୟମିତ ଅବତରଣ ଶୁଳ୍କ, ପ୍ରାୟ ୨୦୦ ଯାତ୍ରୀ ଓ କ୍ରୁ ସଦସ୍ୟମାନଙ୍କୁ ହୋଟେଲ୍ରେ ରଖିବା, କ୍ଷତିପୂରଣ ଦେବା ଆଦିରେ ମଧ୍ୟ ଏୟାରଲାଇନ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଥାଏ। ଏସବୁ ବିଷୟକୁ ମିଶାଇ ହିସାବ କରିବା ପରେ ଜଣାପଡ଼ିଛି ଯେ ପ୍ରତି ବୋମା ଗୁଜବ ଘଟଣା ପାଇଁ ଏୟାରଲାଇନ୍କୁ ପ୍ରାୟ ୩ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଗତ ରବିବାରଠାରୁ ବିମାନରେ ବୋମା ଗୁଜବ ଘଟଣା ବଢ଼ିଯାଇଛି। ଗୁରୁବାର ସୁଦ୍ଧା ଏୟାରଲାଇନ୍ଗୁଡ଼ିକ ପ୍ରାୟ ୪୦ଟି ବିମାନରେ ବୋମା ଥିବା ଧମକ ପାଇଥିଲେ। ଏକ ଆନୁମାନିକ ହିସାବ ଅନୁସାରେ ଏହି ଗୁଜବ ଲାଗି ବିମାନ ଶିଳ୍ପ ୬୦-୮୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିଥିବା କୁହାଯାଉଛି।



