ଦେଶ ବିଦେଶ

ସିରିଞ୍ଜରେ ସୌନ୍ଦର୍ଯ୍ୟ

ପ୍ରତିଟି ମଣିଷ ସୌନ୍ଦର୍ଯ୍ୟର ପୂଜାରୀ। ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ, ବିମୋହିତ କରେ- ତାହା ପ୍ରାକୃତିକ ହୋଇପାରେ, ଅଥବା ମାନବୀୟ। ଏଥିପାଇଁ ତ ଦିନେ ଚିଲିକାର ଅପରୂପ ସୌନ୍ଦର୍ଯ୍ୟରେ ମନ୍ତ୍ରମୁଗ୍ଧ ହୋଇ କବିବର ରାଧାନାଥ ରାୟ ଲେଖିଥିଲେ- ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ…।’ ଉଭୟ ପ୍ରାକୃତିକ ଓ ମାନବୀୟ ସୌନ୍ଦର୍ଯ୍ୟ ଈଶ୍ବରଙ୍କ ଅବଦାନ, କିନ୍ତୁ ଚିକିତ୍ସା ବିଜ୍ଞାନର ଅଗ୍ରଗତିକୁ ଉପଯୋଗ କରି ଧନୀକ ବର୍ଗ ଶାରୀରିକ ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରିବାରେ ଲାଗିଛନ୍ତି।

ବିଜ୍ଞାନର ଏହି ସୌନ୍ଦର୍ଯ୍ୟବର୍ଦ୍ଧକ ପଦ୍ଧତିକୁ ନେଇ ଏଥରର ଆମ ପ୍ରତିବେଦନ।
ଉପସ୍ଥାପନା: ସସ୍ମିତା ସାହୁ

କୁହାଯାଏ, ଟଙ୍କା ଥିଲେ ମଣିଷ ଆପେ ସୁନ୍ଦର ଦିଶେ। ଏହି ଉକ୍ତିର ବାସ୍ତବତା ଅଛି କି? ଅସଲରେ ଅଭାବରେ ନଥିବା ବ୍ୟକ୍ତି ସଦା ପ୍ରଫୁଲ୍ଲ ରହୁଥିବାରୁ ସୁନ୍ଦର ଦେଖାଯାଏ ବୋଲି ଧାରଣା ରହିଛି। କିନ୍ତୁ ଏବେ ଏହି ପରିଭାଷା ବଦଳିଯାଇଛି। ଟଙ୍କା ଥିବା ବ୍ୟକ୍ତି ଅତ୍ୟାଧୁନିକ ତଥା ବ୍ୟୟବହୁଳ ଚିକିତ୍ସା ଜରିଆରେ ନିଜର କୁରୂପକୁ ବି ଅପରୂପ କରିପାରୁଛି। ଶିଳ୍ପା ସେଟ୍ଟୀ, ପ୍ରିୟଙ୍କା ଚୋପ୍ରା, ଜାହ୍ନବୀ କପୁର, ଅନୁଷ୍କା ଶର୍ମା ଓ ଅଦିତି ରାଓଙ୍କ ଭଳି ଶହ ଶହ ସେଲିବ୍ରିଟି ଏହି ଉପାୟରେ ହିଁ ନିଜ ସୌନ୍ଦର୍ଯ୍ୟକୁ ପରିବର୍ଦ୍ଧିତ କରିଛନ୍ତି। ନିଜ ବଙ୍କାଳିଆ ନାକ ହେଉ ବା ଅସୁନ୍ଦର ଓଠ, ଅନାକର୍ଷଣୀୟ ଚିବୁକ ହେଉ ବା ବହଳିଆ ଭ୍ରୂଲତା, ଏସବୁକୁ ମନ ଚାହୁଥିବା ସୁନ୍ଦର ଆକାର ଦେଇ ଚେହେରାକୁ ଲୋଭନୀୟ କରିହେଉଛି। ଅତ୍ୟାଧୁନିକ କସ୍ମେଟିକ୍ ସର୍ଜରି ଯୋଗୁଁ ଏସବୁ ସମ୍ଭବ ହୋଇପାରୁଛି।

ତେବେ ଏହି କୃତ୍ରିମ ସୌନ୍ଦର୍ଯ୍ୟବର୍ଦ୍ଧନ ପ୍ରକ୍ରିୟା ଯେ କେବଳ ଅଭିନେତାଅଭିନେତ୍ରୀ କିମ୍ବା ମଡେଲ୍ମାନେ ଆପଣାଉଛନ୍ତି, ତାହା ନୁହେଁ; କର୍ପୋରେଟ୍ ହାଉସ୍ରେ ଉଚ୍ଚ ପଦବିରେ ଚାକିରି କରିଥିବା ମହିଳା, ବିବାହ ପୂର୍ବରୁ ଅଧିକ ସୁନ୍ଦରୀ ଦେଖାଯିବାକୁ ଆଗ୍ରହୀ ଯୁବତୀ, ଏପରିକି ନିର୍ବାଚନ ପ୍ରଚାରକୁ ଯାଉଥିବା ନେତାମାନେ ମୋଟାଅଙ୍କର ଅର୍ଥ ବ୍ୟୟରେ କସ୍ମେଟିକ୍ ସର୍ଜରି କରାଉଛନ୍ତି। ବିଦେଶରେ ଲୋକପ୍ରିୟ କେମିକାଲ୍ ପିଲିଂ, ବୋଟକ୍ସ, ଫିଲର୍ସ, ଫ୍ୟାଟ୍ ଫ୍ରି ସର୍ଜରି ଆଦି ସୌନ୍ଦର୍ଯ୍ୟବର୍ଦ୍ଧକ ଚିକିତ୍ସା ଏବେ ଭାରତରେ ଆଦୃତ ହେବାରେ ଲାଗିଛି। ତେବେ ଏହା ଅନେକ କ୍ଷେତ୍ରରେ ସଫଳ ହେଉଥିବା ବେଳେ କେତେକ କ୍ଷେତ୍ରରେ ହାନିକାରକ ସାବ୍ୟସ୍ତ ହେଉଛି।

ବୋଟକ୍ସ ନିଶାରେ ସେଲିବ୍ରିଟି
ବୋଟକ୍ସ ତ୍ବଚା ଚିକିତ୍ସା ବହୁ ପୂର୍ବରୁ ବଲିଉଡ୍ ଓ ଫ୍ୟାସନ୍ ଜଗତରେ ବ୍ୟବହୃତ ହୋଇ ସାରିଥିବା ବେଳେ ଏବେ ଏହା ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା ହେଉଛି। ଅଭିନେତ୍ରୀ ମନ୍ଦିରା ବେଦୀ ଏହା ସପକ୍ଷରେ ଗଣମାଧ୍ୟମରେ ସ୍ପଷ୍ଟ ମତ ବି ରଖିଛନ୍ତି। ‘ନେଟ୍ଫ୍ଲିକ୍ସ’ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଫାବୁଲସ୍ ଲାଇଭ୍ସ୍ ଅଫ୍ ବଲିଉଡ୍ ୱାଇଭ୍ସ’ର ଏକ ଅଧ୍ୟାୟରେ ଅଭିନେତ୍ରୀ ନିଲମ୍ କୋଠାରୀ ମଧ୍ୟ ବୋଟକ୍ସ ତ୍ବଚା ଚିକିତ୍ସା କରାଉଥିବା ଦେଖିବାକୁ ମିଳିଥିଲା। ଏଥିସହ ସେ କହିଥିଲେ, ଲୋକମାନେ ଏହି ସୌନ୍ଦର୍ଯ୍ୟ ଚିକିତ୍ସାକୁ କାହିଁକି ବିବାଦୀୟ ଭାବୁଛନ୍ତି? ଏହି ପ୍ରକ୍ରିୟା ଦ୍ବାରା ଜଣେ ଆକର୍ଷଣୀୟ ଦେଖାଯିବା ସହ ତା’ର ଆତ୍ମବିଶ୍ବାସ ବଢ଼ିଥାଏ। କେବଳ ବୋଟକ୍ସ ନୁହେଁ, ଏହି ଧାରାବାହିକ ଏମିତି ବିଭିନ୍ନ କସ୍ମେଟିକ୍ ସର୍ଜରିର ପ୍ରଚାର କରିଥିଲା। ଏହା ବାଦ୍ ମହିପ୍ଙ୍କ ଝିଅ ସନାୟା କପୁର, କାଜୋଲ୍ ଦେବଗନ୍ଙ୍କ ଝିଅ ନାଇସା ଦେବଗନ୍, ଶାହରୁଖ୍ଙ୍କ ଝିଅ ସୁହାନା ଖାନ୍ ବି ଏହି ବୋଟକ୍ସ ତ୍ବଚା ଚିକିତ୍ସା ନିୟମିତ ବ୍ୟବଧାନରେ କରାଉଥିବା ମିଡିଆ ରିପୋର୍ଟରୁ ଜଣାପଡ଼େ। ବିଶେଷଜ୍ଞ ଡାକ୍ତରମାନଙ୍କ ମତରେ, ଠିକ୍ ଭାବେ କରାଗଲେ ବୋଟକ୍ସ ପଦ୍ଧତି ହାନିକାରକ ନୁହେଁ, ସମ୍ପୂର୍ଣ୍ଣ ସୁରକ୍ଷିତ।

Related Articles

Leave a Reply

Your email address will not be published. Required fields are marked *

Back to top button