ଓଡିଶା

ଝାରପଡ଼ା ଜେଲ୍‌ରେ ସୁରକ୍ଷା କଡ଼ାକଡ଼ି: ୨୪ ଘଣ୍ଟା ନଜରରେ ୫ କଏଦୀ

ଭୁବନେଶ୍ବର: ଶୁକ୍ରବାର ଝାରପଡ଼ା ଜେଲ୍ରେ ଜେଲର୍ ଓ ୨ୱାର୍ଡରଙ୍କୁ ବ୍ଲେଡ୍ରେ ଆକ୍ରମଣ କରି ୫ କଏଦୀ ଆତଙ୍କ ଖେଳାଇଥିଲେ। ଏହି ମାମଲାରେ ଜେଲ୍ ବିଭାଗର ମୁଣ୍ଡବିନ୍ଧା ବଢ଼ିଛି। ଝାରପଡ଼ା ଜେଲ୍ର ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ଜେଲ୍ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏଠାରେ ଖାଲି ପଡ଼ିଥିବା ୱାର୍ଡର ପଦବି ପୂରଣ କରିବାକୁ ଆଜି ବ୍ରହ୍ମପୁର ସର୍କଲ୍ ଜେଲ୍ରୁ ୧୦ଜଣଙ୍କୁ ଏଠାକୁ ଡେପୁଟେସନ୍ରେ ଅଣାଯାଇଛି।

ସେହିଭଳି ଆତଙ୍କରାଜ୍ ସୃଷ୍ଟି କରିଥିବା ୫କଏଦୀଙ୍କୁ ସିସିଟିଭି ନଜରରେ ଓ କଡ଼ା ସୁରକ୍ଷା ବଳୟରେ ଥିବା ସେଲ୍ରେ ରଖାଯାଇଛି ଏବଂ ସେମାନଙ୍କୁ ୨ୱାର୍ଡର ୨୪ ଘଣ୍ଟା ଜଗିବା ପାଇଁ ବ୍ୟବସ୍ଥା କରାଯାଇଛି। ଜେଲର୍ ଓ ୱାର୍ଡରଙ୍କୁ ହତ୍ୟା ଉଦ୍ୟମ କରିଥିବାରୁ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି ଏବଂ ଏନେଇ ଖୁବ୍ ଶୀଘ୍ର ପୁଲିସ ସେମାନଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି।

ଗତକାଲିର ଘଟଣାକୁ ନେଇ ଜେଲ୍ ଅଧୀକ୍ଷକ ଆଜି ଜେଲ୍ ଡିଜି ଅରୁଣ ରାୟଙ୍କୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଜେଲ୍ ସାଇରନ୍ ବଜାଇବାକୁ ପଡ଼ିଲା, ସେନେଇ ସେ ରିପୋର୍ଟରେ ଲେଖିଥିବା ଜଣାପଡ଼ିଛି। ସେହିଭଳି ଆକ୍ରମଣ କରିଥିବା ଅଜୟ ନାଏକ ଓରଫ ନନ୍ଦୁ, ଲିଙ୍ଗା ବାରିକ, ସନ୍ତୋଷ ଦାସ ଓରଫ ତାୱା, ସଞ୍ଜୟ ମଲ୍ଲିକ ଓରଫ ଖେଚଡ଼ କାଳିଆ ଓ ନାରାୟଣ ମହାନ୍ତିଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ବି ଜେଲ୍ ଅଧୀକ୍ଷକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୫ କଏଦୀଙ୍କୁ ଏବେ ସେଲ୍ରେ ରଖାଯାଇଛି ଏବଂ କରିଡର୍କୁ ବି ବାହାରିବାକୁ ଦିଆଯାଉନାହିଁ। ସେମାନଙ୍କ ନିକଟକୁ ଖାଇବା ପଠାଇଦିଆଯାଉଛି। ସିଫ୍ଟ ଅନୁସାରେ ୨ୱାର୍ଡରଙ୍କ ଜରିଆରେ ସେମାନଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଏହାବାଦ୍ ସିସିଟିଭି ମଧ୍ୟ ସେମାନଙ୍କ ଉପରେ ନଜର ରଖିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବ୍ରାଉନ୍ସୁଗାର ମାଫିଆ ନନ୍ଦୁ, ହତ୍ୟା ଅଭିଯୁକ୍ତ ନାରାୟଣ ଓ ବ୍ୟାଙ୍କ ଡକାୟତି ଅଭିଯୁକ୍ତ ସଂଜୟ ବା ଖେଚଡ଼ କାଳିଆ ଥିଲେ ଗତକାଲି କାଣ୍ଡର ମୁଖ୍ୟ ଖଳନାୟକ। ଗତ କିଛି ଦିନ ପୂର୍ବେ ଏମାନେ ଜେଲ୍ର ସେଲ୍ ଭିତରୁ ଏକ ଭିଡିଓ ଭାଇରାଲ୍ କରାଇଥିଲେ। ନନ୍ଦୁ ଛୁରି ଧରିଥିବା ବେଳେ ଅନ୍ୟମାନେ ଗଞ୍ଜେଇ ଦଳୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏହି ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ ସେଲ୍ରେ ଚଢ଼ଉ କରାଯାଇଥିଲା ଏବଂ ଛୁରି ସହ ଏକ ସ୍ମାର୍ଟଫୋନ୍ ଜବତ କରାଯାଇଥିଲା। ଏହାପରେ ସେମାନଙ୍କ ଉପରେ କଟକଣା ଲାଗୁ କରାଯାଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଏହି ଗ୍ୟାଙ୍ଗ୍ ରଚନା କରିଥିଲେ ଷଡ଼୍ଯନ୍ତ୍ର। ବ୍ଲେଡ୍ରେ ନିଜକୁ କାଟି ଆତ୍ମହତ୍ୟା କରିବେ ବୋଲି ସେମାନେ ଅଭିନୟ କରିଥିଲେ। ମାତ୍ର ଏଥିରେ ଫସିଯାଇଥିଲେ ୱାର୍ଡର ରାଜେଶ ପାତ୍ର। ସେ ଲକ୍ଅପ୍ ଖୋଲି ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କଲା ବେଳେ ଏହି ଗ୍ୟାଙ୍ଗ୍ ତାଙ୍କୁ ଆକ୍ରମଣ କରିଥିଲେ। ପରେପରେ ସେମାନେ ଜେଲର୍ ପ୍ରସନ୍ନ ସାହୁ ଓ ୱାର୍ଡର ପୃଥିବୀ ବେହେରାଙ୍କୁ ମଧ୍ୟ ରକ୍ତାକ୍ତ ଆକ୍ରମଣ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button