ସୋମବାରଠୁ ସୋଆରେ ଶିଳ୍ପ, ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟାର ଜାତୀୟ ସମ୍ମିଳନୀ

ଭୁବନେଶ୍ୱର ୦୪।୧୧ : ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ “ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ସ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ମେରାଇନ୍ ବାୟୋଟେକ୍ନୋଲୋଜି : ଏ ସର୍କୁଲାର ଇକୋନୋମି’ ଶୀର୍ଷକ ଜାତୀୟ କର୍ମଶାଳାର ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ ।
ସୋଆର ସେଣ୍ଟର୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍) ଏହି କର୍ମଶାଳାର ଆୟୋଜନ କରିଥିବା ବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର ପୃଷ୍ଠପୋଷକ ରହିଛି।
ନାସନାଲ୍ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେସନ୍ (ଏନ୍ଆର୍ଡିସି) ଓ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି। ସମ୍ମିଳନୀରେ ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜୈବପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଉପରେ ଆଲୋଚନା କରାଯିବ।
ବିଶ୍ୱରେ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଭଳି କ୍ଷେତ୍ରରେ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ଓ ମେରାଇନ ବାୟୋଟେକ୍ନୋଲୋଜିର ବିଶେଷ ଭୂମିକା ରହିଛି । ଏହି ବିଷୟକୁ ନେଇ ସମ୍ମିଳନୀ ଆୟୋଜନ କରାଯାଇଥିବା ସୋଆ ସିଆଇବିଆର୍ର ନିର୍ଦ୍ଦେଶକ ତଥା ଏହି ଜାତୀୟ ସମ୍ମିଳନୀର ଆବାହକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ କହିଛନ୍ତି। ପ୍ରଫେସର ଥାଟ୍ଟୋଇ କହିଛନ୍ତି, ମେରାଇନ୍ ବାୟୋଟେକ୍ନୋଲୋଜି ଦ୍ୱାରା ସାମୁଦ୍ରିକ ସଂପଦର ଅଶେଷ ସମ୍ଭାବନାକୁ କାର୍ଯ୍ୟକ୍ଷମ କରାଯିବା ସହ ଜୈବପ୍ରଯୁକ୍ତିରେ ଶୈକ୍ଷିକ ଗବେଷଣା ଓ ବ୍ୟବହାରିକ ପ୍ରୟୋଗ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରିହେବ। ଶିଳ୍ପ ପ୍ରୟୋଗ ପାଇଁ ଜୈବିକ ପ୍ରକିୟା ଗୁଡିକୁ ବ୍ୟବହାର କରିବା ଦ୍ୱାରା ଏହି କ୍ଷେତ୍ର ଗୁଡିକରେ ପାରମ୍ପରିକ ପଦ୍ଧତିର ସ୍ଥାୟୀ ବିକଳ୍ପ ସୃଷ୍ଟି ହେବ। ୨୦୨୩ ମସିହାରେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ସିଆଇବିଆରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର, କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ ମେଡିକାଲ୍ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା ।


