ଓଡିଶା

‘କେନ୍ଦ୍ରାପଡ଼ାରୁ ଓହରିନି ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ’

କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରକଳ୍ପରୁ ଓହରିନି ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ କମ୍ପାନୀ। ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ ଆନ୍ଧ୍ରପ୍ରଦେଶରେ ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ଆସିବା ପରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା କହିଥିଲେ ଯେ ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ ପ୍ରକଳ୍ପ କେନ୍ଦ୍ରାପଡ଼ାରୁ ଆନ୍ଧ୍ରପ୍ରଦେଶକୁ ଉଠିଗଲା।

ଆଉ ଏହା ପରେ ଆଜି କମ୍ପାନୀ ପକ୍ଷରୁ ଦିଆଯାଇଛି ସ୍ପଷ୍ଟୀକରଣ। କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ଉଠିବନି ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି।

କମ୍ପାନୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖି କହିଛି ଯେ, କମ୍ପାନୀର ଏହି ପ୍ରକଳ୍ପ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଜାରି ରହିଛି। କେନ୍ଦ୍ରାପଡ଼ା ଷ୍ଟିଲ ପ୍ଲାଣ୍ଟ ଏବେ ବିଭିନ୍ନ ସରକାରୀ ଅନୁମୋଦନ ପ୍ରକ୍ରିୟାରେ ରହିଛି। ଏହାଛଡ଼ା ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ ପାରାଦୀପରେ ମଧ୍ୟ ଏକ ୭ ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରୁଛି। ଏହି ପ୍ରକଳ୍ପ କାମ ମଧ୍ୟ ଚାଲୁ ରହିଛି।

କେନ୍ଦ୍ରାପଡ଼ାରୁ କମ୍ପାନୀର ପ୍ରସ୍ତାବିତ ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ଚାଲି ଯାଉଥିବା ନେଇ ବିଜେଡି ଅଭିଯୋଗ କରିଥିଲା। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏଭଳି ଅଭିଯୋଗ ଆଣି ଓଡ଼ିଶା ପାଇଁ ଦୁର୍ଭାଗ୍ୟଜନକ କଥା ବୋଲି କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ଇସ୍ପାତ ପ୍ରକଳ୍ପ ପାଇଁ ଉଦ୍ୟମ କରିଥିଲେ ବି ବର୍ତ୍ତମାନର ବିଜେପି ସରକାର ପାଇଁ କମ୍ପାନୀ ପ୍ରକଳ୍ପ ସ୍ଥାନ ପରିବର୍ତ୍ତନ କରୁଥିବା କହିଥିଲା ବିଜେଡି।

ଅନ୍ୟପକ୍ଷରେ ଆର୍ସେଲର ମିତ୍ତଲ ଓଡ଼ିଶା ଛାଡ଼ିବା ଚର୍ଚ୍ଚା ଉପରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, କେବଳ ପ୍ରତାପ ଜେନା ନୁହନ୍ତି, BJDର ନେତାମାନେ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରୁଛନ୍ତି। ଓଡିଶାରୁ ଆର୍ସେଲର ମିତ୍ତଲ- ନିପନ୍ ଷ୍ଟିଲ ଯିବନି। ପୂର୍ବ ସରକାର ଦୁଇ ବର୍ଷ ହେଲା ଶିଥିଳ ହୋଇଯାଇଥିଲା, କୌଣସି କାମ କରୁନଥିଲା। ବରଂ ବିଜୁ ଜନତା ଦଳ ସମୟରେ ଯେଉଁ ଶିଳ୍ପ ଓଡ଼ିଶାରୁ ଫେରି ଯାଇଥିଲେ ସେମାନେ ଏବେ ଓଡ଼ିଶା ଫେରୁଛନ୍ତି।

ଓଡ଼ିଶାର ଲୋକଙ୍କୁ ଭ୍ରମିତ କରୁଛି ବିଜୁ ଜନତା ଦଳ। ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ହେଉଛି ବିଶ୍ଵର ଏକ ପ୍ରମୁଖ ଇସ୍ପାତ କମ୍ପାନୀ। ଏହା ସାରା ବିଶ୍ୱରେ ଇସ୍ପାତ କାରଖାନା ବସାଉଛି। ପ୍ରତାପ ଜେନା କେମିତି କହିଲେ ଏ କଥା। ତାଙ୍କ ସମୟରେ ଗୁଜରାଟର ହାଜିରାରେ ଏକ ଷ୍ଟିଲ ପ୍ଲାଣ୍ଟ କରିଥିଲା ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ। ସେତେବେଳେ କହିଲେନି ଯେ ଓଡ଼ିଶାରୁ ଏହା ଗୁଜରାଟ ପଳାଇଲା ବୋଲି। ବଡ କଥା ହେଉଚି ବିଜୁ ଜନତା ଦଳ ସମୟରେ ଯେଉଁ ଶିଳ୍ପ ଫେରିଯାଇଥିଲେ ସେମାନେ ଏବେ ଫେରୁଛନ୍ତି ଓଡିଶାକୁ। ପୂର୍ବରୁ ମଧ୍ୟ JSW EV ଫେରି ଯାଉଛି ବୋଲି କହି ଲୋକଙ୍କୁ ଭ୍ରମିତ କରିଥିଲେ, ପରେ ସତ୍ୟତା ଜଣାପଡ଼ିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button