ଦେଶ ବିଦେଶ

କାର୍ତ୍ତିକ ମାସରେ ରାଜ୍ୟରେ ପନିପରିବା ଦର ଆକାଶଛୁଆଁ

ଧର୍ମ ମାସ କାର୍ତ୍ତିକରେ ରାଜ୍ୟରେ ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଛି। ବିଶେଷ କରି କଞ୍ଚା ପରିବା ଏବଂ ପିଆଜ ମୂଲ୍ୟ ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଛି। ଅଧିକାଂଶ ପନିପରିବାର ମୂଲ୍ୟ କିଲୋଗ୍ରାମ୍ ପିଛା ୬୦ ଟଙ୍କା ଅତିକ୍ରମ କରିଛି। ବଜାରରେ ଏବେ ପ୍ରାୟ ସବୁ ପରିବା ଦର ୬୦ ଉପରେ ରହିଛି ।

ଯାହାଦ୍ବାରା ରୋଷେଇଘରେ ସବୁଜ ପନିପରିବା ପାଇବା ଏବେ ସ୍ୱପ୍ନ ପାଲଟିଛି । ପରିବା ଦର ବୃଦ୍ଧି ହବିଷିଆଳୀଙ୍କ ହବିଷ ଡାଲମା ଉପରେ ମାଡ ସଦୃଶ ହୋଇଛି ।

କାର୍ତ୍ତିକ ମାସରେ ଅନେକ ଲୋକ ଆମିଷ ଖାଉନଥିବାରୁ ସବୁଜ ପନି ପରିବା ଉପରେ ନିର୍ଭର କରିଥାନ୍ତି ହେଲେ ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି । ରାଜଧାନୀରେ ଆଜି ଖୁଚୁରା ବଜାରରେ ଆଳୁ କିଲୋଗ୍ରାମ୍ ପିଛା ୩୦ ଟଙ୍କା, ଏବଂ ପିଆଜ ଦର ୬୦ ଟଙ୍କା ରହିଛି। ଖୁଚୁରା ବଜାରରେ ଅଦା କିଲୋଗ୍ରାମ୍ ପିଛା ୨୦୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ରସୁଣ କିଲୋଗ୍ରାମ୍ ପିଛା ୨୨୦ରୁ ୨୪୦ଟଙ୍କାରେ ବିକ୍ରି ହେଉଛି। ସେହିପରି ପୋଟଳ କିଲୋଗ୍ରାମ ପିଛା ୮୦ ଟଙ୍କା, କାଙ୍କଡ଼ କିଲୋଗ୍ରାମ ପିଛା ୬୦ରୁ ୮୦ ଟଙ୍କା, ଜହ୍ନି କିଲୋଗ୍ରାମ୍ ପିଛା ୪୦ରୁ ୬୦, ଭେଣ୍ଡି କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି।

ଏହା ସହିତ କଲରା କିଲୋଗ୍ରାମ୍ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି। ଏଣେ ବାଇଗଣ ଓ କାକୁଡ଼ି କିଲୋଗ୍ରାମ୍ ପିଛା ୬୦ ଟଙ୍କା, କଖାରୁ କିଲୋଗ୍ରାମ୍ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି। ଏଣେ ସାରୁ ଓ ବନ୍ଧାକୋବି କିଲୋଗ୍ରାମ୍ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଏକ କେଜି ବଦଳରେ ଅଧା କେଜି ପରିବା କିଣିବାକୁ ବାଧ୍ୟହେଉଛନ୍ତି ଲୋକେ । ତେବେ କାର୍ତ୍ତିକ ମାସ ମଝାମଝିରେ ଯଦି ରାଜ୍ୟରେ ଏଭଳି ସ୍ଥିତି ଦେଖା ଦେଇଛି ତେବେ ପଞ୍ଚୁକରେ ଅବସ୍ଥା କଣ ହେବ ତାହାକୁ ନେଇ ଏବେଠୁ ଗ୍ରାହକ ଚିନ୍ତାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button