ଦେଶ ବିଦେଶ

ଜୀବନରେ ହଜିବା, ଜିଇବା ଓ ବୁଝିବା

‘ଷାଠିଏ ବର୍ଷ ବୟସ ପରେ ଦପ୍ତରରେ ଥିବା ଉଚ୍ଚ ପଦ ଓ ନିମ୍ନ ପଦ ଦୁଇଟି ଯାକ ଏକା କଥା। କାରଣ, ଅବସର ପରେ ସେ ପ୍ରଭେଦ ମୂଲ୍ୟହୀନ ହୋଇଯାଏ। ସତୁରି ବର୍ଷ ବୟସ ପରେ ବଡ଼ ଘର ଓ ଛୋଟ ଘରର ଅର୍ଥ କିଛି ନ ଥାଏ। ଶରୀର ଅବଶ ହୁଏ। ଆଣ୍ଠୁ ଯନ୍ତ୍ରଣା ବଢ଼ିବାରେ ଲାଗେ। ଇନ୍ଦ୍ରିୟମାନେ ଶକ୍ତିହୀନ ହୁଅନ୍ତି। କେବଳ ବସିବା ପାଇଁ ଛୋଟିଆ ଜାଗା ଖଣ୍ଡେ ଦରକାର ହୁଏ।

ଅଶୀ ବର୍ଷ ବୟସ ପରେ ଅର୍ଥ ବା ଟଙ୍କା ପଇସା ବିଶେଷ ଆକର୍ଷଣୀୟ ମନେ ହୁଏନା। ଟଙ୍କା ଥିଲେ ସୁଦ୍ଧା ଆପଣ ନିଜ ଇଚ୍ଛାରେ ଖର୍ଚ୍ଚ କରିପାରନ୍ତି ନାହିଁ। ଜୀବନବ୍ୟାପୀ ଆହରଣ କରିଥିବା ଜ୍ଞାନ ବିସ୍ମୃତି ଗର୍ଭରେ ଲୀନ ହୁଏ। ନବେ ବର୍ଷ ବୟସ ପରେ ଶୋଇବା ଚେଇଁବା ଏକା କଥା ହୋଇଯାଏ।
ପାଞ୍ଚ ବର୍ଷ ତଳେ ସାମାଜିକ ଗଣମାଧ୍ୟମରେ ‘ଜୀବନର ରହସ୍ୟ’ ଶୀର୍ଷକରେ ଯାହା ପଢ଼ିଥିଲି, ଉପରର ଲେଖା ତାହାର ମର୍ମାର୍ଥ। ସେଇଥି ପାଇଁ ବୋଧହୁଏ କୁହାଯାଏ ଯେ ଅବସର ନେବା ପରେ ସରକାରୀ କର୍ମଚାରୀମାନଙ୍କର ପ୍ରଥମ ମୃତ୍ୟୁ ଘଟିଥାଏ। କିନ୍ତୁ, ସତ କହିଲେ, ଅବସର ପରେ ହିଁ ଆରମ୍ଭ ହୁଏ ଜୀବନର ପ୍ରକୃତ ପରୀକ୍ଷା। ଯିଏ ଏଥିରେ ଉତ୍ତୀର୍ଣ୍ଣ ହୁଏ, ସିଏ ଅନନ୍ଦ କିଛି ପାଏ ଓ ଜୀବନର ରହସ୍ୟକୁ ଉନ୍ମୋଚନ କରିପାରେ।
ଅବସର ପରେ କ୍ଷମତାର ଅହଂକାର ଅନେକାଂଶରେ ମରିଯାଏ। ତେଣୁ ପରର ହିତ ସାଧନ କରିବାକୁ ମନ ବଳିପାରେ। ସେହି ବାଟରେ ଯାଇ କ୍ଳାନ୍ତ ଗୋଧୂଳି ଭଳି ମନେ ହେଉଥିବା ଜୀବନକୁ ଅନେକ ପୁନର୍ବାର ଗଢ଼ି ତୋଳନ୍ତି ଏବଂ ତାହା ସେମାନଙ୍କୁ ଯାହା ଦିଏ, ତାହା ସେମାନଙ୍କର କର୍ମମୁଖର ଯୌବନ ବା ପ୍ରୌଢ଼ତ୍ବ ଦେଇ ନ ଥାଏ!
ସମୟ ଗଡ଼ିଚାଲେ, କିନ୍ତୁ କେମିତି ଗଡ଼ିଗଲା ଜାଣି ହୁଏନାହିଁ। ଉତ୍ତୀର୍ଣ୍ଣ ବାର୍ଦ୍ଧକ୍ୟରେ ପଛକୁ ଚାହିଁଲେ ବି ଜାଣି ହୁଏନାହିଁ, କେତେବେଳେ ଭଡ଼ା ଘରେ ଆରମ୍ଭ ହୋଇଥିବା ଜୀବନ ନିଜ ଘର ପର୍ଯ୍ୟନ୍ତ ଆସିଯାଇଛି, ପିଲା ଦିନେ ସାଇକେଲ ପେଡଲ୍ ମାରି ଥକି ଯାଉଥିବା ସମୟ କେତେବେଳେ ସରିଯାଇଛି! ସଫଳ ଯୌବନରେ କାର୍ରେ ବୁଲୁଥିବା ବେଳେ ସେ ସବୁ ମନେ ପଡ଼ିନାହିଁ; ଏବେ କିନ୍ତୁ ସ୍ପଷ୍ଟ-ଅସ୍ପଷ୍ଟ ଭାବେ ମନେ ପଡୁଛି ଅଶୀ ବର୍ଷ ବୟସରେ! କେତେବେଳେ ବାପାମାଆଙ୍କ ଦାୟିତ୍ୱରେ ଥିବା ଆମ ଛୁଆବେଳ ସରିଗଲା ଆଉ କେତେବେଳେ ଆମେ ନିଜ ଛୁଆଙ୍କ ଦାୟିତ୍ୱରେ ଆମେ ବ୍ୟସ୍ତ ହୋଇଗଲୁ ଜଣା ପଡ଼ିନାହିଁ, ପୁଣି ଛୁଆମାନଙ୍କ ପାଇଁ ପଇସା ସଞ୍ଚି ଅନେକ କିଛି ଯୋଜନା କରି ସ୍ବପ୍ନର ସୌଧ ଗଢ଼ି ଚାଲିଥିବା ବେଳେ କେତେବେଳେ ପିଲାମାନେ ଆମକୁ ଛାଡ଼ି ଦୂରକୁ ଚାଲିଗଲେ ଓ ସେମାନଙ୍କ ସଂସାର ଗଢ଼ିଲେ ଜଣା ପଡ଼ିନାହିଁ। ଦୁଇ ଆଙ୍ଗୁଠିର ଫାଙ୍କ ଦେଇ ବାଲି ଖସିଗଲା ପରି ସମୟ ଖସିଯାଏ।
ପରିଣତ ବୟସ ହେଲେ ବୁଝି ହୁଏ ଯେ ଆମେ କେବେ ହେଲେ ବୋଝ ମୁକ୍ତ ହୋଇ ପାରିଲୁ ନାହିଁ। ମୁଣ୍ଡ ଉପରେ ବୋଝ ତ ଆଉ କେତେବେଳେ ମୁଣ୍ଡ ଭିତରେ! କାମର, ଦୁଃଖର, ସମସ୍ୟାର, କହି ହେଉ ନ ଥିବା କଥାର, ସହି ହେଉ ନ ଥିବା ସଂପର୍କର, କୃତଜ୍ଞତାର, କୃତଘ୍ନତାର, ଗ୍ଳାନିର ଓ ପ୍ରତ୍ୟାଶାର: ଏମିତି କେତେକେତେ ବୋଝ! ସେତେବେଳେ ଯାଇ ହୃଦ୍ବୋଧ କରିହୁଏ, ସମୟ ବଦଳି ଯାଇଛି, ଆମ ପାଇଁ ଓ ସମସ୍ତଙ୍କ ପାଇଁ। ଦୁନିଆ ବି ବଦଳି ଯାଇଛି। ଏକୁଟିଆ ନିରବରେ ବସି ରାତିର ଖୋଲା ଆକାଶକୁ ଅନିଶା କଲେ ଦୀର୍ଘଶ୍ବାସ ବାହାରି ଆସେ; କାହିଁ ଚନ୍ଦ୍ର, ତାରା ଓ ନକ୍ଷତ୍ର, ସପ୍ତର୍ଷି ମଣ୍ଡଳର ପ୍ରଶ୍ନ ଚିହ୍ନ କିଛି ତ ବଦଳି ନାହିଁ! ତ ମଣିଷ ବଦଳି ଯାଏ କାହିଁକି?
ମୋର ମନେ ହୁଏ ଆମେ ସେହି ଶେଷ ପିଢ଼ିର ମଣିଷ ଯେଉଁମାନେ ଡିବିରି, ଲଣ୍ଠନ, ମିଞ୍ଜିମିଞ୍ଜି ଆଲୁଅରେ ପାଠ ପଢ଼ିଛେ; କୁଲର, ଏସି, ହିଟର୍ ବିନା ଖରାର ଗରମ ଓ ଶୀତର ଥଣ୍ଡାରେ ଆରାମରେ ଶୋଇଛେ, ସୋରିଷ, ନଡ଼ିଆ, ରାଶି କିମ୍ବା ଜଡ଼ା ତେଲ ମୁଣ୍ଡରେ ଲଗେଇ ଚିଟା କେଶରେ କାହିଁ କେତେ ଦୂର ଚାଲି ଚାଲି ସ୍କୁଲ ଯାଇଛେ, ବର୍ଷା ଦିନେ କଙ୍କି ପଛରେ ଧାଇଁ କାଦୁଅ ସାଲୁବାଲୁ ହୋଇଛେ, ଗଛ ଚଢ଼ି ଆମ୍ବ ଓ ଜାମୁ ତୋଳି ଖାଇଛେ, ରାତିରେ ଭୂତ ଗପ ଶୁଣି ଶୋଇଛେ। ଆଜିକାର ପିଲାମାନଙ୍କୁ କହିଲେ ଏ ସବୁ କଥା କୋଉ ବିସ୍ମୃତ ଯୁଗର କାହାଣୀ ଭଳି ଲାଗିବ।
ଅତୀତ ଫେରିବ ନାହିଁ ଧ୍ରୁବ ସତ୍ୟ, କିନ୍ତୁ ମନ ବାରମ୍ବାର ଅତୀତକୁ ଝୁରି ହେଉଥାଏ। ଧୂଳି ଓ ପବନ ସାଙ୍ଗେ ମିଳେଇ ଯାଇଥିବା ଜୀବନକୁ ମନେ ପକଉଥାଏ। ଏହି ସ୍ମୃତି ରୋମଂଥନ ବେଳେ ଶେଥା ଓଠରେ ହସ ଟିକେ ଫୁଟି ଉଠେ, ବୈରାଗ୍ୟର ବୃନ୍ଦାବନକୁ ହଠାତ୍ ଯେମିତି ଫେରିଆସେ ସଂସାର। ଊଷର, ଧୂସର ଭୂମି ଉପରକୁ ଓହ୍ଲେଇ ଆସେ ଚେନାଏ ସବୁଜିମା। ଆକାଶକୁ କୌଣସି ଦିନ ଛୁଇଁହେବ ନାହିଁ ବୋଲି ବରାବର କୁହାଯାଉଥିବା ସତ୍ତ୍ବେ ଜହ୍ନକୁ ଧରିବା ପାଇଁ ହାତ ବଢ଼ଉଥାଏ ଶୈଶବ। ବୁଝି ହେଉଥାଏ ଯେ ଜୀବନକୁ ବୁଝିବାର ଏକମାତ୍ର ଉପାୟ ହେଲା ଜୀବନକୁ ଜିଇବା।
ଅଶୀ ବର୍ଷ ବୟସରେ ଏହି ସତ୍ୟଟି ଆଜି ମୋ ଲାଗି ସର୍ବାଧିକ ପ୍ରଗାଢ଼ ହୋଇ ଉଠିଛି।
ସଭାପତି, ମହାନଦୀ ବିହାର ବରିଷ୍ଠ ନାଗରିକ ମଞ୍ଚ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button