ଟ୍ରୁଡୋଙ୍କ ହାତରୁ କ୍ଷମତା ଯିବ: ଏଲନ ମସ୍କ

ୱାସିଂଟନ: ଟେସଲା ସିଇଓ ଏଲନ ମସ୍କ ଆକଳନ କରିଛନ୍ତି ଯେ ପରବର୍ତ୍ତୀ କାନାଡା ନିର୍ବାଚନରେ ଜଷ୍ଟିନ ଟ୍ରୁଡୋ କ୍ଷମତାରୁ ଯିବା ନିଶ୍ଚିତ। ଏକ୍ସରେ ଏକ ପୋଷ୍ଟ୍ କରି ମସ୍କ ଲେଖିଛନ୍ତି, ‘ଆସନ୍ତା ନିର୍ବାଚନରେ ଟ୍ରୁଡୋ ଆଉ ରହିବେନି’। ମସ୍କଙ୍କ ଏହି ଭବିଷ୍ୟବାଣୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଟ୍ରୁଡୋଙ୍କୁ ହଟାଇବାପାଇଁ ଜଣେ ୟୁଜର ମସ୍କଙ୍କ ଉଦ୍ଦେଶ୍ୟରେ ପୋଷ୍ଟ୍ କରିଥିବା ବେଳେ ମସ୍କ ଏଭଳି ଟ୍ବିଟ୍ କରିଛନ୍ତି।
ଟ୍ରୁଡୋ ଏବେ ପିଅରେ ପଲିଭରେଙ୍କ କଂଜର୍ବେଟିଭ୍ ପାର୍ଟି ଏବଂ ଜଗମିନ ସିଂହଙ୍କ ନ୍ୟୁ ଡିମୋକ୍ରାଟିକ୍ ପାର୍ଟିଠାରୁ ନିର୍ବାଚନୀ ଚ୍ୟାଲେଞ୍ଜ ସାମ୍ନା କରିବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ମସ୍କଙ୍କ ମନ୍ତବ୍ୟ କାନାଡା ରାଜନୀତିକୁ ସରଗରମ କରିଛି। ଟ୍ରୁଡୋ ସରକାର ବର୍ତ୍ତମାନ ସଂଖ୍ୟାଲଘୁ ସରକାର ସ୍ଥିତିରେ ଥିବାବେଳେ ସେ ପରବର୍ତ୍ତୀ ନିର୍ବାଚନ ହାରିଯିବେ ବୋଲି ଆଶଙ୍କା କରାଯାଉଛି। ଉଲ୍ଲେଖଯୋଗ୍ୟ, ବାକ୍ ସ୍ବାଧୀନତା ପ୍ରସଙ୍ଗରେ କାନାଡା ସରକାରଙ୍କ କାର୍ଯ୍ୟକୁ ମସ୍କ ପୂର୍ବରୁ କଡ଼ା ସମାଲୋଚନା କରିଥିଲେ। ଡୋନାଲ୍ଡ ଟ୍ରମ୍ପ୍ ପୁଣିଥରେ ଆମେରିକା ରାଷ୍ଟ୍ରପତି ଭାବେ ଫେରିବା ମଧ୍ୟ ଟ୍ରୁଡୋ ପ୍ରଶାସନ ପାଇଁ ଅତିରିକ୍ତ ଚ୍ୟାଲେଞ୍ଜ ଆଣିଛି। କାନାଡାର ଅର୍ଥନୀତି ମୁଖ୍ୟତଃ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।