ତୀର୍ଥଯାତ୍ରୀ ବସକୁ ପଛରୁ ପିଟିଲା କଣ୍ଟେନର, ୧୦ରୁ ଅଧିକ ଆହତ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ହୋଇଛି ସିରିଜ ଦୁର୍ଘଟଣା । ଏଥିରେ ୧୧ ଜଣ ଆହତ ହୋଇଛନ୍ତି । ୯ ଜଣଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ବେଳେ ୨ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଆଜି ଭୋର ପ୍ରାୟ ୪ଟାରେ ଘଟିଛି ଏହି ସିରିଜ ଦୁର୍ଘଟଣା । ଟାଟାରୂ ଭୁବନେଶ୍ୱର ଓ ପୁରୀ ଯାଉଥିବା ଗୋଟିଏ ଯାତ୍ରୀବାହୀ ବସ ପଛ ଚକା ଛତାବର ନିକଟରେ ପମ୍ପଚର ହେବା ଛିଡ଼ା ହୋଇଥିଲା । ଏତିକିବେଳେ ପଛରୁ ଗୋଟିଏ ବାଲି ବୋଝେଇ ଟ୍ରକ ପ୍ରଥମେ ବସଟିକୁ ଧକ୍କା ଦେଇଥିଲା । ଏହାର କିଛି କ୍ଷଣ ପରେ ପୁଣି ଏକ କଣ୍ଟେନର ବସ ଟିକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଆହତ ହୋଇଥିଲେ ।
ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଂଚି ତୁରନ୍ତ ବସ ମଧ୍ୟରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । ତେବେ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ବେଳେ ଅନ୍ୟ ୯ ଜଣଙ୍କ ଚିକିତ୍ସା ଭଦ୍ରକ ଜିଲ୍ଲା ହସ୍ପିଟାଲ ରେ କରାଯାଉଛି । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଭଣ୍ଡାରିପୋଖରୀ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଜାତୀୟ ରାଜପଥରୁ ଦୁର୍ଘଟଣାଗ୍ରସ୍ତ ୩ଟି ଗାଡିକୁ ସାଇଡ କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।