ପୁଣି ଟ୍ୱିଟର କର୍ମଚାରୀଙ୍କୁ ଝଟକା, ନୂଆ ଆଦେଶ ଦେଲେ ଏଲନ ମସ୍କ
ନୂଆଦିଲ୍ଲୀ: ଏଲନ ମସ୍କ ପୁଣି ଥରେ ଟ୍ୱିଟର କର୍ମଚାରୀଙ୍କୁ ଇ-ମେଲ କରିଛନ୍ତି। ଏଥର ମେଲରେ ମସ୍କ ଟ୍ୱିଟରର କର୍ମଚାରୀ ରହିବା ପାଇଁ ଗୁରୁବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଯେଉଁ କର୍ମଚାରୀମାନେ ଟ୍ୱିଟର ସହିତ ରହିବାକୁ ଚାହୁଁଛନ୍ତି ସେମାନେ ହଁ କିମ୍ବା ନାହିଁ କହିବେ । ଟ୍ୱିଟରର ନୂଆ ମାଲିକ କର୍ମଚାରୀଙ୍କୁ ପଠାଇଥିବା ଇ-ମେଲରେ କର୍ମଚାରୀଙ୍କୁ ଏକ ସଫଳ ଟ୍ୱିଟର ୨.୦ ଲାଗି କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଉଲ୍ଲେଖ କରିଛନ୍ତି ।
ଟ୍ୱିଟରକୁ ସଫଳ କରିବା ପାଇଁ କର୍ମଚାରୀଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ମସ୍କ ମେଲରେ ଉଲ୍ଲେଖ କରିଥିବା ବେଳେ ଆଗକୁ ଟ୍ୱିଟର ଅଧିକତର ଇଞ୍ଜିନିୟରିଂରେ ଚାଲିବ ଓ ଅଧିକାଂଶ କର୍ମଚାରୀଙ୍କୁ କୋଡିଂ କାମ କରିବାକୁ ପଡିବ ବୋଲି ଉଲ୍ଲେଖ କରିଛନ୍ତି । ବିଲିୟେନୟର ଉଦ୍ୟୋଗପତି ଏଲନ ମସ୍କ ଅକ୍ଟୋବର ଶେଷ ସପ୍ତାହରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣି ନେଇଥିଲେ । ଟ୍ୱିଟରକୁ ହାତକୁ ନେବା ପରେ ମସ୍କ ଅଧିକାଂଶ କର୍ମଚାରୀଙ୍କୁ କମ୍ପାନୀରୁ ବାହାରକୁ ରାସ୍ତା ଦେଖାଇ ସାରିଲେଣି ।
ଏବେ ମସ୍କ କଣ୍ଟ୍ରାକ୍ଟରେ କାମ କରୁଥିବା କର୍ମଚାରୀଙ୍କୁ ବାହାର କରିବାକୁ ଯୋଜନା କରୁଛନ୍ତି। ତେବେ ମସ୍କ ତାଙ୍କ ମେଲରେ କର୍ମଚାରୀଙ୍କୁ ନୂଆ ଟ୍ୱିଟରର ଅଂଶ ହେବେ କି ନା ବୋଲି ପ୍ରଶ୍ନ କରିଛନ୍ତି । ଯଦି କର୍ମଚାରୀ କମ୍ପାନୀର ଅଂଶବିଶେଷ ହୋଇ ରହିବାକୁ ଚାହାଁନ୍ତି ମେଲରେ ଦିଆଯାଇଥିବା ଲିଙ୍କରେ ‘ଇୟେସ’ ଭାବେ କ୍ଲିକ୍ କରନ୍ତୁ ବୋଲି କହିଛନ୍ତି । ଯେଉଁମାନେ ମେଲ ଲିଙ୍କରେ କ୍ଲିକ୍ କରିବେନି ସେମାନଙ୍କୁ ଚାକିରୀ ଛାଡିବା ନିମନ୍ତେ ୩ ମାସ ସମୟ ଦିଆଯିବ ବୋଲି କହିଛନ୍ତି । ଏଥିଲାଗି କର୍ମଚାରୀଙ୍କ ହାତରେ ଗୁରୁବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ରହିଛି। ଏଥିରେ ମସ୍କ ଉଲ୍ଲେଖ କରିଛନ୍ତି ଯେ ଆପଣ ଯାହାବି ନିଷ୍ପତ୍ତି ନେବେ ଟ୍ୱିଟରକୁ ସଫଳ କରିବା ଲାଗି ଆପଣଙ୍କ ଉଦ୍ୟମ ନିମନ୍ତେ ଧନ୍ୟବାଦ । ଏହା ପୂର୍ବରୁ ମସ୍କ ମେଲ କରି କର୍ମଚାରୀଙ୍କୁ ସପ୍ତାହକୁ ୪୦ ଘଣ୍ଟା କାମ କରିବା ଲାଗି କହିଥିଲେ।