ଦେଶ ବିଦେଶ

କ୍ବେଟା ରେଳ ଷ୍ଟେସନ୍‌ରେ ଆତ୍ମଘାତୀ ବିସ୍ଫୋରଣ: ୧୪ ସୈନିକଙ୍କ ସମେତ ୨୬ ମୃତ

ଇସଲାମାବାଦ: ପାକିସ୍ତାନର ଦକ୍ଷିଣପଶ୍ଚିମ ବଲୁଚିସ୍ତାନ ପ୍ରଦେଶରେ ଆଜି କ୍ବେଟା ରେଳ ଷ୍ଟେସନ୍ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ୧୪ ସୈନିକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କ୍ବେଟାରୁ ପେଶାୱାର ଅଭିମୁଖେ ଏକ ଟ୍ରେନ୍ ଛାଡ଼ିବାର କିଛି ସମୟ ପୂର୍ବରୁ ପାକ୍ ସୈନିକଙ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ ହୋଇଥିଲା।

ବିଏଲ୍ଏ (ବଲୋଚ ଲିବରେସନ୍ ଆର୍ମି) ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଜଣେ ଆତ୍ମଘାତୀ ଆକ୍ରମଣକାରୀ ଏହି ବିସ୍ଫୋରଣ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରେଳ ଷ୍ଟେସନ୍ର ବୁକିଂ ଅଫିସ୍ ନିକଟରେ କିଛି ସୈନିକ ଓ ଅନ୍ୟ ସାଧାରଣ ଯାତ୍ରୀ ସମବେତ ହୋଇଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା।

୫୦ରୁ ଅଧିକ ଆହତ
ଆକ୍ରମଣ ପଛରେ ବଲୋଚ ଲିବରେସନ୍ ଆର୍ମି

କ୍ବେଟାରୁ ଜାଫର ଏକ୍ସପ୍ରେସ୍ ଟ୍ରେନ୍ ଛାଡ଼ିବାର କିଛି ମିନିଟ୍ ପୂର୍ବରୁ ଜଣେ ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିଲା। ବଲୋଚ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିପାରେ। ବିସ୍ଫୋରଣ ସମୟରେ ଶତାଧିକ ଲୋକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିସ୍ଫୋରଣରେ ପ୍ଲାଟଫର୍ମର ଛାତ ମଧ୍ୟ ଉଡ଼ିଯାଇଛି। ଆହତମାନଙ୍କୁ କ୍ବେଟା ସିଭିଲ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍ରେ ଇମର୍ଜେନ୍ସି ଘୋଷଣା ହୋଇଛି ଏବଂ ଅତିରିକ୍ତ ମେଡିକାଲ ଷ୍ଟାଫ୍ଙ୍କୁ ଅଣାଯାଇଛି। ବିସ୍ଫୋରଣର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button