‘ମାଣବସାରେ ମା ଲକ୍ଷ୍ମୀଙ୍କୁ ଲାଗି ହେଉ ମାଣ୍ଡିଆ ଭୋଗ’

ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନରେ ମାଣ୍ଡିଆକୁ ସାମିଲ କରାଯାଇଛି। ଏହାର ପୁଷ୍ଟିସାଧନ ଓ ପୋଷକତତ୍ତ୍ବକୁ ଦୃଷ୍ଟିରେ ରଖି ଏହାକୁ ଲୋକମାନଙ୍କ ଦୈନନ୍ଦିନ ଖାଦ୍ୟଥାଳୀରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି। ଏଥିସହିତ ମାର୍ଗଶୀର ମାସ ପ୍ରତି ଗୁରୁବାର ମାଣବସା ପୂଜାରେ ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ମାଣ୍ଡିରୁ ପ୍ରସ୍ତୁତ ପିଠା, ଖେଚୁଡି, ଖିରି ଆଦି ଭୋଗ ଲଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସମସ୍ତ ମା’ ମାନଙ୍କୁ ଅନୁରୋଧ କରିଛନ୍ତି।
ରାଜ୍ୟରେ ମିଲେଟ (ମାଣ୍ଡିଆ) ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବ୍ରେ ପରିଣତ କରାଯିବ। ଏଥିପାଇଁ ଚଳିତ ବର୍ଷ ବଜେଟରେ ୬୪୯କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ରବିବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମଧ୍ୟାହ୍ନଭୋଜନରେ ମାଣ୍ଡିଆକୁ ସାମିଲ କରାଯାଇଛି। ପୁଷ୍ଟିଶସ୍ୟ ଓ ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଆମ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡ଼ତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ‘ଶ୍ରୀଅନ୍ନ’ ନାମିତ କରିଛନ୍ତି। ପୁଷ୍ଟିଶସ୍ୟ ବା ଶ୍ରୀଅନ୍ନ ଜାତୀୟ ଫସଲ ଆମ ରାଜ୍ୟ କୃଷିର ଏକ ଅଭିନ୍ନ ଅଂଶ। ଜଳବାୟୁ ସହିଷ୍ଣୁତା ଗୁଣ ସହ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଗୁଡିକ ପୁଷ୍ଟି ଏବଂ ଖାଦ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଅବିଭକ୍ତ କୋରାପୁଟ ଜିଲାରୁ ଆରମ୍ଭ ହୋଇଥିବା ଏହି ଶ୍ରୀଅନ୍ନ ଚାଷ ଆଜି ସାରା ଦେଶରେ ଏକ ବିପ୍ଳବର ରୂପ ନେଇଛି। ଓଡ଼ିଶାରେ ପ୍ରାୟ ୧୭୭ ବ୍ଲକରେ ଏହି ଚାଷକୁ ସମ୍ପ୍ରସାରଣ କରାଯାଇଛି। ଭାରତରେ ପ୍ରାୟ ୧୪ ପ୍ରକାର ପୁଷ୍ଟିଶସ୍ୟ ଶ୍ରୀଅନ୍ନ ମାନ୍ୟତା ପାଇଛି। ସେଥିମଧ୍ୟରୁ ବାଜରା, ଜୱାର, ମାଣ୍ଡିଆ ସବୁଠାରୁ ଅଧିକ ଆଦୃତ। ଓଡ଼ିଶାରେ ମାଣ୍ଡିଆ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା ବେଳେ ସୁଆଁ, କାଙ୍ଗୁ, କୋଦ, ଜହ୍ନା ପରି ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଫସଲ ମଧ୍ୟ ବହୁଳ ଚାଷ କରାଯାଉଛି।
ବର୍ତ୍ତମାନ ସରକାର ଶ୍ରୀଅନ୍ନର ଅଧିକ ଉତ୍ପାଦନ ପାଇଁ ଚାଷୀଙ୍କୁ ଆବଶ୍ୟକୀୟ ସହାୟତା ଦେଉଛନ୍ତି। ଆମକୁ ଏହାକୁ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପଡିବ। ମାଣ୍ଡିଆକୁ ସ୍ୱାଦିଷ୍ଟ କରିବା ପାଇଁ ନୂଆ ବ୍ୟଞ୍ଜନ ଓ ନୂଆ ବ୍ୟଞ୍ଜନ ଶୈଳୀକୁ ଘରେ ଘରେ ପହଞ୍ଚାଇବା ପାଇଁ ଫୁଡ୍ ବ୍ଲଗରମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ମାଣ୍ଡିଆ ଚାଷକୁ ମହିଳା ଚାଷୀମାନେ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ଓଡ଼ିଶା ମାଣ୍ଡିଆ ଆନ୍ଦୋଳନର ଦୁଇ ପ୍ରମୁଖ ମହିଳା ଚାଷୀ ହେଉଛନ୍ତି, କୋରାପୁଟ ଜିଲାର ରାଇମତୀ ଘୁରିଆ ଏବଂ ମୟୂରଭଞ୍ଜ ଜିଲାର ସୁବାଷା ମହନ୍ତ। ସେମାନେ ନିଜ ନିଜ ପ୍ରଚେଷ୍ଟାରେ ଏହାର ଅଭିବୃଦ୍ଧି ସହିତ ମାଣ୍ଡିଆ କିପରି ଏକ ଚାଷୀର ଆର୍ଥିକ ଅବସ୍ଥାକୁ ବଦଳେଇ ଦେଇପାରେ ତାକୁ ପ୍ରମାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦୁଇ ମହିଳାଙ୍କୁ ଜି-୨୦ ସମ୍ମିଳନୀରେ ଶ୍ରୀଅନ୍ନ ଚାଷର ବ୍ରାଣ୍ଡ ଆମ୍ବାସଡର କରିଥିଲେ। ପୋଷକତତ୍ତ୍ୱରେ ଭରପୁର ଏହି ବିଲୁପ୍ତପ୍ରାୟ ଖାଦ୍ୟର ପୁନରୁଦ୍ଧାର ଦିଗରେ ଆମ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଥିଲେ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିସ୍ମୃତ ଶସ୍ୟର ଉତ୍ପାଦନ କରି ଏହାକୁ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି। ଆମେ ଖାଉଥିବା ଖାଦ୍ୟଠାରୁ ଏହା ଅଧିକ ପୋଷକ ଓ ଭିଟାମିନଯୁକ୍ତ। ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ମିଲେଟ ଜାତୀୟ ଶସ୍ୟର ପୁନରୁଦ୍ଧାର ହୋଇଛି। ଆମ ସମସ୍ତଙ୍କୁ ଏହି ପୋଷକଯୁକ୍ତ ଖାଦ୍ୟକୁ ଆମ ଖାଦ୍ୟ ଶୃଙ୍ଖଳାରେ ସାମିଲ କରିବାକୁ ପଡିବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ବିବିଧକରଣର ଆବଶ୍ୟକତା ବଢିଛି। ଶ୍ରୀଅନ୍ନକୁ ଭବିଷ୍ୟତର ଖାଦ୍ୟ ରୂପେ ଉଲ୍ଲେଖ କରି ଆଗାମୀ ଦିନରେ ଏହାର ବହୁଳ ବ୍ୟବହାର ଦୃଷ୍ଟିରୁ ପାରମ୍ପରିକ ପଦ୍ଧତି ସହ ବୈଜ୍ଞାନିକ ଜ୍ଞାନକୌଶଳ ଉପଯୋଗ କରିବା ଆବଶ୍ୟକ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ତଥା ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଅଧ୍ୟକ୍ଷ ଡ. ସୌମ୍ୟା ସ୍ୱାମୀନାଥନ କହିଥିଲେ ଯେ, ବିସ୍ମୃତ ଏବଂ କ୍ଷୁଦ୍ର ଶସ୍ୟ ପୁନରୁଦ୍ଧାର ପାଇଁ ଏହି ସମ୍ମିଳନୀ ଏକ ସମୟପଯୋଗୀ ପଦକ୍ଷେପ। ଓଡ଼ିଶାରେ ବିବିଧ ଖାଦ୍ୟ ରୁଚି ରହିଛି। ଯାହାର ଉଦାହରଣ ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଛପନଭୋଗ। ବିଶ୍ୱ ଖାଦ୍ୟ ଏବଂ କୃଷି ସଙ୍ଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଦେଶର ଦୁଇଟି କୃଷି ଐତିହ୍ୟସ୍ଥଳ ମଧ୍ୟରେ ଓଡ଼ିଶାର କୋରାପୁଟ ସ୍ଥାନିତ ହୋଇଛି। ନୀତି ଆୟୋଗ ସଦସ୍ୟ ପ୍ରଫେସର ରମେଶ ଚାନ୍ଦ କହିଥିଲେ ଯେ, ସବୁଜ ବିପ୍ଳବ ଆସିବା ଦ୍ୱାରା ସାରା ବିଶ୍ୱରେ ଖାଦ୍ୟ ପଦାର୍ଥ ଉପରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଜୈବିକ କୃଷିକୁ ପ୍ରାଧାନ୍ୟ ଦିଆଯାଉଛି। ମିଲେଟର ଅଭିବୃଦ୍ଧି ପାଇଁ ଯାହାସବୁ ଆବଶ୍ୟକ ଓଡ଼ିଶାରେ ତାହା ରହିଛି। ଆମକୁ ଏହି ଚାଷକୁ ଆଗେଇ ନେବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହେବା ସହିତ ମିଲେଟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା କୋରାପୁଟ, ସୁନ୍ଦରଗଡ ଏବଂ ରାୟଗଡା ଜିଲାପାଳଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଶ୍ରେଷ୍ଠ ମାଣ୍ଡିଆ ଚାଷୀ ଭାବେ କଳାହାଣ୍ଡିର ସୀତାରାମ କରକର୍ଲା, ଗଜପତିର ସାରଙ୍ଗ ସବର, ବଲାଙ୍ଗିରର ଗୋଲାପ ବିଶି, ଶ୍ରେଷ୍ଠ ସଂରକ୍ଷକ ଭାବେ ନୂଆପଡାର ଲିଳାମ୍ବର ମାଝୀ, ସୁନ୍ଦରଗଡର ଜାକ୍ରିଆସ କଣ୍ଡୁଲନା ଓ ସମ୍ବଲପୁରର ଦେବବ୍ରତ ପ୍ରଧାନ, ଶ୍ରେଷ୍ଠ ବିସ୍ମୃତ ଖାଦ୍ୟ ଚାମ୍ପିଅନ ଭାବେ କଳାହାଣ୍ଡିର କୌଶଲ୍ୟା ଗୌଡ, ବରଗଡର ରେଣୁକା ଦଂଶନ, ମୟୂରଭଞ୍ଜର ମଞ୍ଜୁଲତା ମହନ୍ତ ଏବଂ ସ୍ବତନ୍ତ୍ର ପୁରସ୍କାର ଭାବେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଲୁପ୍ତ ପ୍ରାୟ ଖାଦ୍ୟ ଶସ୍ୟ ଓ ବିଭିନ୍ନ ପ୍ରକାର ପୁଷ୍ଟି ଶସ୍ୟ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଦେଇଥିଲେ।