ଓଡିଶା

ଜଣେ ବରିଷ୍ଠ ନାଗରିକଙ୍କ ଜୀବନ ଗଲା, ନିଜେ ଷଣ୍ଢ ବି ମଲା

ଟକ : କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖି ଗଲାଣି । ଘରୁ ଚାଲି ଗଲେ ଜଣେ ମଣିଷ । ଜୀବନ ନେଇଗଲା ବୁଲା ଷଣ୍ଢ । ଏଭଳି ଏକ ଘଟଣା ସମଗ୍ର କଟକ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ହେଉଛନ୍ତି କଟକ ବିଡାନାସୀ ଅଞ୍ଚଳର ଅକ୍ଷୟ ବେହେରାଙ୍କ ପରିବାର ବର୍ଗ । ଯାହାଙ୍କର ସୋମବାର ଦିନ ଷଣ୍ଢ ଆକ୍ରମଣରେ ଜୀବନ ଚାଲିଯାଇଛି । ୬୦ ବର୍ଷରୁ ଅଧିକ ବୟସ ହୋଇଥିଲା ଅକ୍ଷୟ ବେହେରାଙ୍କୁ ।

ସବୁ ଦିନ ପରି ଗତକାଲି ମଧ୍ୟ ଭୂଆସୁଣୀ ପୀଠ ନିକଟ ନଦୀ ପଠାକୁ ଯାଇଥିଲେ । ପଡିଆ ଭିତରେ କିଛି ବୁଝିବା ଆଗରୁ ହଠାତ୍ ଆକ୍ରମଣ କରିଥିଲା ଏହି ମାରଣା ଷଣ୍ଢଟି । ଆଉ ଦେଖୁ ଦେଖୁ ସେହିଠାରେ ହିଁ ଚାଲିଯାଇଥିଲା ତାଙ୍କ ଜୀବନ।

ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସସିବି ପଠାଇଥିଲା ବିଡାନାସୀ ଥାନା ପୋଲିସ୍ । ଏପଟେ କଟକ ମହାନଗର ନିଗମ ସ୍ଵାର୍ଡ ଆସି ଷଣ୍ଢଟିକୁ କାବୁ କରିଥିଲା କିନ୍ତୁ, କିଛି ସମୟ ପରେ ଷଣ୍ଢଟିର ମଧ୍ୟ ଜୀବନ ଚାଲିଯାଇଥିବା ଖବର ମିଳିଛି ।ତେବେ ଏହି ପୁରା ଘଟଣା ପଛରେ ଔଷଧ କମ୍ପାନୀ ଗୁଡ଼ିକର କର୍ମଚାରୀ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ନଦୀ ପଠାରେ ଗଦା ଗଦା ଏକ୍ସପାୟରୀ ମେଡ଼ିସିନ୍ ଆଣି ଫିଙ୍ଗି ଦିଆଯାଉଛି ଏବଂ ଏହାକୁ ବୁଲା ଗାଈ ଗୋରୁ, ଷଣ୍ଢ ଖାଇ ଅସୁସ୍ଥ ହେବା ସହ ପାଗଳ ହୋଇଯାଉଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ବିଗତ କିଛି ଦିନ ଧରି ଏହି ଅଞ୍ଚଳରେ ବୁଲୁଥିବା ଦୁଇଟି ଷଣ୍ଢଙ୍କର ଆଚରଣରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । କିଛି ଦିନ ଭିତରେ ୧୦ ପାଖାପାଖି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲେ ଏହି ଷଣ୍ଢ । ତେବେ ଦୁଇଟି ଷଣ୍ଢରୁ ଜଣଙ୍କର ମୃତ୍ୟୁ ପରେ ତାକୁ ନଦୀ ପଠାରେ ହିଁ ପୋତି ଦିଆଯାଇଥିଲା । ଆଉ ଗୋଟିଏ ଷଣ୍ଢ ଏବେବି ବୁଲୁଛି ଅସୁସ୍ଥ ଓ ଅଶାନ୍ତ ଅବସ୍ଥାରେ ।

ଏପଟେ ଏକ୍ସପାୟରୀ ମେଡିସିନ୍ ଖାଇ ଷଣ୍ଢଟି ହଠାତ୍ ହିଂସ୍ର ହୋଇ ପଡ଼ିବା କଥାକୁ ଅସ୍ୱୀକାର କରିଛନ୍ତି ସିଏମସି ମେୟର । ଷଣ୍ଢଟି ପାଗଳ ହୋଇଯାଉଥିଲା ବୋଲି କହିଛନ୍ତି ମେୟର । ଏପଟେ ନଦୀ ପଠାରେ ଆଣି ଔଷଧ ପକାଇବା ବେଆଇନ । ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମେୟର । ବୁଲା ଗୋରୁ ଷଣ୍ଢ ଆଦି ପଶୁଙ୍କ ପାଇଁ ଆଗାମୀ ଦିନରେ ପଶୁ ପାଳନ ବିଭାଗ ସହିତ ମିଶି କଟକ ମହାନଗର ନିଗମ ଏକ ବଡ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି ବୋଲି ମେୟର କହିଛନ୍ତି । ଯଦି ଏକ୍ସପାୟରୀ ଔଷଧ ପ୍ରଭାବରେ ଷଣ୍ଢଟିର ଅବସ୍ଥା ଏପରି ହୋଇଥାଏ ତେବେ ଏହା ସାଙ୍ଘାତିକ । ତେବେ ଏହି ନଦୀ ପଠା ବା ନଦୀଶଯ୍ୟାକୁ ଏବେ ଡମ୍ପୟାର୍ଡ ଭାବି ସାରିଲେଣି ବିଭିନ୍ନ ଔଷଧ କମ୍ପାନୀ । ଏଥିପ୍ରତି ଧ୍ୟାନ ଦେବା ନିହାତୀ ଜରୁରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button