ଦେଶ ବିଦେଶ

ସୁଧ କମାଇବାକୁ ଚାପ କୌଶଳ: ସୁଧ ନିର୍ଧାରଣରେ ତ୍ରୁଟି କାଢ଼ିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହୋଇପଡ଼ିଥିବା ଦରଦାମ୍ ଉପରେ ଲଗାମ କଷିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିଆରେ କାମ ହାସଲ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ସ୍ଥିତି ଅସମ୍ଭାଳ ହୋଇପଡ଼ିବାରୁ ଚାପ କୌଶଳକୁ ଆପଣାଇଛନ୍ତି ସରକାର। ଦୀର୍ଘଦିନ ପରେ ପ୍ରଥମ ଥର ପାଇଁ ଜଣେ ମନ୍ତ୍ରୀ ସୁଧ କମ୍ କରିବା ଲାଗି ରିଜର୍ଭ ବ୍ୟାଙ୍କକୁ ଆହ୍ବାନ ଦେଇଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ କମ୍ କରିବା ଉଚିତ ବୋଲି କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ସୁଧ ନିର୍ଧାରଣରେ ବେଳେ ଖାଦ୍ୟ ଦରଦାମ୍କୁ ଦିଆଯାଉଥିବା ଗୁରୁତ୍ବରେ ତ୍ରୁଟିଥିବା ସେ କହିଛନ୍ତି। କିନ୍ତୁ ସେ ଏକଥା ସ୍ପଷ୍ଟ କରିଛନ୍ତି ଏହା ହେଉଛି ତାଙ୍କ ବ୍ୟକ୍ତିଗତ ମତ। ଏଥିରେ ସରକାରଙ୍କ କୌଣସି ଭୂମିକା ନାହିଁ। ଗତବର୍ଷ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମଧ୍ୟ ଏହି ଧରଣର ପ୍ରସ୍ତାବ ରଖିଥିଲେ। ଗୋୟଲ ଏଭଳି ଏକ ସମୟରେ ସୁଧ କମ୍ କରିବା ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ଯେତେବେଳେ ଦେଶର ଉଭୟ ଖୁଚୁରା ଓ ପାଇକାରୀ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଛି। ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬ ପ୍ରତିଶତ ସର୍ବୋଚ୍ଚ ସୀମା ଅତିକ୍ରମ କରି ୬.୨୧ ପ୍ରତିଶତ ହୋଇଯାଇଛି। ଦରଦାମ୍ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ରିଜର୍ଭ ବ୍ୟାଙ୍କ ପାଖରେ ଥିବା ସବୁଠୁ ବଡ଼ ଅସ୍ତ୍ର ହେଉଛି ସୁଧ। ଯଦି ତାହା ହୁଗୁଳା ହୋଇଯିବ ତେବେ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। କିନ୍ତୁ ଦୀର୍ଘଦିନ ସୁଧ ହାର ଉଚ୍ଚା ରହିବା ସରକାରଙ୍କ ଲାଗି ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। କାରଣ ଅର୍ଥନୀତିର ଗତି ମନ୍ଥର ହୋଇଛି। ଯେଉଁ ଗତିରେ ତାହା ଦୌଡ଼ିବା କଥା ତାହା ସମ୍ଭବ ହେଉନାହିଁ।

ସୁଧ ନିର୍ଧାରଣରେ ତ୍ରୁଟି କାଢ଼ିଲେ ମନ୍ତ୍ରୀ
ଖାଦ୍ୟ ମୁଦ୍ରାସ୍ଫୀତି ଗୁରୁତ୍ବ ପାଉଥିବାରୁ ବିଗିଡ଼ିଲେ

ସେଥିପାଇଁ ସୁଧ କମ୍ କରିବା ନିମନ୍ତେ ଦେଶରେ ଏକ ବାତାବରଣ ସୃଷ୍ଟି କରିବା ଲାଗି ଗୋୟଲ୍ ଏଭଳି ମନ୍ତବ୍ୟ ଦେଇଥାଇପାରନ୍ତି ବୋଲି କୁହାଯାଇପାରିବ। ଦରଦାମ୍ ବିରୋଧ ଲଢ଼େଇରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ ଅଟଳ ରହିଛନ୍ତି। ମୁଦ୍ରାସ୍ପୀତି ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ସୁଧ କମାଇବାକୁ ସେ ଚାହୁନାହାନ୍ତି। ଗତ ଅକ୍ଟୋବରରେ ହୋଇଥିବା ମୁଦ୍ରାନୀତି ସମୀକ୍ଷା ବେଳେ ସୁଧ ହ୍ରାସ ଉପରେ ବିଚାର କରାଯାଇପାରେ ବୋଲି ସେ ସଙ୍କେତ ଦେଇଥିଲେ। ମାତ୍ର ସେହି ମାସର ମୁଦ୍ରାସ୍ଫୀତି ସବୁ ଯୋଜନାକୁ ବିଗାଡ଼ି ଦେଇଛି। ଦରଦାମ୍ ଲଗାତାର ଭାବେ ଉଚ୍ଚା ରହୁଥିବାରୁ ମଧ୍ୟବିତ୍ତ ପରିବାରର ବଜେଟ୍ ବିଗିଡ଼ି ଯାଇଛି। ଆମେରିକା ଓ ୟୁରୋପରେ ସୁଧ କମିବା ପରେ ଭାରତରେ ମଧ୍ୟ ସୁଧ କମିବ ବୋଲି ଯେଉଁ ଆଶା ଜାଗ୍ରତ ହୋଇଥିଲା ତାହା ଆଶାରେ ରହିଯିବ ବୋଲି ମନେ ହେଉଛି। ଅଭିବୃଦ୍ଧି ତ୍ବରାନ୍ବିତ କରିବା ଲାଗି ସୁଧ କମ୍ କରିବାକୁ ରିଜର୍ଭ ବ୍ୟାଙ୍କ ଉପରେ ସରକାର ଚାପ ପକାଇବା କିଛି ନୂଆ କଥା ନୁହେଁ। ଅତୀତରେ ଅନେକ ଥର ସେଭଳି ଘଟଣା ଘଟିଛି। ତାହାକୁ ରିଜର୍ଭ ବ୍ୟାଙ୍କର ବରିଷ୍ଠ ନେତୃତ୍ବ ବିରୋଧ କରିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ସରକାରଙ୍କ ଚାପ ସମ୍ପର୍କରେ ଅତୀତରେ ଖୋଲାଖୋଲି ଭାବେ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଏକ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ। ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍ ସେହି ଚାପ ଲାଗି ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇ ଚାଲିଯାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button