ଓଡିଶା

ରାଜ୍ୟ ମହାପ୍ରଭୁଙ୍କ ଜମିକୁ ପ୍ଲଟିଂ ପ୍ରସଙ୍ଗ: ସୂଚନା ଫଳକ ମାରିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ମହାପ୍ରଭୁଙ୍କ ଜମିକୁ ଜବରଦଖଲ ପରେ ପ୍ଲଟିଂ କରି ବିକ୍ରି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଗତ ୨୯ ତାରିଖରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲା। ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି କୁମ୍ଭାରପଡ଼ା ପୁଲିସ ମାମଲା ରୁଜୁ କରିନି। ଅଭିଯୋଗକୁ ଚପାଇ ରଖିଛି। କେଉଁ ପ୍ରଭାବଶାଳୀଙ୍କ ଚାପରେ ପୁଲିସ ଏହି ଅଭିଯୋଗକୁ ଚପାଇ ରଖିଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଥାନାରେ ଥାନା ଅଧିକାରୀ ଅନୁପସ୍ଥିତ ଥିବାରୁ ମାମଲା ରୁଜୁ ହୋଇନଥିବା ଅନ୍ୟ ଅଧିକାରୀମାନେ ଦର୍ଶାଇଛନ୍ତି। ସେପଟେ ଆଜି ରାତିରେ ଏହି ଜବରଦଖଲ ଜାଗାରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଫଳକ ଲଗାଇଛି। ‘ଏହା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ବ ଭୂସମ୍ପତ୍ତି ଓ ଏଥିରେ ଅନଧିକାର ପ୍ରବେଶ ଆଇନ ଅନୁସାରେ ଦଣ୍ଡନୀୟ’ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯାଇଛି।

୧୦ ପରିବାରକୁ ତଡ଼ି ହେଉଥିଲା ପ୍ଲଟିଂ
କୋଟିରେ ହେଉଥିଲା ବେପାର

ବସ୍‌ଷ୍ଟାଣ୍ଡ୍‌ ନିକଟରେ ପୁରୀ ତହସିଲ ଅଧୀନ ତାଳବଣିଆ ମୌଜାରେ ଏହି ଜମିର ଖାତା ନମ୍ବର ୭୯୧, ପ୍ଲଟ୍‌ ନମ୍ବର ୮୨୭, ୮୨୪, ୮୨୧, ୮୨୩, ୮୨୫, ୮୨୧/୧୮୧୬ , ଏପରି ୬ଟି ପ୍ଲଟ୍‌ ଶ୍ରୀମନ୍ଦିର ପ୍ରଶାସନର ରହିଛି। ମିଳିଥିବା ସୂଚନା ମୁତାବକ, ଏହି ଜାଗା ପୂର୍ବରୁ ନେବଳ ଦାସ ମଠ ଅଧୀନରେ ଥିଲା। ମଠର ସେବା କରୁଥିବା ପରିବାର ଏଠାରେ ରହୁଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏହି ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଚାଲିଯାଇଛି। ଏହାସତ୍ତ୍ବେ କିଛି ବ୍ୟକ୍ତି ଏହି ଜାଗାକୁ ଜବରଦଖଲ କରି ତଞ୍ଚକତା ପୂର୍ବକ ଏହାକୁ ପ୍ଲଟିଂ କରିବାକୁ ଯୋଜନା କରିଥିଲେ। ଏ ବାବଦରେ ଜମି କ୍ରେତା ପ୍ରାୟ ୮୦ ଲକ୍ଷ ଟଙ୍କା ବିକ୍ରେତାଙ୍କୁ ଦେଇଥିବା ଓ ବାକି ଟଙ୍କା ପରେ ଦେବାକୁ ଯୋଜନା ହୋଇଥିଲା ବୋଲି ଜଣାପଡ଼ିଛି। ଜାଗା ଦଖଲ ପାଇଁ ଚେଲାଚାମୁଣ୍ଡାଙ୍କୁ ବି ଲକ୍ଷାଧିକ ଟଙ୍କା ବଣ୍ଟାଯାଇଛି। ବଡ଼ କଥା ହେଉଛି, ଏହି ଜାଗାରେ ନେବଳ ଦାସ ମଠରେ ସେବା କରୁଥିବା ୧୦ ପରିବାର ରହୁଥିଲେ। ଜମି ପ୍ଲଟିଂ ପାଇଁ ଏହି ପରିବାରଙ୍କୁ ବିତାଡ଼ିତ କରାଯାଇଥିଲା। ଜୋର ଜବରଦସ୍ତ ଏମାନଙ୍କୁ ବିଦା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଯେଉଁଥିରେ ପିଲାଠାରୁ ମହିଳା, ବୃଦ୍ଧବୃଦ୍ଧା, ସମସ୍ତେ ଥିଲେ। ଗୁଣ୍ଡା ଲଗାଇ ଏମାନଙ୍କୁ ମାରଧର କରି ତଡ଼ିବା ପରେ ଏହି ଜାଗାକୁ ପ୍ଲଟିଂ କରାଯାଉଥିଲା।

ଅପରପକ୍ଷେ, ଜମିର କାଗଜପତ୍ର ଯାଞ୍ଚ ରିପୋର୍ଟ ମିଳିବା ପରେ ଏହି ଜମି ଶ୍ରୀମନ୍ଦିର ପ୍ରଶାସନର ବୋଲି ସ୍ପଷ୍ଟ ହୋଇଥିଲା। ଏହି କ୍ରମରେ ଜବରଦଖଲ କରି ପ୍ଲଟିଂ କରାଯାଉଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲା। ଶ୍ରୀମନ୍ଦିର ପ୍ରଶାସନ ଏହି ଜାଗାରେ ସିମେଣ୍ଟ ଖୁଣ୍ଟ ପୋତି ତାରବାଡ଼ ବୁଲାଇଯାଇଥିବା ଦେଖିବା ପରେ ଏଠାରେ ‘ ଏହା ଶ୍ରୀମନ୍ଦିରର ନିଜସ୍ବ ଭୂସମ୍ପତ୍ତି’ ସୂଚନା ଫଳକ ମାରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button