ଦେଶ ବିଦେଶ

ପ୍ରଥମ ସ୍ତମ୍ଭ: ଷ୍ଟ୍ରିଟ୍ ଷ୍ଟୋର୍

୨୦୧୪ ମସିହା। ଫେସବୁକ୍ ଆଡ଼ଉ ଆଡ଼ଉ ଗୋଟିଏ ଛୋଟ ଭିଡିଓ ଉପରେ ମୋ ନଜର ଅଟକିଗଲା। ଦକ୍ଷିଣ ଆଫ୍ରିକାର କିଛି ଯୁବକ ରାସ୍ତା ଉପରେ, ଖୋଲା ଆକାଶ ତଳେ ଛୋଟ ଦୋକାନଟିଏ ଖୋଲିଛନ୍ତି। ସେଠାରେ ପୋଷାକ, ଜୋତା ଓ ଆଉ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅତି ସୁନ୍ଦର ଭାବରେ ସଜାହୋଇ ରଖାଯାଇଛି। ତେବେ ଦୋକାନର ଭ୍ରମ ସୃଷ୍ଟି କରୁଥିବା ଏହି ଦୋକାନଟି ବାସ୍ତବରେ ଏକ ଦୋକାନ ନଥିଲା ଏବଂ ଏଠାରେ ସଜାଯାଇଥିବା ସମସ୍ତ ଜିନିଷ ପୂର୍ବ ବ୍ୟବହୃତ ବା ପୁରୁଣା ଥିଲା।

କେବଳ ଗୋଟିଏ ଦିନ, ମାତ୍ର କିଛି ଘଣ୍ଟା ପାଇଁ ଖୋଲିଥିବା ଏହି ଦୋକାନର ନାମ ସେମାନେ ଦେଇଥିଲେ ‘ଷ୍ଟ୍ରିଟ୍ ଷ୍ଟୋର୍’। କେପ୍ ଟାଉନ୍ ସହରର ଗରିବ ବାସହରାମାନଙ୍କୁ ମନପସନ୍ଦର ଜିନିଷ ବାଛିବା ଓ କିଣିବାର ଏକ ନିଆରା ଅନୁଭୂତି ପ୍ରଦାନ କରିବା ଥିଲା ଏହି ‘ଷ୍ଟ୍ରିଟ୍ ଷ୍ଟୋର୍’ର ଉଦ୍ଦେଶ୍ୟ। ଏଠାକୁ ଆସିଥିବା ଲୋକମାନେ ନିଜ ମାପର ଓ ପସନ୍ଦର ପୋଷାକ ବା ଜୋତା ବାଛି ବିନା ମୂଲ୍ୟରେ ନିଜ ଘରକୁ ନେଇ ଯାଉଥିଲେ। ଥରେ ମନେପକାନ୍ତୁ, ଆମେ ଯେତେବେଳେ ନୂଆ ଜାମା କିଣିବାକୁ ଦୋକାନକୁ ଯାଇଥାଉ, ସେଠାରେ ଆମେ ବାଛିବା ପାଇଁ ବିଭିନ୍ନ ବିକଳ୍ପ ଥାଏ। ଆମେ ଦେଖୁ, ହାତରେ ଛୁଇଁ ପରଖୁ, ଦେହରେ ପକେଇ ମାପୁ, ଶେଷରେ ପସନ୍ଦ ହେଲେ କିଣିଥାଉ। ଏକ ଆକର୍ଷଣୀୟ ପ୍ୟାକେଟ୍ରେ ବାଛିଥିବା ପୋଷାକଟିକୁ ଧରି ଆମେ ଯେବେ ଦୋକାନରୁ ବାହାରିଥାଉ, ସେତେବେଳେ ଆମକୁ ଖୁବ୍ ଆନନ୍ଦ ଲାଗିଥାଏ। ଠିକ ସେହିଭଳି ଆନନ୍ଦ ‘ଷ୍ଟ୍ରିଟ୍ ଷ୍ଟୋର୍’ ତା’ ପାଖକୁ ଆସିଥିବା ଲୋକଙ୍କୁ ଦେବାକୁ ଚାହେ।
‘ଦାନ’ ନିଶ୍ଚିତ ଭାବରେ ନୂଆ କଥା ନୁହେଁ। ଆମେ ନୂଆ ବା ପୁରୁଣା ବସ୍ତ୍ର ଗରିବଙ୍କୁ ଦାନ କରୁ। ଆମ ଘର କାମରେ, ଚାଷ କାମରେ ସାହାଯ୍ୟ କରୁଥିବା ଲୋକଙ୍କୁ ବିଭିନ୍ନ ସମୟରେ ଯଥାସମ୍ଭବ ସାହାଯ୍ୟ କରୁ। ପୁଣି ଅନେକେ ନିୟମିତ ଦାନଧର୍ମ କରନ୍ତି। ବାଳାଶ୍ରମ, ଜରାଶ୍ରମ ଓ ବସ୍ତିବାସିନ୍ଦା କିମ୍ବା ରାସ୍ତାକଡ଼ରେ ଜୀବନ ବିତାଉଥିବା ବାସହରାଙ୍କ ପାଖକୁ ଯାଇ କିଛି କିଛି ସାହାଯ୍ୟ କରନ୍ତି। କିନ୍ତୁ ଏ ସମସ୍ତ ସହାନୁଭୂତିମୂଳକ କାର୍ଯ୍ୟଠାରୁ ‘ଷ୍ଟ୍ରିଟ୍ ଷ୍ଟୋର୍’ ସଂପୂର୍ଣ୍ଣ ଅଲଗା। କାରଣ ଆମେ ଯେବେ କାହାକୁ କିଛି ଦାନ କରୁ, ଆମର ଇଚ୍ଛା ବା ସାମର୍ଥ୍ୟ ମୁତାବକ ଦାନ କରିଥାଉ। କିନ୍ତୁ ‘ଷ୍ଟ୍ରିଟ୍ ଷ୍ଟୋର୍’ ଜଣଙ୍କୁ ନିଜ ଇଚ୍ଛା ମୁତାବକ ଜିନିଷ ବାଛି ନେବାର ସୁଯୋଗ ଦିଏ। ଏହି କଥାଟି ମୋ ମନକୁ ବେଶ୍ ଛୁଇଁଥିଲା। ମୁଁ ସେମାନଙ୍କ ୱେବ୍ସାଇଟ୍କୁ ଯାଇ ଦେଖିଲି, ଏହି ପରିକଳ୍ପନାକୁ ସେମାନେ କପିରାଇଟ୍ ମୁକ୍ତ ରଖିଛନ୍ତି। ତଦ୍ୱାରା ଯେ କେହି କେଉଁଠାରେ ବି ସମାନ ନାଁ ଓ ସମାନ ଢାଞ୍ଚାରେ ଏମିତି ଷ୍ଟୋର୍ ଖୋଲି ପାରିବ। ସେମାନଙ୍କ ୱେବ୍ସାଇଟ୍ରେ ପ୍ରଦତ୍ତ ତଥ୍ୟ ଅନୁସାରେ ପୃଥିବୀର ଅନେକ ସହରରେ ‘ଷ୍ଟ୍ରିଟ୍ ଷ୍ଟୋର୍’ ବସି ସାରିଥିଲା। ମୁଁ ତତ୍କ୍ଷଣାତ୍ ଭୁବନେଶ୍ୱରରେ ଏକ ‘ଷ୍ଟ୍ରିଟ୍ ଷ୍ଟୋର୍’ ଆୟୋଜନ କରିବା ପାଇଁ ଆବେଦନ କଲି।
ଆଗକୁ ଦଶହରା ଥାଏ। ସାରା ଓଡ଼ିଶା ଉତ୍ସବମୁଖର। ଏଇ ସମୟରେ ରେଡିଓ ଚକ୍ଲେଟ୍ ଗରିବ ଓ ବାସହରାଙ୍କ ପାଇଁ ୨୦୧୪ ସେପ୍ଟେମ୍ବର ୨୪ରେ ଭୁବନେଶ୍ୱର ସହରରେ ଆୟୋଜନ କଲା ପୃଥିବୀର ୩୪ତମ ଏବଂ ଭାରତର ପ୍ରଥମ ‘ଷ୍ଟ୍ରିଟ୍ ଷ୍ଟୋର୍’। ରେଡିଓ ଜକିମାନେ ଯେତେବେଳେ ରେଡିଓରେ ଏହି କାର୍ଯ୍ୟକ୍ରମର ପ୍ରଚାର କଲେ ଶ୍ରୋତାମାନେ ଆମର ଏହି ପଦକ୍ଷେପକୁ ପ୍ରଶଂସାରେ ପୋତି ପକାଇଲେ। ଶହ ଶହ ସଂଖ୍ୟାରେ ଆଗ୍ରହୀ ଲୋକ ରେଡିଓ ଚକ୍ଲେଟ୍ ଷ୍ଟୁଡିଓରେ ପହଞ୍ଚି ପ୍ୟାକେଟ୍ ପ୍ୟାକେଟ୍ ନୂଆ ଓ ପୁରୁଣା ପୋଷାକ ଏବଂ ଜୋତା ଆଦି ଜିନିଷ ଗଦେଇ ଦେଇ ଗଲେ। ଭୁବନେଶ୍ୱର ରାମ ମନ୍ଦିର ସାମ୍ନାରେ ଖୋଲାଗଲା ଷ୍ଟୋର୍। ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ବିଭାଗ ଥିଲା, ସବୁକିଛି ସୋ’ ରୁମ୍ ପରି ସାଇଜ୍ ଅନୁସାରେ ହ୍ୟାଙ୍ଗର୍େର ସଜା ଯାଇଥିଲା। ରେଡିଓ ଟିମ୍ ସହ ଅନେକ ଶ୍ରୋତା ଭାଇଭଉଣୀ ସ୍ବେଚ୍ଛାକୃତ ଭାବରେ ସେଲ୍ସ୍ମ୍ୟାନ୍ ଭୂମିକା ନିର୍ବାହ କଲେ। ପୋଷାକ ନେବାକୁ ଆସିଥିବା ଲୋକମାନଙ୍କୁ ସେମାନଙ୍କ ପସନ୍ଦର ଓ ଠିକ୍ ମାପର ପ୍ୟାଣ୍ଟ, ସାର୍ଟ, ଶାଢ଼ି, ସଲୱାର କିମ୍ବା ଶୀତବସ୍ତ୍ର ବାଛିବାରେ ଆମ ସ୍ବେଚ୍ଛାସେବୀମାନେ ସହାୟତା କରୁଥିଲେ। ଶେଷରେ ଚେକ୍ ଆଉଟ୍ କାଉଣ୍ଟରରେ ସେମାନେ ବାଛିଥିବା ପୋଷକପତ୍ରକୁ ଏକ ରଙ୍ଗିନ କାଗଜ ପ୍ୟାକେଟ୍ରେ ଭର୍ତ୍ତି କରି ଦିଆଯାଉଥିଲା।
ସେହି ଦିନଟି ଖୁବ୍ ଘଟଣାବହୁଳ ଥିଲା। ୫୦୦ରୁ ଅଧିକ ଲୋକ ଆମ ‘ଷ୍ଟ୍ରିଟ୍ ଷ୍ଟୋର୍’କୁ ଆସି କିଣାକିଣିର ଆନନ୍ଦ ନେଇଥିଲେ। ପରବର୍ତ୍ତୀ ଦୁଇ ବର୍ଷରେ ଆମେ ରେଡିଓ ଚକ୍ଲେଟ୍ ତରଫରୁ ରାଜ୍ୟର ଅନ୍ୟ ସହରରେ ୮ଟି ‘ଷ୍ଟ୍ରିଟ୍ ଷ୍ଟୋର୍’ ଆୟୋଜନ କରିଥିଲୁ। ଭୁବନେଶ୍ୱରର ପଟିଆ, କଟକ, ପୁରୀ, ରାଉରକେଲା, କେନ୍ଦ୍ରାପଡ଼ା, ବ୍ରହ୍ମପୁର, ଯାଜପୁର ଇତ୍ୟାଦି ସ୍ଥାନରେ ସଫଳତାର ସହ ‘ଷ୍ଟ୍ରିଟ୍ ଷ୍ଟୋର୍’ ଅନୁଷ୍ଠିତ ହୋଇଛି। ଗୋଟିଏ ଷ୍ଟୋର୍ ସାରି ଆଉ ଗୋଟିଏ ଷ୍ଟୋର୍ର ତାରିଖ ଘୋଷଣା ପୂର୍ବରୁ ଆମ ପାଖକୁ ପରବର୍ତ୍ତୀ ଷ୍ଟୋର୍ ବିଷୟରେ ଅନୁସନ୍ଧାନ ପାଇଁ ଆସୁଥିବା ଶହ ଶହ ଫୋନ୍ କଲ୍, ସାଧାରଣ ଲୋକଙ୍କର ପ୍ରତିକ୍ରିୟା ତଥା ‘ଷ୍ଟ୍ରିଟ୍ ଷ୍ଟୋର୍’ ପାଇଁ ବହୁଳ ପରିମାଣରେ ଦାନ ସାମଗ୍ରୀ ଆମକୁ ଅଭିଭୂତ କରିଥିଲା।
ମୋ ପାଇଁ ଏହି କାର୍ଯ୍ୟକ୍ରମର ଅନୁଭୂତି ଖଟା ମିଠା ମିଶା, କିନ୍ତୁ ସ୍ମରଣୀୟ ଥିଲା। ଅନେକ ସମୟରେ ଆମେ କାର୍ଯ୍ୟକ୍ରମ ମଝିରେ ଷ୍ଟୋର୍ ବନ୍ଦ କରିବାପାଇଁ ବାଧ୍ୟ ହୋଇଛୁ। କେବେ ଅଣାୟତ୍ତ ଭିଡ଼ ଯୋଗୁଁ ତ କେବେ ପ୍ରବଳ ବର୍ଷା ଯୋଗୁଁ। ଅନେକ ଖୁସି ହୋଇ ଫେରିଥିବା ବେଳେ କିଛି ଲୋକ ବି ନିରାଶ ହୋଇଥିଲେ। କାରଣ ସେମାନେ ଧାଡ଼ିରେ ଠିଆ ହୋଇ କାଉଣ୍ଟର୍ରେ ପହଞ୍ଚିଲା ବେଳକୁ ବଛାବଛି ହୋଇଯାଇଥିଲା। ସେମାନଙ୍କୁ ପସନ୍ଦର ପୋଷାକ ମିଳି ନଥିଲା। ଧାଡ଼ି ଭାଙ୍ଗିବା, ଭିତରକୁ ଧସେଇ ପଶିବା, ଆମକୁ ଏମିତି ଅନେକ ବିଶୃଙ୍ଖଳାର ସାମ୍ନା କରିବାକୁ ପଡ଼ିଥିଲା। ଅବଶ୍ୟ ଆମ ଦେଶରେ ଏମିତି ଏକ କାର୍ଯ୍ୟକ୍ରମରେ ଏହା ଅତି ସାଧାରଣ। ତେବେ ଅନେକ ଗହଳିଚହଳି, ଠେଲାପେଲା, ହୋ-ହଲ୍ଲା ଭିତରେ ମୁଁ ସେହି କୁନି କୁନି ପିଲାଙ୍କୁ କେବେ ବି ଭୁଲିପାରି ନାହିଁ। ନିଜ ଇଚ୍ଛା ମୁତାବକ ଜିନିଷ ବାଛିନେଲା ପରେ ସେମାନଙ୍କ ମୁହଁରେ ଯେଉଁ ଅନାବିଳ ହସଟିକକ ଥିଲା, ତାହା ସତରେ ଅମୂଲ୍ୟ।

Related Articles

Leave a Reply

Your email address will not be published. Required fields are marked *

Back to top button