ଟ୍ରମ୍ପ ଓ ଏଲନ୍ ମସ୍କଙ୍କ ଝଗଡ଼ା ଦେଖି ଆମୋଦିତ ରୁଷ୍: ମସ୍କଙ୍କୁ ରାଜନୈତିକ ଆଶ୍ରୟ ଦେବାକୁ ପ୍ରସ୍ତାବ ଦେଲା ରୁଷ୍

ମସ୍କୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅର୍ବୁଦପତି ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦକୁ ନେଇ ରୁଷ୍ ଆମୋଦିତ ହୋଇଛି। ଉଭୟଙ୍କ ମଧ୍ୟରେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବାକୁ ଶୁକ୍ରବାର ପ୍ରସ୍ତାବ ଦେଇଛନ୍ତି ରୁଷିଆର ବରିଷ୍ଠ ଅଧିକାରୀ ଦିମିତ୍ରୀ ମେଦଭେଦେଭ। ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ମେଦଭେଦେଭ କହିଛନ୍ତି ଯେ ‘ଡି’ ଓ ‘ଇ’ ମଧ୍ୟରେ ଏକ ଶାନ୍ତିଚୁକ୍ତିକୁ ଯୁକ୍ତିଯୁକ୍ତ ଶୁଳ୍କରେ ସମାପ୍ତ କରିବା ଏବଂ ଷ୍ଟାର୍ଲିଙ୍କ୍ ସେୟାର୍କୁ ଦେୟ ଭାବରେ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ଅଛୁ। ‘ଲଢ଼େଇ କର ନାହିଁ, ବନ୍ଧୁଗଣ!’ ବୋଲି ସେ ଉଲ୍ଲେଖ କରିଥିଲେ। ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାର୍ଲିଙ୍କ୍ର ମାଲିକ ମସ୍କଙ୍କଠାରୁ ମେଦଭେଦେଭଙ୍କ ଏହି ପ୍ରସ୍ତାବର ଜବାବରେ ଏକ ‘ହସୁଥିବା ଇମୋଜି’ ମିଳିଥିଲା।
ଶାନ୍ତି ପାଇଁ ମଧ୍ୟସ୍ଥତା କରିବାକୁ ମେଦଭେଦେଭଙ୍କ ପ୍ରସ୍ତାବ
ହସିବା ଇମୋଜି ସହ ପ୍ରତିକ୍ରିୟା ରଖିଲେ ଏଲନ୍ ମସ୍କ
ମସ୍କଙ୍କୁ ରାଜନୈତିକ ଆଶ୍ରୟ ଦେବାକୁ ପ୍ରସ୍ତାବ ଦେଲା ରୁଷ୍
ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ମେଦଭେଦେଭ ବର୍ତ୍ତମାନ ରୁଷ୍ର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଦୁଇ ଆମେରିକୀୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାର୍ବଜନୀନ ମତଭେଦକୁ ନେଇ ରୁଷୀୟ ନେତୃବୃନ୍ଦ ପରିହାସ କରୁଥିବା ବେଳେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ବର୍ତ୍ତମାନ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରୁଥିବା ଟ୍ରମ୍ପ ତାଙ୍କ ପ୍ରଶାସନର ଏକ ଖର୍ଚ୍ଚ ବିଲ୍କୁ ସମାଲୋଚନା କରୁଥିବା ମସ୍କଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଅନ୍ତର୍ଜାତୀୟ ବ୍ୟାପାର ସଂକ୍ରାନ୍ତ ଷ୍ଟେଟ୍ ଡୁମା କମିଟିର ପ୍ରଥମ ଉପାଧ୍ୟକ୍ଷ ଦିମିତ୍ରୀ ନୋଭିକୋଭ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ରୁଷ୍ ମସ୍କଙ୍କୁ ରାଜନୈତିକ ଆଶ୍ରୟ ଦେବାକୁ ଇଚ୍ଛୁକ। ସେ କହିଛନ୍ତି, ମୁଁ ଭାବୁଛି ମସ୍କଙ୍କର ଏକ ସମ୍ପୂର୍ଣ୍ଣ ଭିନ୍ନ ଖେଳ ଅଛି, ତେଣୁ ତାଙ୍କୁ କୌଣସି ରାଜନୈତିକ ଆଶ୍ରୟର ଆବଶ୍ୟକତା ପଡିବ ନାହିଁ। ତଥାପି ଯଦି କେବେ ଆବଶ୍ୟକତା ପଡ଼େ, ତେବେ ରୁଷିଆ ନିଶ୍ଚିତ ଭାବରେ ଏହା ପ୍ରଦାନ କରିପାରିବ। ରୁଷ୍ର ସିନେଟର ଦିମିତ୍ରୀ ରୋଗୋଜିନ ମଧ୍ୟ ଏହି ମତ ରଖିଛନ୍ତି। ସେ କହିଛନ୍ତି, ଏଲନ୍, ବ୍ୟସ୍ତ ହୁଅ ନାହିଁ! ଯଦି ଆପଣ ଆମେରିକାରେ ଅସମ୍ଭବ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଆମ ପାଖକୁ ଆସନ୍ତୁ ଏବଂ ଆମ ମଧ୍ୟରୁ ଜଣେ ହୁଅନ୍ତୁ ବୋଲି ରୋଗୋଜିନ ଟ୍ୱିଟ୍ କରିଛନ୍ତି। ଏଠାରେ ଆପଣଙ୍କୁ ବିଶ୍ୱସନୀୟ ସାଥୀ ଏବଂ ବୈଷୟିକ ସୃଜନଶୀଳତାର ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିବ ବୋଲି ସେ କହିଛନ୍ତି।
ଏପ୍ଷ୍ଟିନ୍ ଫାଇଲ୍ ସଂକ୍ରାନ୍ତ ପୋଷ୍ଟ ହଟାଇଲେ, ନରମିଲେ ଏଲନ୍
ୱାସିଂଟନ: ଟେସ୍ଲା ମାଲିକ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତୀବ୍ର ବିବାଦ ଏବେ ନୂଆ ମୋଡ଼ ନେଇଛି। ପ୍ରଥମେ ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଦାବି କରିଥିଲେ ଯେ ସେକ୍ସ ସ୍କାଣ୍ଡାଲ ଓ ମାନବ ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଫ୍ରି ଏପ୍ଷ୍ଟିନ୍ଙ୍କ ସହ ଜଡିତ ଫାଇଲରେ ଟ୍ରମ୍ପଙ୍କ ନାମ ରହିଛି । ଏବେ ମସ୍କ ଟ୍ରମ୍ପଙ୍କ ପ୍ରତି ତାଙ୍କ ଆଭିମୁଖ୍ୟ ନରମ କରି ଏହି ପୋଷ୍ଟ୍ ହଟାଇ ଦେଇଛନ୍ତି। ମସ୍କ ପୂର୍ବରୁ ଏକ ଚାଞ୍ଚଲ୍ୟକର ପୋଷ୍ଟ୍ରେ ଲେଖିଥିଲେ, ‘ଅସଲ ବୋମା ପକାଇବାର ସମୟ ଆସିଛି, ଟ୍ରମ୍ପଙ୍କ ନାମ ଏପଷ୍ଟିନ ଫାଇଲରେ ଅଛି।
ସେଥିପାଇଁ ସେଗୁଡ଼ିକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ।’ ଅନ୍ୟ ଏକ ପୋଷ୍ଟରେ ମସ୍କ କହିଥିଲେ, ‘ଭବିଷ୍ୟତ ପାଇଁ ଏହି ପୋଷ୍ଟକୁ ମନେ ରଖନ୍ତୁ। ସତ ପଦାକୁ ଆସିବ।’ ଅନ୍ୟପକ୍ଷରେ ମସ୍କ ତାଙ୍କ ପୋଷ୍ଟ୍ ହଟାଇଥିଲେ ମଧ୍ୟ ଏହାକୁ ନେଇ ଆମେରିକାରେ ତମ୍ବିତୋଫାନ ସୃଷ୍ଟି ହୋଇଛି। ନ୍ୟାୟ ବିଭାଗ ଏବଂ ଏଫ୍ବିଆଇ ଏପଷ୍ଟିନଙ୍କ ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବାକୁ ଡେମୋକ୍ରାଟିକ୍ ନେତାମାନେ ଦାବି କରିଛନ୍ତି। ଯଦି ଏହି ଦସ୍ତାବିଜରେ କୌଣସି ପୂର୍ବତନ କିମ୍ବା ବର୍ତ୍ତମାନର ସରକାରୀ ଅଧିକାରୀଙ୍କ ନାମ ଉଲ୍ଲେଖ ଅଛି, ତେବେ ଜନସାଧାରଣଙ୍କ ଜାଣିବାର ଅଧିକାର ରହିଛି ବୋଲି ବିରୋଧୀ ନେତାମାନେ କହିଛନ୍ତି। ଏଫ୍ବିଆଇ ନିର୍ଦ୍ଦେଶକ କାଶ ପଟେଲ ଏପର୍ଯ୍ୟନ୍ତ ମସ୍କ-ଟ୍ରମ୍ପ ବିବାଦ କିମ୍ବା ଏପଷ୍ଟିନଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି । ମସ୍କ ଆଜି ଏପଷ୍ଟିନ ମାମଲା ସମେତ ଅନେକ ଟ୍ରମ୍ପ ବିରୋଧୀ ଟ୍ବିଟ୍ ଡିଲିଟ୍ କରିଥିବାରୁ ଉଭୟଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।