ରାଜନୀତି

ଯାଜପୁର ଜିଲ୍ଲା ରାଜନୀତି: ବରୀ ବିଜେଡି ଚାରିଫାଳ – Utkal Mail


ସଂଗ୍ରାମ କେଶରୀ ସିଂହ

ଯାଜପୁର: ଯାଜପୁର ଜିଲ୍ଲାରେ ଶାସକ ଦଳ ଭଲ ସ୍ଥିତିରେ ରହିଥିଲେ ମଧ୍ୟ ଟିକଟ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବରୀ, କୋରେଇ, ବଡ଼ଚଣା ଓ ଧର୍ମଶାଳାରେ ବିଧାୟକଙ୍କୁ ନିଜ ଦଳର ନେତା ଓ ସଙ୍ଗଠକମାନେ ହିଁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି। ବିଶେଷ କରି ବରୀରେ ଏହି କାରଣରୁ ବିଜେଡି ଏବେ ଚାରିଫାଳ ହୋଇଯାଇଛି।

ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓ ରାଜ୍ୟ ନେତୃତ୍ବଙ୍କ ସଫଳ ଗୋଟି ଚାଳନା ପାଇଁ ବରୀ ନିର୍ବାଚନମଣ୍ଡଳୀ ଏକପ୍ରକାର ବିରୋଧୀ ଶୂନ୍ୟ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ବରୀ ବିଜେପିର ସେନାପତି କୁହାଯାଉଥିବା ଦେବେନ୍ଦ୍ର ଦାସ(ଦେବୁଲ)ଙ୍କୁ ବିଜେଡି ନିଜ ପକ୍ଷକୁ ନେଇ ତାଙ୍କ ପତ୍ନୀ ତତ୍କାଳୀନ ବରୀ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ୨୦୧୯ ନିର୍ବାଚନରେ ପରାଜିତ ହୋଇଥିଲେ। ଏହାପରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବବି ଗୋଟିଚାଳନା କରି ବରୀରେ ଶାଣିତ ରାଜନୀତି କରୁଥିବା ବିଶ୍ବରଞ୍ଜନ ମଲ୍ଲିକଙ୍କୁ ବିଜେଡିରେ ସାମିଲ କରିଦେଲେ। ଏହାପରଠାରୁ ବିଶ୍ବରଞ୍ଜନ ବନାମ ଦେବୁଲ ଓ ବିଧାୟିକା ସୁନନ୍ଦା ଦାସଙ୍କ ଗୋଷ୍ଠୀ ପରସ୍ପରକୁ ଟକ୍କର ଦେଇ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛନ୍ତି। ଏଭଳି ସ୍ଥିତିରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦେବାଶିଷ ନାୟକ ନିରବତା ଭଙ୍ଗ କରି ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।

ମଝିରେମଝିରେ ଶ୍ରୀ ନାୟକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତମନ୍ତବ୍ୟ ଦେଇ ରାଜ୍ୟ ରାଜନୀତିରେ ପୁଣି ପ୍ରାସଙ୍ଗିକ ହେବା ଚେଷ୍ଟାରେ ଲାଗିପଡ଼ିଛନ୍ତି। ବରୀର ୪ଥର (୨୦୦୦-୨୦୧୪) ବିଧାୟକ ରହିଥିବା ଶ୍ରୀ ନାୟକଙ୍କ ଏକାନ୍ତ ଘନିଷ୍ଠ ତତ୍କାଳୀନ ବିଜେଡି ବ୍ଲକ୍ ସଭାପତି ସେକ୍ ସଫିକ୍ ଉଦ୍ଦିନ୍(ଟାଲି) ବେଶ୍‌ ପ୍ରଭାବ ବିସ୍ତାର କରିଥିଲେ। ଏପରିକି ଶ୍ରୀ ନାୟକଙ୍କ ପରିବର୍ତ୍ତେ ଟାଲି ବିଭିନ୍ନ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରୁଥିଲେ। ସେହିପରି ବରୀ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା ଭାରତୀ ବେହେରା ମଧ୍ୟ ବହୁ କ୍ଷମତାର ଅଧିକାରୀ ଥିଲେ। ଏବେ କିନ୍ତୁ ଟାଲି ଓ ଶ୍ରୀମତୀ ବେହେରା ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକଙ୍କଠାରୁ ଦୂରେଇ ଯାଇ ତୃତୀୟ ସାମ୍ମୁଖ୍ୟ ନାମରେ ବରୀ ପଞ୍ଚାୟତର ସମିତିସଭ୍ୟ ସଂଜୀବ କୁମାର ଜେନାଙ୍କ ସପକ୍ଷରେ ଠିଆ ହୋଇଛନ୍ତି। ଶ୍ରୀ ଜେନାଙ୍କୁ ବିଜେଡି ଟିକେଟ୍‌ ଦେବା ଲାଗି ଦାବି ଉପସ୍ଥାପନ କରୁଛନ୍ତି। ବବିଙ୍କ ଫଟୋ ରହିତ ପୋଷ୍ଟର ମାରି ସମାବେଶ କରିବା ସହିତ ବିଜେଡି ସହ ରହିବେ ବୋଲି କହୁଛନ୍ତି। ଏହି ଦୃଷ୍ଟିରୁ ବରୀ ନିର୍ବାଚନମଣ୍ଡଳୀରେ ଏବେ ବିଧାୟିକା ସୁନନ୍ଦା ଦାସ, ବିଜେଡି ରାଜ୍ୟ ସମ୍ପାଦକ ବିଶ୍ବରଞ୍ଜନ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଓ ସେକ୍ ସଫିକ ଉଦ୍ଦିନ(ଟାଲି)ଙ୍କ ଗୋଷ୍ଠୀ ଭାଗଭାଗ ହୋଇଯାଇଛନ୍ତି। ବରୀରେ ବିଜେଡି ପାଇଁ ବିରୋଧୀଙ୍କ ଅପେକ୍ଷା ବିଦ୍ରୋହୀଙ୍କ ରଣ ହୁଙ୍କାର ଅଧିକ ଚିନ୍ତାର କାରଣ ହୋଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button