ମହାୟୁତିର ସବୁ ନିଷ୍ପତ୍ତିକୁ ନିଃସର୍ତ୍ତ ସମର୍ଥନ: ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଭିତରେ ଆଜି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତାକାଲି ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ମହାୟୁତିରେ ପାରସ୍ପରିକ ବୁଝାମଣା ସର୍ବଦା ଉତ୍ତମ ରହିଛି ଏବଂ ମେଣ୍ଟର ଯେ କୌଣସି ନିଷ୍ପତ୍ତି ପ୍ରତି ମୋର ନିଃସର୍ତ୍ତ ସମର୍ଥନ ରହିବ ବୋଲି ସିନ୍ଦେ କହିଛନ୍ତି। ମହାୟୁତି ସରକାରର ଗତ ୨.୫ ବର୍ଷର କାର୍ଯ୍ୟକାଳ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ସସ୍ପେନ୍ସ ଭିତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିନ୍ଦେ କହିଛନ୍ତି, ମୁଁ ଏବେ ସୁସ୍ଥ ଅଛି। ନିର୍ବାଚନୀ ପରିଶ୍ରମ ପରେ ମୁଁ ଏଠାକୁ ବିଶ୍ରାମ ନେବାକୁ ଆସିଥିଲି। ମୁଖ୍ୟମନ୍ତ୍ରୀ ଭାବେ ମୋର ଅଢ଼େଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ମୁଁ କୌଣସି ଛୁଟି ନେଇନଥିଲି। ଏବେ ବି ଲୋକମାନେ ମୋତେ ଭେଟିବାକୁ ଆସୁଛନ୍ତି। ଏହି ଥକାପଣ କାରଣରୁ ହିଁ ମୁଁ ଅସୁସ୍ଥ ହୋଇପଡ଼ିଥିଲି। ଏବେ ମୁଁ ଭଲ ଅନୁଭବ କରୁଛି ବୋଲି ସିନ୍ଦେ କହିଛନ୍ତି। ମହାୟୁତି ସରକାର ସର୍ବଦା ଲୋକଙ୍କ କଥା ଶୁଣିବେ ଏବଂ ଏଥିରେ କୌଣସି ଦ୍ବିମତ ନାହିଁ ବୋଲି ସିନ୍ଦେ କହିଛନ୍ତି। ସଂଗଠନ ନେତୃତ୍ୱକୁ ମୁଁ ନିଃସର୍ତ୍ତ ସମର୍ଥନ କରିସାରିଛି। ସେମାନଙ୍କ ନିଷ୍ପତ୍ତି ଯାହା ବି ହେଉ, ଆମେ ତାକୁ ସମ୍ମାନ ଦେବୁ ବୋଲି ସିନ୍ଦେ ସ୍ପଷ୍ପ କରିଛନ୍ତି। ଅନ୍ୟପକ୍ଷରେ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ହେଉଥିବା ଚର୍ଚ୍ଚାକୁ ନେଇ ସେ କହିଛନ୍ତି ଯେ ସୋମବାର ହିଁ ସବୁକିଛି ସ୍ପଷ୍ଟ ହୋଇଯିବ।
ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଆଜି
ଶ୍ରୀକାନ୍ତ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି
ସୂଚନାଯୋଗ୍ୟ, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲଗାତାର ସସ୍ପେନ୍ସ ଲାଗି ରହିଛି। ମହାୟୁତିରେ ସର୍ବାଧିକ ଆସନ ଜିତିଥିବା ବିଜେପି ଶପଥ ଗ୍ରହଣ ତାରିଖ ଘୋଷଣା କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡ଼ନାବିସଙ୍କ ନାମ ସବୁଠୁ ଆଗରେ ରହିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଫଡ଼ନାବିସ ଆଗାମୀ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବା ଦିଗରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ କହିଛନ୍ତି। ଅନ୍ୟପକ୍ଷରେ ସରକାର ଗଠନରେ ବିଳମ୍ବକୁ ନେଇ ଶିବସେନା(ୟୁବିଟି) ବିଧାୟକ ଆଦିତ୍ୟ ଠାକରେ କହିଛନ୍ତି ଯେ ଏଭଳି ବିଳମ୍ବ ରାଜ୍ୟବାସୀଙ୍କ ପ୍ରତି ଅପମାନ ଏବଂ ଏହା ଅରାଜକତାର ପରିଚାୟକ।
latest news
xcv post image
ଟଙ୍କା ପାଇଁ ମା’ଙ୍କୁ ହତ୍ୟାକଲା ପୁଅ
yuu post image
ଇଣ୍ଡଷ୍ଟ୍ରି ଛାଡ଼ିଲେ ବିକ୍ରାନ୍ତ, ଅଭିନୟରୁ ନେଲେ ସନ୍ନ୍ୟାସ !
scv post image
ଆସିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସଂପୂର୍ଣ୍ଣ ସୂଚୀ
ସମ୍ଭଲ post image
ପୁଲିସ୍ ସହ ମୁହାଁମୁହିଁ ପରେ ସମ୍ଭଲ ଅଭିମୁଖେ ଯାତ୍ରାକୁ ଘୁଞ୍ଚାଇଲା କଂଗ୍ରେସ
xcv post image
ଗହଣା ଦୋକାନୀଙ୍କଠାରୁ ବ୍ୟାଗ୍ ଲୁଟିନେଲେ ଦୁଇ ଦୁର୍ବୃତ୍ତ