ରାଜନୀତି

କର୍ଣ୍ଣାଟକ ବିଜେପିରେ କନ୍ଦଳ, ରାଷ୍ଟ୍ରୀୟ ନେତୃତ୍ୱର ହସ୍ତକ୍ଷେପ

ବେଙ୍ଗାଲୁରୁ: ବରିଷ୍ଠ ବିଜେପି ବିଧାୟକ ବସନଗୌଡ଼ା ପାଟିଲ ୟତନାଲ ଓ ରାଜ୍ୟ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କ ମଧ୍ୟରେ ଝଗଡ଼ା ଯୋଗୁ କନ୍ଦଳ ଦେଖାଦେଇଛି। ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ଏଥିରେ ହସ୍ତକ୍ଷେପ କରିଛନ୍ତି। ଦୁଇ ନେତାଙ୍କ ଭିତରେ କନ୍ଦଳ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ଫାଟ ସୃଷ୍ଟି କରିଛି। ବିଜୟେନ୍ଦ୍ର ବଂଶବାଦ ରାଜନୀତିକୁ ପ୍ରୋତ୍ସାହନ ଦେଉଥିବା ଏବଂ ତାଙ୍କ ଯୋଗୁ ରାଜ୍ୟରେ ବିଜେପି ହାରୁଛି ବୋଲି ଅଭିଯୋଗ ଆଣିଥିବା ୟତନାଲଙ୍କୁ ଦଳୀୟ ହାଇକମାଣ୍ଡ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତାଙ୍କୁ ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି।

ନୋଟିସରେ କୁହାଯାଇଛି ଯେ, ରାଜନୈତିକ ଓ ସାର୍ବଜନୀନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ଅବମାନନା କରିବା ସହ ଦଳୀୟ ନେତାଙ୍କ ବିରୋଧରେ ଆପଣ ଯେଉଁ ମିଥ୍ୟା ଓ ପରୋକ୍ଷ ଅଭିଯୋଗ ଆଣିଛନ୍ତି, ତାହା ଦଳୀୟ ଶୃଙ୍ଖଳାର ଗୁରୁତର ଉଲ୍ଲଂଘନ। ନୋଟିସ ସମ୍ପର୍କରେ ୟତନାଲ କହିଛନ୍ତି ଯେ ସେ ଏହାର ଜବାବ ଦେବେ ଏବଂ କର୍ଣ୍ଣାଟକରେ ଦଳର ସାମ୍ପ୍ରତିକ ସ୍ଥିତି ଉପସ୍ଥାପନ କରିବେ। ସେ କହିଛନ୍ତି, ହିନ୍ଦୁତ୍ୱ, ଦୁର୍ନୀତିକୁ ବିରୋଧ, ଵାକଫ୍ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ବଂଶବାଦ ରାଜନୀତି ବିରୋଧରେ ମୋର ପ୍ରତିବଦ୍ଧତା ଅତୁଟ ରହିବ। ବିଜୟେନ୍ଦ୍ରଙ୍କ ସମର୍ଥକମାନେ ମଧ୍ୟ ୟତନାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଆଭ୍ୟନ୍ତରୀଣ ବିବାଦ ଯୋଗୁଁ ଉଭୟ ପକ୍ଷ ନିଜ ନିଜର ପ୍ରଭାବ ଜାହିର କରିବା ପାଇଁ ପୃଥକ୍ କାର୍ଯ୍ୟକ୍ରମ ଓ ରାଲି ଆୟୋଜନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button