ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନମିଳିବାରୁ ଇନଷ୍ଟାରେ ଏଭଳି ପ୍ରତିକ୍ରିୟା ଦେଲେ କଙ୍ଗନା – Utkal Mail
ନୂଆଦିଲ୍ଲୀ : ଆଜି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’କୁ ଶ୍ରେଷ୍ଠ ଫିଚର ଫିଲ୍ମ ଓ ‘ଆରଆରଆର’କୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ‘ଗଙ୍ଗୁବାଇ କାଠିଆଓ୍ବାଡ଼ି’ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ପାଇଁ କ୍ରିତି ସାନୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ତଥା ‘ପୁଷ୍ପା’ ପାଇଁ ଅଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ତେବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଶ୍ରେଷ୍ଠ ଅଭିନେତ୍ରୀ ଦୌଡ଼ରେ ଥିଲେ ବି ତାଙ୍କୁ ବା ତାଙ୍କର ଫିଲ୍ମ ‘ଥାଲାଇବି’କୁ କୌଣସି ପୁରସ୍କାର ମିଳିନାହିଁ।
ଏନେଇ ପ୍ରତିକ୍ରିୟା ରଖି ଇନଷ୍ଟା ଷ୍ଟୋରୀରେ ନିଜର ମନ କଥା ଲେଖିଛନ୍ତି କଙ୍ଗନା। ସେ ଲେଖିଛନ୍ତି ଯେ, ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ସମସ୍ତ ବିଜେତାଙ୍କୁ ଅଭିନନ୍ଦନ। ଏହା ହେଉଛି ଏକ କାର୍ଯ୍ୟକ୍ରମ ଯାହା ଦେଶର ବିଭିନ୍ନ ସ୍ଥାନରୁ କଳାକାରମାନଙ୍କୁ ଏକତ୍ର କରିଥାଏ। ଯେଉଁମାନେ ମୋର ଚଳଚ୍ଚିତ୍ର ‘ଥାଲାଇବି’କୁ କୌଣସି ପୁରସ୍କାର ମିଳିନାହିଁ ବୋଲି ନିରାଶ ହୋଇଛନ୍ତି, ସେମାନେ ଜାଣନ୍ତୁ ଯେ କୃଷ୍ଣ ମୋତେ ଯାହା ଦେଇଛନ୍ତି ଏବଂ ଯାହା ଦେଇ ନାହାଁନ୍ତି ସେଥିପାଇଁ ମୁଁ କୃତଜ୍ଞ। ଯେଉଁମାନେ ମୋତେ ପ୍ରକୃତରେ ଭଲ ପାଆନ୍ତି ଏବଂ ପ୍ରଶଂସା କରନ୍ତି, ସେମାନେ ମୋର ମନୋଭାବକୁ ପ୍ରଶଂସା କରିବା ଉଚିତ୍। ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ହରେ କ୍ରିଷ୍ଣା।
ତେବେ ପୂର୍ବରୁ କଙ୍ଗନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିବ ବୋଲି ଚର୍ଚ୍ଚା ହେଉଥିଲେ ବି ଫଳାଫଳ କିଛି ଅଲଗା ଆସିଛି। ଏଥର ଆଲିଆ ଓ କ୍ରିତି ପୁରସ୍କାର ହାତେଇବା ସହ ଅଲ୍ଲୁ ଅର୍ଜୁନ ନିଜର କମାଲ ଦେଖାଇଛନ୍ତି।