ଦେଶ ବିଦେଶ

ବାବା ସିଦ୍ଦିକିଙ୍କ ପୂର୍ବରୁ ସଲ୍‌ମାନଙ୍କୁ ହତ୍ୟା ଯୋଜନା କରିଥିଲା ସୁଟର୍‌

ମୁମ୍ବାଇ: ପ୍ରାୟ ଦୁଇ ମାସ ତଳେ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ସୁଟର୍‌ମାନେ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ବାବା ସିଦ୍ଦିକି ହତ୍ୟା ମାମଲାରେ ଜେରା ବେଳେ ଅଭିଯୁକ୍ତମାନେ ଏହା ପ୍ରକାଶ କରିଛନ୍ତି। ଅକ୍ଟୋବର ୧୨ରେ ମୁମ୍ବାଇରେ ଥିବା ପୁଅ ଜିଶାନ ସିଦ୍ଦିକିଙ୍କ ବାନ୍ଦ୍ରା ପୂର୍ବ କାର୍ଯ୍ୟାଳୟ ବାହାରେ ୬୬ ବର୍ଷୀୟ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ୩ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ କହିଛି ଯେ ସଲମାନ ଖାନ୍‌ ତାଙ୍କ ହିଟ୍ ଲିଷ୍ଟରେ ଥିଲେ, କିନ୍ତୁ ଅଭିନେତାଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସେମାନେ ତାଙ୍କ ପାଖରେ ପହଞ୍ଚି ପାରି ନ ଥିଲେ।

ଏପ୍ରିଲ ୧୪ ତାରିଖ ବିଳମ୍ବିତ ରାତିରେ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ବାହାରେ ଦୁଇ ଜଣ ବାଇକ୍ ଆରୋହୀ ଗୁଳି ଚଳାଇଥିଲେ। ଗୁଳିଚାଳକ ଭିକି ଗୁପ୍ତା ଓ ସାଗର ପାଲଙ୍କୁ ଗୁଜରାଟରୁ ଗିରଫ କରାଯାଇଥିଲା। ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା। ଗତ କିଛି ମାସ ହେବ ସଲମାନ ଖାନ୍‌ଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ବାରମ୍ବାର ଧମକ ଦିଆଯାଉଛି। ଅନ୍ୟ ଲୋକ ବି ବିଷ୍ଣୋଇ ଗ୍ୟାଙ୍ଗର ବୋଲି କହି ଧମକ ଦେଉଛନ୍ତି। ଗତ ମାସରେ ନିଜକୁ ଲରେନ୍ସ ବିଷ୍ଣୋଇଙ୍କ ଭାଇ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ସଲମାନ ଖାନ୍‌ଙ୍କୁ ଧମକ ଦେଇଥିଲେ। ଫୋନ୍ କରିଥିବା ବ୍ୟକ୍ତି ଅଭିନେତାଙ୍କୁ ଏକ ମନ୍ଦିର ଯାଇ କୃଷ୍ଣସାର ହତ୍ୟା ପାଇଁ କ୍ଷମା ମାଗିବାକୁ କିମ୍ବା ୫ କୋଟି ଟଙ୍କା ଦେବାକୁ କହିଥିଲେ। ଗତ ଅକ୍ଟୋବର ମାସରେ ଜାମସେଦପୁରର ଜଣେ ପରିବା ବିକ୍ରେତା ସଲମାନ ଖାନ୍‌ଙ୍କୁ ଧମକ ଦେବା ଓ ୫ କୋଟି ଟଙ୍କା ମାଗିବା ଅଭିଯୋଗରେ ଗିରଫ ହୋଇଥିଲା। ସଲମାନ ଖାନ୍‌ଙ୍କୁ ଧମକ ଦେବା ଅଭିଯୋଗରେ ମୁମ୍ବାଇ ପୁଲିସ ନଏଡାର ଜଣେ ଯୁବକଙ୍କୁ ଗିରଫ କରିଛି। ବଢୁଥିବା ଧମକର ଜବାବରେ ଅଭିନେତାଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button