ସିରିଆରେ ଇସ୍ରାଏଲର ବୋମାବର୍ଷା: ୧୦୦ରୁ ଅଧିକ ସାମରିକ ସ୍ଥଳ ଧ୍ବସ୍ତ

ତେଲ ଅବିବ: ଇସ୍ରାଏଲ ସୋମବାର ପୂର୍ବତନ ଅସଦ୍ ସରକାର ସହ ଜଡିତ ସିରିଆର ୧୦୦ରୁ ଅଧିକ ସାମରିକ ସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ସିରିଆନ୍ ଅବଜର୍ଭେଟରି ଫର୍ ହ୍ୟୁମାନ ରାଇଟ୍ସ ଅନୁଯାୟୀ, ଏହି ଆକ୍ରମଣରେ ଦାମାସ୍କସ୍ ନିକଟସ୍ଥ ବାର୍ଜାହ ବୈଜ୍ଞାନିକ ଗବେଷଣା କେନ୍ଦ୍ର ଉପରେ ଆକ୍ରମଣ ଅନ୍ତର୍ଭୁକ୍ତ, ଯାହାର ରାସାୟନିକ ଅସ୍ତ୍ର ଉତ୍ପାଦନ ସହ ସମ୍ପର୍କ ଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ସନ୍ଦେହ କରୁଛନ୍ତି। ଡେଇର ଏଜୋର ପ୍ରଦେଶରେ ଥିବା ଅସ୍ତ୍ରଶସ୍ତ୍ର ଡିପୋ ଓ ଉତ୍ତର-ପୂର୍ବର କାମିଶଲି ସାମରିକ ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ରିପୋର୍ଟ ମିଳିଛି। ଲାଟାକିଆ ସାମୁଦ୍ରିକ ବନ୍ଦରରେ ପୂର୍ବତନ ସିରିଆ ନୌସେନାର ଡଙ୍ଗା ନଷ୍ଟ ହୋଇଥିବା ବେଳେ ଭୂମଧ୍ୟସାଗର ନିକଟରେ ଥିବା ଏୟାର୍ ଡିଫେନ୍ସ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଛି ବୋଲି ସିରିଆ ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି।
ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଡିଓନ ସାର୍ ଗୋଲାନ ହାଇଟ୍ସରେ ଏକ ବଫର ଜୋନରେ ଇସ୍ରାଏଲ ସୈନ୍ୟ ମୁତୟନକୁ ସୁରକ୍ଷା ଦୃଷ୍ଟିରୁ ଜରୁରୀ ଓ ଏକ ଅସ୍ଥାୟୀ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ୧୯୮୧ ମସିହାରେ ଇସ୍ରାଏଲ ଅକ୍ତିଆର କରିଥିବା ଏହି ଅଞ୍ଚଳ ଅସଦ୍ଙ୍କୁ ହଟାଇବା ପରେ କ୍ରମଶଃ ଅସ୍ଥିର ହେବାରେ ଲାଗିଛି। ଦୀର୍ଘଦିନ ଧରି ସିରିଆରେ ଇରାନ ସଂପୃକ୍ତ ଟାର୍ଗେଟ ବିରୋଧରେ ଅଭିଯାନ ଚଳାଇଥିବା ଇସ୍ରାଏଲ ଏବେ ଚାଲିଥିବା ଗାଜା ସଂଘର୍ଷ ଏବଂ ଆଞ୍ଚଳିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଏହି ପ୍ରୟାସକୁ ଜୋରଦାର କରିଛି। ନିକଟରେ ହୋଇଥିବା ଆକ୍ରମଣରେ ଇରାନ ଦ୍ୱାରା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକଶିତ କରିବା ପାଇଁ ବ୍ୟବହୃତ ହେଉଥିବା ସ୍ଥାନ ଉପରେ ଆକ୍ରମଣ ଅନ୍ତର୍ଭୁକ୍ତ। ତେଣେ ଲେବାନନର ହେଜବୁଲ୍ଲା ସିରିଆରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଛି। ଏକ ବିବୃତିରେ ହେଜବୁଲ୍ଲା ଘୋଷଣା କରିଛି ଯେ, ଆମେ ସିରିଆ ଓ ଏହାର ଜନସାଧାରଣଙ୍କ ପ୍ରତି ଆମର ସମର୍ଥନକୁ ସୁନିଶ୍ଚିତ କରୁଛୁ। ଅସଦ୍ ଶାସନର ଦୀର୍ଘଦିନର ସହଯୋଗୀ ହେଜବୁଲ୍ଲା ସିରିଆର ପରିବର୍ତ୍ତିତ ଦୃଶ୍ୟପଟକୁ ଦେଖି ଏଭଳି ମନ୍ତବ୍ୟ ଦେଇଛି