ଆଇସିୟୁରେ ଆଡ଼ଭାନୀ

ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ରାତିରେ ବିଗିଡ଼ିବା ପରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଇନ୍ଦ୍ରପ୍ରସ୍ଥସ୍ଥିତ ଆପୋଲୋ ହସ୍ପିଟାଲର ଆଇସିୟୁରେ ଅଛନନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନ୍ୟୁରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିନୀତ ସୁରିଙ୍କ ତତ୍ତ୍ୱାବଧାନରେ ସେ ଅଛନ୍ତି। ଗତ କିଛିମାସ ହେଲା ଆଡ଼ଭାନୀ ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି।
ଗତମାସରେ ଆଡ଼ଭାନୀଙ୍କର ୯୭ତମ ଜନ୍ମଦିନ ପାଳନ ହୋଇଥିଲା। ବର୍ତ୍ତମାନକୁ ମିଶାଇ ଗତ ଜୁଲାଇ ମାସରୁ ସେ ୪ ଥର ଡାକ୍ତରଖାନାରେ ଭର୍ତ୍ତି ହେଲେଣି। ପୂର୍ବରୁ ସେ ଉଭୟ ଆପୋଲୋ ଏବଂ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଦିଲ୍ଲୀରେ ଚିକିତ୍ସିତ ହୋଇଛନ୍ତି। ବିଜେପି ପ୍ରବକ୍ତା କେ କ୍ରିଷ୍ଣା ସାଗର ରାଓ ଆଡ଼ଭାନୀଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚଳିତବର୍ଷ ମାର୍ଚ୍ଚ ମାସରେ ଆଡ଼ଭାନୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା।