ବ୍ୟବସାୟ

ନିବେଶକଙ୍କ ସହ ଯୋଡ଼ିହେବେ ଷ୍ଟାର୍ଟଅପ୍: ଆଇଡିଆ ପିଚ୍‌ କରି ପାଣ୍ଠି ପାଇପାରିବେ – Utkal Mail


ଫଣ୍ଡ୍‌ଷ୍ଟାକ୍ ୩.୦ରେ ଆବେଦନ କରିହେବ, ରାଜ୍ୟରେ ୧୭୦୦ରୁ ଅଧିକ ଷ୍ଟାର୍ଟଅପ୍

ଭୁବନେଶ୍ବର: ବ୍ୟବସାୟ ଚିନ୍ତାଧାରାକୁ ବାସ୍ତବ ରୂପ ଦେବା କିମ୍ବା ଆଗକୁ ବଢ଼ିବା ଲାଗି ଯାହା ନିହାତି ଜରୁରୀ ତାହା ହେଉଛି ପାଣ୍ଠି। ଷ୍ଟାର୍ଟଅପ୍‌ଗୁଡ଼ିକୁ ଯେଭଳି ସହଜରେ ପାଣ୍ଠି ମିଳିପାରିବ ସେଥିପାଇଁ ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ‌ଫଣ୍ଡ୍‌ଷ୍ଟାକ୍ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଷ୍ଟାର୍ଟଅପ୍‌ଗୁଡ଼ିକ ନିବେଶକମାନଙ୍କ ସହ ଯୋଡ଼ିହୋଇପାରିବେ। ସେମାନଙ୍କୁ ନିଜ ବ୍ୟବସାୟ ଚିନ୍ତାଧାରା ବି‌ଷୟରେ ଅବଗତ କରିବା ସହ ପାଣ୍ଠି ପାଇଁ ଦାବି ଉପସ୍ଥାପନ କରିପାରିବେ। ଫଣ୍ଡ୍‌ଷ୍ଟାକ୍‌ ୩.୦ରେ ଭାଗ ନେବାକୁ ଚାହୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ଷ୍ଟାର୍ଟଅପ୍‌ ଓଡ଼ିଶାର ୱେବସାାଇଟ୍‌ ଜରିଆରେ ଆବେଦନ କରିପାରିବେ।

ଆଇଡିଆ ପିଚ୍‌ କରି ପାଣ୍ଠି ପାଇପାରିବେ
ଫଣ୍ଡ୍‌ଷ୍ଟାକ୍ ୩.୦ରେ ଆବେଦନ କରିହେବ
ରାଜ୍ୟରେ ୧୭୦୦ରୁ ଅଧିକ ଷ୍ଟାର୍ଟଅପ୍
୬୦୦ ଷ୍ଟାର୍ଟଅପ୍‌ର ମଙ୍ଗ ସମ୍ଭାଳୁଛନ୍ତି ମହିଳା

ଏ ସମ୍ପର୍କରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଓମ୍‌କାର୍‌ ରାଏ କହିଛନ୍ତି ଯେ ଗତବର୍ଷ ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା। ନିବେଶକମାନଙ୍କ ପାଖରେ ୨୦ଟି ଷ୍ଟାର୍ଟଅପ୍‌ ପହଞ୍ଚିପାରିଥିଲେ। ଟ୍ରାନ୍ସପୋର୍ଟ ସିମ୍ପଲ, ହୋମ୍‌ଭେରି, କାର୍ବନ ଆଉଟ୍‌, ଲାର୍କଏଆଇ ଭଳି ଷ୍ଟାର୍ଟଅପ୍ ନିଜର ପ୍ରଥମ ପାଣ୍ଠି ମଧ୍ୟ ଯୋଗାଡ଼ କରିବାରେ ସଫଳ ହୋଇଥିଲେ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ପ୍ରଥମେ ୫୦ ଷ୍ଟାର୍ଟଅପ୍‌କୁ ଚୟନ କରାଯିବ। ନିବେଶକମାନଙ୍କ ସାମ୍ନାରେ କିଭଳି ସେମାନେ ବ୍ୟବସାୟ ଚିନ୍ତାଧାରା ଉପସ୍ଥାପନ କରିବେ ସେନେଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ନଭେମ୍ବର ୨୧ରେ ସେମାନେ ନିବେଶକଙ୍କୁ ଭେଟିବେ। ସେମାନଙ୍କ ଭିତରୁ ଶ୍ରେଷ୍ଠ ୨୦ ଷ୍ଟାର୍ଟଅପ୍‌କୁ ଚୟନ କରି ନିବେଶକମାନଙ୍କ ସହ ବ୍ୟକ୍ତିଗତ ସାକ୍ଷାତକାର ସୁଯୋଗ ପ୍ରଦାନ କରାଯିବ। ନଭେମ୍ବର ୨୨ରେ କାର୍ଯ୍ୟକ୍ରମ ଶେଷ ହେବ।

ଡ. ରାଏ କହିଛନ୍ତି ଯେ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍‌ ସୃଷ୍ଟି କରିବା ଲାଗି ଓଡ଼ିଶା ସରକାର ଯେଉଁ ଅଭିଳାଷ ରଖିଛନ୍ତି ତାହାକୁ ସାକାର କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବର୍ତ୍ତମାନ ରାଜ୍ୟରେ ୧୭୦୦ରୁ ଅଧିକ ଷ୍ଟାର୍ଟଅପ୍ ସଂସ୍ଥା ଥିବା ବେଳେ ସେଥିରୁ ୬୦୦ରୁ ଅଧିକ ସଂସ୍ଥା ମହିଳାମାନଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ୧୫ଟି ନୋଡାଲ ଏଜେନ୍ସି, ୭୫ ଇ-ସେଲ୍, ୧୫ ଗବେଷଣା ଓ ବିକାଶ କେନ୍ଦ୍ର ‌ଓ ୨୦୦ରୁ ଅଧିକ ମେଣ୍ଟର ସେମାନଙ୍କୁ ସହଯୋଗ ପ୍ରଦାନ କରୁଛନ୍ତି। ୨୦୨୦-୨୧ରେ ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକ ୩୫୦.୪୨ କୋଟି ଟଙ୍କାର ରାଜସ୍ବ ହାସଲ କରିଥିଲେ। ରାଜ୍ୟର ଷ୍ଟାର୍ଟଅପ୍‌ଗୁଡ଼ିକ ବାହାରୁ ୩୫୭ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିଥଲେ। ରାଜ୍ୟ ସରକାର ୪୦୦ରୁ ଅଧିକ ଷ୍ଟାର୍ଟଅପ୍‌କୁ ୩୦ କୋଟି ଟଙ୍କାର ଅଧିକ ଅନୁଦାନ ପ୍ରଦାନ କରିଛନ୍ତି। ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଏକ ଓଡ଼ିଶା ଷ୍ଟାର୍ଟଅପ୍ ଗ୍ରୋଥ୍‌ ଫଣ୍ଡ୍‌ ସ୍ତାପନ କରିଛନ୍ତି। ଚାରି ଲକ୍ଷ ବର୍ଗଫୁଟର ଇନକୁବେସନ ସେଣ୍ଟର ‘ଓ-ହବ୍‌’ ମଧ୍ୟ ଭୁବନେଶ୍ବରରେ ସ୍ଥାପନ କରାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button