ରାଜନୀତି

ରାଜ୍ୟସଭାରେ ସମ୍ବିଧାନ ବିତର୍କ ଆରମ୍ଭ: ବାକ୍‌ ସ୍ବାଧୀନତା ଛଡ଼ାଇ ନେଇଥିଲା କଂଗ୍ରେସ

ନୂଆଦିଲ୍ଲୀ: ସମ୍ବିଧାନର ୭୫ ବର୍ଷ ପୂରଣ ଉପଲକ୍ଷେ ଏହାର ଗୌରବମୟ ଯାତ୍ରା ଉପରେ ଲୋକସଭା ପରେ ଆଜି ରାଜ୍ୟସଭାରେ ଆଲୋଚନା ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବକ୍ତବ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମେତ କଂଗ୍ରେସର ପୂର୍ବତନ ନେତାମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସମ୍ବିଧାନକୁ ଦବଳାଇବା ନେଇ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ସେ ଟାର୍ଗେଟ୍‌ କରିଥିଲେ। ସେମାନେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନୁହେଁ ବରଂ କ୍ଷମତା ଉପରେ ନିଜର ଦଖଲ ରକ୍ଷା ପାଇଁ ଏଥିରେ ସଂଶୋଧନ କରିଛନ୍ତି ବୋଲି ସେ ଯୁକ୍ତି ରଖିଥିଲେ। ଅର୍ଥମନ୍ତ୍ରୀ ବିଶେଷ କରି ୧୯୫୧ ମସିହାର ପ୍ରଥମ ସମ୍ବିଧାନ ସଂଶୋଧନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ପ୍ରଥମ ସମ୍ବିଧାନ ସଂଶୋଧନ ନିର୍ବାଚିତ ସରକାର ପରିବର୍ତ୍ତେ ଅନ୍ତରୀଣ ସରକାର ପାରିତ କରିଥିଲେ। ଏହି ସଂଶୋଧନରେ ଧାରା ୧୯(୨) ଅନୁଯାୟୀ ବାକ୍ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯେଉଁଥିରେ ଜନଶୃଙ୍ଖଳା, ବିଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓ ଅପରାଧକୁ ପ୍ରୋତ୍ସାହିତ କରିବା ଭଳି କାରଣ ଦର୍ଶାଯାଇଥିଲା। ସୀତାରମଣ ଦର୍ଶାଇଛନ୍ତି ଯେ, ସମ୍ବିଧାନ ଗ୍ରହଣର ଠିକ୍ ବର୍ଷକ ପରେ ଏହି ସଂଶୋଧନ ଆସିଛି, ଯାହା କି ଅଭିବ୍ୟକ୍ତି ସ୍ୱାଧୀନତାକୁ ବଜାୟ ରଖିଥିବା ଐତିହାସିକ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଆସିଛି। ସଂଶୋଧନ ପୂର୍ବରୁ ନେହରୁଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ବାକ୍ ସ୍ବାଧୀନତା ଉପରେ ପ୍ରତିବନ୍ଧକ ଲଗାଇଥିବା ସେ ଅଭିଯୋଗ କରିଛନ୍ତି। ୧୯୪୯ରେ ନେହରୁ ମଜନୁ ସୁଲତାନପୁରୀ ଓ ବଳରାଜ ସାହାନୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କୁ ଜେଲ୍‌ରେ ରଖିଥିଲେ। କଂଗ୍ରେସର ଅସନ୍ତୋଷକୁ ଦମନ କରିବା ପାଇଁ ଚାଲିଥିବା ପ୍ରୟାସର ଏହା ଏକ ଉଦାହରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାବ୍ୟତୀତ ସୀତାରମଣ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳରେ ପ୍ରଣୟନ କରାଯାଇଥିବା ୧୯୭୫ର ୩୯ତମ ସମ୍ବିଧାନ ସଂଶୋଧନକୁ ସମାଲୋଚନା କରିଥିଲେ, ଯାହା ପ୍ରଧାନମନ୍ତ୍ରୀ ଓ ଅନ୍ୟ ପ୍ରମୁଖ ଅଧିକାରୀମାନଙ୍କୁ ନ୍ୟାୟିକ ଯାଞ୍ଚରୁ ରକ୍ଷା କରିଥିଲା। ୧୯୭୫ରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରାଯିବାକୁ ସେ ସମାଲୋଚନା କରିବା ସହ ସେହି ସମୟରେ କରାଯାଇଥିବା ସାମ୍ବିଧାନିକ ସଂଶୋଧନକୁ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପରିବର୍ତ୍ତେ କ୍ଷମତାକୁ ସୁଦୃଢ଼ କରିବାର ପ୍ରୟାସ ବୋଲି ବର୍ଣ୍ଣନା କରିଥିଲେ।

ପ୍ରଧାନମନ୍ତ୍ରୀ ମଣିପୁର ଯିବାକୁ ପ୍ରସ୍ତୁତ ନୁହନ୍ତି: ଖଡ଼ଗେ

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଅନେକ ଦେଶରେ ସାର୍ବଜନୀନ ସାବାଳକ ମତାଧିକାର ନ ଥିବା ବେଳେ କଂଗ୍ରେସ କାରଣରୁ ଭାରତରେ ଏହି ଅଧିକାର ରହିଛି। ଯେତେବେଳେ ଅନେକ ଶକ୍ତିଶାଳୀ ଦେଶରେ ମହିଳାଙ୍କୁ ଭୋଟ୍ ଦେବାର ଅଧିକାର ନ ଥିଲା, ସେତେବେଳେ ଭାରତ ମହିଳାମାନଙ୍କୁ ମତଦାନ ଅଧିକାର ଦିଆଯାଇଥିଲା। ଏହା କଂଗ୍ରେସ ଓ ସମ୍ବିଧାନ ଦ୍ବାରା ଦିଆଯାଇଥିଲା। ଆର୍‌ଏସ୍‌ଏସ୍‌, ଜନସଂଘ ଏହାକୁ ବିରୋଧ କରିଥିଲେ। ଆରଏସ୍‌ଏସ୍‌ର ମୁଖ୍ୟାଳୟରେ ୨୦୦୨ ମସିହା ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ା ନଯାଇ ଗେରୁଆ ପତାକା ଉଡ଼ାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶପରେ ସେଠାରେ ସେହିବର୍ଷ ଜାନୁଆରି ୨୬ରେ ଜାତୀୟ ପତାକା ଉଡ଼ିଥିଲା ବୋଲି କହି ଖଡ଼ଗେ ବିଜେପିକୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସବୁଠିକି ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି, କିନ୍ତୁ ମଣିପୁର ଯିବାକୁ ପ୍ରସ୍ତୁତ ନୁହନ୍ତି। ସମ୍ବିଧାନକୁ ଅସମ୍ମାନ କରୁଥିବା ଲୋକ ଆମକୁ ପାଠ ପଢ଼ାଉଛନ୍ତି ବୋଲି ଖଡ଼ଗେ କହିଥିଲେ। କଂଗ୍ରେସ ସାଂସଦ ମୁକୁଲ ୱାସ୍ନିକ୍ କହିଥିଲେ, ଅର୍ଥମନ୍ତ୍ରୀ ଶାସକ ଦଳ ଦ୍ୱାରା ପ୍ରଣୟନ ମହିଳା ସମ୍ବନ୍ଧୀୟ ଆଇନ ବିଷୟରେ ଅନେକ କଥା କହିଛନ୍ତି। ଏହା ଏକ ଭଲ କଥା। କିନ୍ତୁ ଜାତୀୟସ୍ତରରେ ବିଜେପିର ଜଣେ ମହିଳା ସଭାପତିଙ୍କୁ ଦେଖିବାକୁ ମିଳିନାହିଁ। ଆସନ୍ତା ବର୍ଷ ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ଆର୍‌ଏସ୍‌ଏସ୍‌ର କୌଣସି ମହିଳା ସରସଂଘଚାଳକ କେବେ ଦେଖିଛନ୍ତି କି ବୋଲି ୱାସ୍ନିକ୍ ପ୍ରଶ୍ନ କରିଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button