ଦେଶ ବିଦେଶ

ଗୋଟିଏ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେ: ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ‘ଏକ ଦେଶ, ‌ଏକ ନିର୍ବାଚନ’ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍‌ ଲୋକସଭାରେ ଆଗତ କରିଛନ୍ତି। ଦେଶରେ ଏକସଙ୍ଗେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଉଦ୍ଦେଶ୍ୟରେ ଏହି ବିଲ୍‌ ପ୍ରସ୍ତୁତ ହୋଇଛି। ବିଲ୍‌କୁ ବିରୋଧୀ ସଦସ୍ୟ ପ୍ରବଳ ବିରୋଧ କରିବା ସହ ମତ ବିଭାଜନ ଦାବି କରିଥିଲେ। ଏଥିପାଇଁ ଭୋଟ୍‌ ହୋଇଥିଲା। ‌ବିଲ୍‌ ଆଗତ ସପକ୍ଷରେ ୨୬୯ ଏବଂ ବିପକ୍ଷରେ ୧୯୮ ଭୋଟ୍ ପଡ଼ିଥିଲା। ଏହା ପରେ କେନ୍ଦ୍ର ଆଇନ ମନ୍ତ୍ରୀ ଉକ୍ତ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କରିଥିଲେ। ଏଥିସହିତ ‌କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍‌ ମଧ୍ୟ ଆଇନ ମନ୍ତ୍ରୀ ଆଗତ କରିଛନ୍ତି। ବିଲ୍‌ ଆଗତ ପରେ ଆଇନମନ୍ତ୍ରୀ ମେଘୱାଲ ଏହାକୁ ବ୍ୟାପକ ବିଚାରବିମର୍ଶ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ଲୋକସଭା ଓ ବିଧାନସଭାଗୁଡ଼ିକ ସହିତ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନକୁ ଏକାଠି କରାଇବା ପାଇଁ ଏହି ବିଲ୍‌ ଆଗତ କରାଯାଇଛି। ବିଲ୍‌ ଆଗତ ଅବସରରେ ଆଇନ ମନ୍ତ୍ରୀ କହିଥିଲେ, ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଏହି ବିଲ୍‌ ପ୍ରସ୍ତୁତ ହୋଇଛି। ସମ୍ବିଧାନର ମୌଳିକ ଢାଞ୍ଚାର ସିଦ୍ଧାନ୍ତ ଉପରେ ଏହା ଆକ୍ରମଣ କରୁନାହିଁ। ଏହାକୁ ଯେଉଁ ବିରୋଧ କରାଯାଉଛି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମେଘୱାଲ କହିଥିଲେ। ଅନ୍ୟପକ୍ଷରେ ବିରୋଧୀଦଳଗୁଡ଼ିକ ଏହି ବିଲ୍‌କୁ ପ୍ରବଳ ବିରୋଧ କରିଥିଲେ। ଏହା ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଏବଂ ‌ଜଣକ ପାଖରେ କ୍ଷମତା ଠୁଳ ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ସଦସ୍ୟମାନେ କହିଥିଲେ। ଦେଶର ସଂଘୀୟ ବ୍ୟବସ୍ଥା ଏବଂ ରାଜ୍ୟଗୁଡ଼ିକର ସ୍ବାଧୀନତା ଉପରେ ଏହା ଆକ୍ରମଣ। ଗଣତନ୍ତ୍ରକୁ ହତ୍ୟା କରିବା ଏବଂ ଏକଛତ୍ରବାଦକୁ ସ୍ଥାପନ କରିବା ପାଇଁ ଏହି ବିଲ୍‌ ଅଣାଯାଇଛି ବୋଲି ମତ ଦେଇଥିଲେ। ଏହି ବିଲ୍‌କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ। ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ ଅୱେସି ଏହି ବିଲ୍‌କୁ ବିରୋଧ କରିବା ସହିତ ଆଞ୍ଚଳିକ ଦଳଗୁଡ଼ିକୁ ଏହା ମାରିଦେବ ବୋଲି କହିଥିଲେ। ଏକ ନିର୍ଦ୍ଦିଷ୍ଟ ଦଳକୁ ରାଜନୈତିକ ଫାଇଦା ଦେବାପାଇଁ ଏହି ବିଲ୍ ଅଣାଯାଇଛି ଏବଂ ଏହା ରାଷ୍ଟ୍ରପତି ପ୍ରଧାନ ସରକାର ଗଠନ ପାଇଁ ବାଟ ଫିଟାଇବ ବୋଲି ସେ କହିଥିଲେ। କଂଗ୍ରେସ ସାଂସଦ ମନିଷ ତିୱାରୀ ଏହି ବିଲ୍‌କୁ ବିରୋଧ କରିବା ସହିତ ସମ୍ବିଧାନର ମୌଳିକ ଢାଞ୍ଚା ଉପରେ ଏହା ଆକ୍ରମଣ ବୋଲି କହିଥିଲେ। ଏପରିକି ସମ୍ବିଧାନର ମୌଳିକ ଢାଞ୍ଚା ସିଦ୍ଧାନ୍ତର ସଂଶୋଧନ ଲୋକସଭାର କ୍ଷମତା ବାହାରେ ବୋଲି ସେ ମତ ଦେଇଥିଲେ। ସମାଜବାଦୀ ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ। ଦୁଇ ଦିନ ତଳେ ସମ୍ବିଧାନ ବଞ୍ଚାଇବା କଥା କହୁଥିବା ସରକାର କିଭଳି ଏହି ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଉକ୍ତ ବିଲ୍‌ର ବିସ୍ତୃତ ଅନୁଧ୍ୟାନ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌ ଲୋକସଭାରେ ଆଗତ, ଜେପିସିକୁ ପଠାଯିବ

ସଂଘୀୟ ବ୍ୟବସ୍ଥାକୁ ଚୋଟ, ଲୋପ ପାଇଯିବେ ଆଞ୍ଚଳିକ ଦଳ

ଉଲ୍ଲେଖଯୋଗ୍ୟ, କେନ୍ଦ୍ର କ୍ୟାବିନେଟ୍ ଚଳିତମାସ ୧୨ ତାରିଖରେ ଏହି ବିଲ୍‌କୁ ମଞ୍ଜୁରି ଦେଇଥିଲା। ସେପ୍ଟେମ୍ବରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ କମିଟି ଏକ ଦେଶ, ଏକ ନିର୍ବାଚନ ପାଇଁ କରିଥିବା ସୁପାରିସକୁ କେନ୍ଦ୍ର କ୍ୟାବିନେଟ୍ ଗ୍ରହଣ କରିଥିଲା। କମିଟି ଦେଶରେ ଦୁଇଟି ପର୍ଯ୍ୟାୟରେ ୧୦୦ ଦିନ ମଧ୍ୟରେ ନିର୍ବାଚନ କରିବା ପାଇଁ ସୁପାରିସ କରିଛି। ପ୍ରଥମେ ଲୋକସଭା ଏବଂ ବିଧାନସଭାଗୁଡ଼ିକର ନିର୍ବାଚନ ହେବ। ଏହାପରେ ପଞ୍ଚାୟତ ଏବଂ ପୌରସଂସ୍ଥାଗୁଡ଼ିକର ନିର୍ବାଚନ ହେବ।

୨୦ରୁ ଅଧିକ ବିଜେପି ସାଂସଦ ଅନୁପସ୍ଥିତ
ନୂଆଦିଲ୍ଲୀ, ୧୭/୧୨: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ପକ୍ଷରୁ ଆଜି ଲୋକସଭାରେ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କରାଯାଇଥିଲା। ଏହି ସମୟରେ ଗୃହରେ ଏହା ଉପସ୍ଥିତ ରହିବା ପାଇଁ ପୂର୍ବରୁ ୩ ଧାଡ଼ିଆ ହ୍ବିପ୍‌ ଜାରି କରାଯାଇଥିଲା। ଏହି ସତ୍ତ୍ବେ ମତ ବିଭାଜନ ସମୟରେ ୨୦ରୁ ଅଧିକ ସାଂସଦ ଅନୁପସ୍ଥିତ ଥିଲେ। ବିଲ୍‌ ଆଗତ ସପକ୍ଷରେ ୨୬୯ ଏବଂ ବିପକ୍ଷରେ ୧୯୮ଜଣ ‌ଭୋଟ ଦେଇଛନ୍ତି। ଯଦିଓ ସରକାରୀ ସାଂସଦଙ୍କ ଅନୁପସ୍ଥିତି ସେତେଟା ଫରକ ପକାଇ ନାହିଁ ତଥାପି ଏହାଦ୍ବାରା ସରକାରଙ୍କୁ ଆକ୍ରମଣ ପାଇଁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କୁ ସୁଯୋଗ ମିଳିଯାଇଛି। କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ ସରକାରଙ୍କ ନିକଟରେ ଅଧିକ ସଂଖ୍ୟା ରହିଛି। କିନ୍ତୁ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରିବା ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button