ଓଡିଶା

ସିନ୍‌ ରିକ୍ରିଏସନ୍‌ରେ ଭୟଙ୍କର ଚିତ୍ର: ମାଡ଼ିବସି ଫୋଡ଼ିଥିଲେ ଇଞ୍ଜେକ୍‌ସନ୍‌

ଭୁବନେଶ୍ବର: ‘ଏକ ଦିନବେଳିଆ ଭୋଜିରେ ଯୋଗଦେବାକୁ କହି ଘଟଣା ଦିନ ଆମେ କେସୁରାସ୍ଥିତ ଭଡ଼ାଘରୁ ବାହାରି ଭରତପୁର ଥାନା ଅଧୀନ ଶ୍ୟାମପୁରକୁ ଯାଇଥିଲୁ। ଶୁଭଶ୍ରୀ ପ୍ରଥମେ ମନାକରୁଥିଲା, କିନ୍ତୁ ପରେ ତାକୁ ମନାଇବାରେ ସଫଳ ହେଲି। ରୋଜି ଓ ଇଜିତା ଉକ୍ତ ଭୋଜିକୁ ଯାଇଥିବା ଭାବି ଶୁଭଶ୍ରୀ ମନା କରୁଥିଲା। କିନ୍ତୁ ମୁଁ ମନା କଲି ଏବଂ ଶୁଭଶ୍ରୀ ବିଶ୍ବାସ କରିଯାଇଥିଲା।

ମୁଁ ଶୁଭଶ୍ରୀଙ୍କୁ ନେଇ ଶ୍ୟାମପୁରସ୍ଥିତ ଏକ ଭଡ଼ାଘରେ ପହଞ୍ଚିଥିଲି। ସେଠାରେ ଭୋଜିଭାତର ଚିହ୍ନବର୍ଣ୍ଣ ନ ପାଇ ଶୁଭଶ୍ରୀ ସନ୍ଦେହ କରିଥିଲା। କିନ୍ତୁ ସେତେବେଳକୁ ସେ ଆମ ମାୟାଜାଲରେ ଫସି ସାରିଥିଲା। ପୂରା ପ୍ରସ୍ତୁତ ହୋଇ ଘରେ ଛକି ବସିଥିବା ରୋଜି ଓ ଇଜିତା ବାହାରିଆସିଲେ ଏବଂ ଆମେ ସମସ୍ତେ ମିଶି ଶୁଭଶ୍ରୀକୁ କାବୁ କଲୁ। ତାକୁ ଚିତ୍କାର କରିବାକୁ ମଉକା ଦେଲୁନାହିଁ। ଶୁଭଶ୍ରୀର ବେକ ଓ ହାତଦ୍ବୟକୁ ପଛପଟୁ ଜାବୁଡ଼ି ଧରିଲା ରୋଜି ଏବଂ ମୁଁ ଗୋଡ଼ ଦୁଇଟିକୁ ଶକ୍ତ ଭାବେ ଧରିଲି। ଶୁଭଶ୍ରୀ ହାତରେ ଇଜିତା ନିଶ୍ଚେତକ ଇଞ୍ଜେକ୍ସନ୍ ଫୋଡ଼ିଲା। ମାତ୍ର ତରବରରେ ସେ ଶିରାପ୍ରଶିରା ନ ପାଇବାରୁ ପ୍ରଥମ ଇଞ୍ଜେକ୍ସନ୍ ନଷ୍ଟ ହୋଇଗଲା। ଏହାପରେ ଇଜିତା ମୋ ଜାଗାରେ ଶୁଭଶ୍ରୀର ଗୋଡ଼ ଦୁଇଟିକୁ ଜାବୁଡ଼ି ଧରିଲା। ମୁଁ ଶୁଭଶ୍ରୀର ଅଣ୍ଟାରେ ୩ଟି ଇଞ୍ଜେକ୍ସନ୍ ଫୋଡ଼ିଲି। ମାତ୍ର ୨/୩ ମିନିଟ୍ରେ ଶୁଭଶ୍ରୀ ସଂଜ୍ଞାହୀନ ହୋଇଗଲା ଏବଂ ସବୁଦିନ ପାଇଁ ଆଖିବୁଜିଦେଲା।’ ମୂଳରୁ ଶେଷ ଯାଏ ଏମିତି ଗୋଟିଗୋଟି କରି ଶୁଭଶ୍ରୀ ହତ୍ୟାକାଣ୍ଡର କଥା କହିଚାଲିଥିଲା ପତ୍ନୀହନ୍ତା ପ୍ରଦ୍ୟୁମ୍ନ। ଦିନିକିଆ ରିମାଣ୍ଡ୍ରେ ଆସିଥିବା ପ୍ରଦ୍ୟୁମ୍ନକୁ ନେଇ ଭରତପୁର ଥାନା ପୁଲିସ ଆଜି ସିନ୍ ରିକ୍ରିଏସନ୍ କଲା ବେଳେ ଏଭଳି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଥିଲା।

ସିନ୍ ରିକ୍ରିଏସନ୍ରେ ଭୟଙ୍କର ଚିତ୍ର

ରିମାଣ୍ଡ୍ରେ ପତ୍ନୀହନ୍ତା ପ୍ରଦ୍ୟୁମ୍ନ

ଇଜିତା ଓ ରୋଜି ଭଳି ଦୁଇ ଦୁଇ ଜଣ ପ୍ରେମିକା ସମ୍ପର୍କରେ ମଧ୍ୟ ପୁଲିସ ପ୍ରଦ୍ୟୁମ୍ନଠାରୁ କିଛି ତଥ୍ୟ ହାସଲ କରିଛି। ପ୍ରଦ୍ୟୁମ୍ନ କହିଛି ଯେ ସେ ଇଜିତାକୁ ଭଲ ପାଉଥିଲା ଏବଂ ବାହା ହେବାକୁ ଚାହୁଥିଲା। କିନ୍ତୁ ରୋଜି ତା’ ଆଡ଼ୁ ପ୍ରଦ୍ୟୁମ୍ନକୁ ଭଲ ପାଉଥିଲା। ରୋଜି ଏକଦା ପ୍ରପୋଜ୍ କରିବା ବେଳେ ପ୍ରଦ୍ୟୁମ୍ନ ଖୋଲାଖୋଲି ଭାବେ ଇଜିତାକୁ ଭଲ ପାଉଥିବା ଏବଂ ବିବାହ କରିବ ବୋଲି କହିଥିଲା। ଏହାପରେ ରୋଜି ଓହରିଯାଇଥିଲା। କିନ୍ତୁ ପ୍ରଦ୍ୟୁମ୍ନ ଓ ଇଜିତା ବାଟରେ କଣ୍ଟା ସାଜିଥିଲା ଶୁଭଶ୍ରୀ। ପୁଲିସ ଓ କୋର୍ଟ କଚେରି ଭୟ ଦେଖାଇ ପ୍ରଦ୍ୟୁମ୍ନକୁ ମାନସିକ ନିର୍ଯାତନା ଦେଇ ହନ୍ତସନ୍ତ କରୁଥିଲା। ତେଣୁ ତାକୁ ହତ୍ୟା କରି ସବୁଦିନ ପାଇଁ ରାସ୍ତାରୁ କଣ୍ଟା ହଟାଇବାକୁ ପ୍ରଦ୍ୟୁମ୍ନ ଯୋଜନା କରୁଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରଦ୍ୟୁମ୍ନ ମୁଣ୍ଡରେ ଆନାସ୍ଥେସିଆ ପ୍ରୟୋଗ କଥା ଢୁକିଥିଲା। ଏଥିରେ ଇଜିତା ଓ ରୋଜି ତାକୁ ସବୁମତେ ସହଯୋଗ କରିଥିଲେ। ମାତ୍ର ସେମାନେ ଭୁଲିଯାଇଥିଲେ ଯେ ଶବ ବ୍ୟବଚ୍ଛେଦ ବୋଲି ଏକ ପ୍ରକ୍ରିୟା ରହିଛି। ପ୍ରଦ୍ୟୁମ୍ନ ଫାର୍ମାସିଷ୍ଟ୍ ଥିବା ବେଳେ ରୋଜି ଓ ଇଜିତା ନର୍ସ ଭାବେ କାମ କରୁଥିଲେ। ତଥାପି ସେମାନଙ୍କର କାହା ମୁଣ୍ଡକୁ ଶବ ବ୍ୟବଚ୍ଛେଦ ପ୍ରସଙ୍ଗ ଢୁକି ନଥିଲା। ତେଣୁ ଶୁଭଶ୍ରୀଙ୍କୁ ମାରିବା ପାଇଁ ସେମାନେ ଯେଉଁ ସୁଚିନ୍ତିତ ଯୋଜନା କରିଥିଲେ, ତାହା କାମ କଲା ନାହିଁ। ଧରାପଡ଼ିଗଲେ।
ଇଜିତା ଓ ରୋଜି ପ୍ରସଙ୍ଗରେ ପ୍ରଦ୍ୟୁମ୍ନ ସବୁ ସତ କହିନାହିଁ। ସେହିଭଳି ସେମାନେ ଆନାସ୍ଥେସିଆ କେଉଁଠୁ ଓ କିଭଳି କିଣିଲେ ବା ଯୋଗାଡ଼କଲେ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେଣୁ ଆଜି ରାତିରେ ତାକୁ ପୁଣି ଜେରା କରାଯିବ ଏବଂ ଆସନ୍ତାକାଲି ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯିବ ବୋଲି ପୁଲିସ କହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button