ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ : ତୃତୀୟ ଦିନରେ ବର୍ଷା ହେଲାନି, ହେଲେ ପଡିପାରିଲାନି ଗୋଟିଏ ବଲ୍

ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ବି ହୋଇପାରିଲାନି ଖେଳ । ବିନା ଖେଳରେ ତୃତୀୟ ଦିନକୁ ବାତିଲ କରି ଦିଆଯାଇଛି । ଦ୍ୱିତୀୟ ଦିନରେ ଲଗାଣ ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ ପାରି ନଥିଲା । ଆଜି ଦିନରେ ଟୋପାଏ ମଧ୍ୟ ବର୍ଷା ହୋଇନଥିଲା କିନ୍ତୁ ଖେଳ ହେଲା ନାହିଁ । ତୃତୀୟରେ ଓଦା ପଡିଆ ଯୋଗୁଁ ଖେଳ ବାତିଲ କରାଯାଇଛି ।
ତିନି ତିନିଥର ପଡିଆ ପରୀକ୍ଷଣ କରାଯିବା ପରେ ଖେଳକୁ ବାତିଲ କରିଦିଆଯାଇଛି ।
ଆଜି ରବିବାର ଥିବାରୁ ମ୍ୟାଚ୍ ଦେଖିବାକୁ ଅନେକ ଫ୍ୟାନ୍ସ ଆସିଥିଲେ । ସକାଳ ୮.୩୦ରୁ ବର୍ଷା ହୋଇ ନଥିବାରୁ ସମସ୍ତ କଭରକୁ ୯.୩୦ ସୁଦ୍ଧା କାଢ଼ି ଦିଆଯାଇଥିଲା । ସମସ୍ତେ ଭାବିଥିଲେ ୧ ଘଣ୍ଟା ଭିତରେ ମ୍ୟାଚ୍ ଆରମ୍ଭ ହେବ । କିନ୍ତୁ ଆଉଟ ଫିଲ୍ଡ ଓଦା ଥିବାରୁ ଏହା ସମ୍ଭବ ହୋଇ ପାରି ନଥିଲା । ଗ୍ରାଉଣ୍ଡ ଷ୍ଟାଫ ଏହାକୁ ଶୁଖାଇବା ପାଇଁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ଦିନ ୨ଟା ସୁଦ୍ଧା ଏହା ସମ୍ଭବପର ହୋଇନଥିଲା । ଓଦା ଆଉଟ ଫିଲ୍ଡ ଯୋଗୁ ତୃତୀୟ ଦିନକୁ ଅମ୍ପାୟାର ବାତିଲ କରିଥିଲେ ।
ପ୍ରଥମ ଦିନ ମଧ୍ୟ ବର୍ଷା ହେବାରୁ କେବଳ ୩୫ ଓଭର ହିଁ ଖେଳା ଯାଇଥିଲା । ବାଂଲାଦେଶ ୩ ୱିକେଟ ହରାଇ ୧୦୭ ରନ କରିଛି । ମୋମିନୁଲ ହକ ୪୦ ଓ ମୁଶଫିକର ରହିମ ୬ ରନ କରି ଅପରାଜିତ ରହିଛନ୍ତି । ଭାରତର ଆକାଶଦୀପ ୨ଟି ଓ୍ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧ଟି ଓ୍ୱିକେଟ ନେଇଛନ୍ତି ।
କାନୁପରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଆରମ୍ଭରୁ ହିଁ ବର୍ଷା ବାଧକ ସାଜିଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଟସ୍ ପଡ଼ି ପାରି ନଥିଲା। ଦିନ ୧୦ଟାରେ ପାଗରେ ପରିବର୍ତ୍ତନ ହେବାରୁ ଟସ୍ ପଡ଼ିଥିଲା ।