କଲେଜରେ ପ୍ରେମ ଶିକ୍ଷା!: ଜନସଂଖ୍ୟା ହ୍ରାସ ନେଇ ଚୀନ୍ ସରକାରଙ୍କ ନୂଆ ଯୋଜନା

ବେଜିଂ: ଚାଇନାରେ ଜନ୍ମ ହାର ଅତି ଦ୍ରୁତ ଗତିରେ ହ୍ରାସ ପାଉଛି, ଯେଉଁଥିପାଇଁ ସରକାର ଚିନ୍ତାରେ ଅଛନ୍ତି। ଜନ୍ମ ହାର ହ୍ରାସ ପାଇବା ଯୋଗୁ ଚୀନ୍ ସରକାର ଏକ ବିଶେଷ ପଦକ୍ଷେପ ନେଇଛନ୍ତି। ସରକାର ସେମାନଙ୍କ ବିଶ୍ୱବିଦ୍ୟାଳୟଗୁଡ଼ିକରେ ‘ଲଭ୍ ଏଜୁକେସନ୍’ ବା ପ୍ରେମ ଶିକ୍ଷା ଯୋଗାଇବାକୁ ଅନୁରୋଧ କରୁଛନ୍ତି।
ଏହାର ଉଦ୍ଦେଶ୍ୟ ହେଉଛି ବିବାହ, ପ୍ରେମ, ସନ୍ତାନ ଏବଂ ପରିବାର ପ୍ରତି ଯୁବବର୍ଗମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ବିକାଶ କରିବା। ଏହି ଉପାୟରେ ସରକାର ଚାହୁଁଛନ୍ତି ଯେ କଲେଜସ୍ତରରୁ ଯୁବବର୍ଗମାନେ ପରସ୍ପରକୁ ଭଲ ପାଆନ୍ତୁ ଏବଂ ବିବାହ କରନ୍ତୁ।
ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଦେଶର ଜନସଂଖ୍ୟା ହ୍ରାସ ପାଉଥିବା ଯୋଗୁ ସରକାର ଏହି ପଦକ୍ଷେପ ଆରମ୍ଭ କରିଛନ୍ତି। ଚାଇନାର ଲୋକମାନେ ଦ୍ରୁତଗତିରେ ବାର୍ଦ୍ଧକ୍ୟ ପାଉଛନ୍ତି, ଯାହା ଦ୍ବାରା ଦେଶର ମାନବସମ୍ବଳ ଉପରେ ଚାପ ବଢ଼ିବାର ଆଶଙ୍କା ସୃଷ୍ଟି କରୁଛି।
କେବଳ ଏତିକି ନୁହେଁ, ଲୋକଙ୍କ ମଧ୍ୟରେ ବିବାହ ପ୍ରତି କୌଣସି ଆଗ୍ରହ ନାହିଁ, ଯେଉଁ କାରଣରୁ କମ୍ ସନ୍ତାନ ଜନ୍ମ ହେଉଛନ୍ତି । ଏଭଳି ପରିସ୍ଥିତିରେ ଏହାର ପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ଦୃଶ୍ୟମାନ ହେଉଛି। କାରଣ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଅପରପକ୍ଷେ, ବୃଦ୍ଧଙ୍କ ସଂଖ୍ୟା ବଢୁଛି।
ବାସ୍ତବରେ ଚାଇନାର ଜନସଂଖ୍ୟା ପ୍ରାୟ ୧୪୦ କୋଟି। ଏହା ହେଉଛି ବିଶ୍ୱର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ। କିନ୍ତୁ ବର୍ତ୍ତମାନ ଏଠାରେ ଜନସଂଖ୍ୟାର ଏକ ଅଂଶ ଦ୍ରୁତ ଗତିରେ ବୃଦ୍ଧ ହେବାରେ ଲାଗଛନ୍ତି। ଚୀନ୍ ଏବେ ବୃଦ୍ଧଙ୍କ ଦେଶ ପାଲଟିବାକୁ ଯାଉଛି। ସରକାର କହିଛନ୍ତି ଯେ କଲେଜ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ପର୍କ, ବିବାହ ଏବଂ ପରିବାର ପ୍ରତି ମନୋଭାବ ଧୀରେଧୀରେ ବଦଳୁଛି।
ସରକାର ଅନୁମାନ କରୁଛନ୍ତି ଏହି ଯୋଜନା ସଫଳ ହେଲେ ଭବିଷ୍ୟତରେ କଲେଜ ଛାତ୍ରଛାତ୍ରୀମାନେ ଅଧିକ ସନ୍ତାନ ଜନ୍ମ କରି ପାରିବେ, କିନ୍ତୁ ଚିନ୍ତାଧାରାରେ ଏଭଳି ପରିବର୍ତ୍ତନ ଦେଶର ଭବିଷ୍ୟତ ପାଇଁ ବିପଜ୍ଜନକ ହୋଇପାରେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।