ଗଫ୍ ନୂଆ ଗ୍ରାଣ୍ଡ୍ ସ୍ଲାମ ବିଜୟିନୀ: ଡାନିଲିନା-ହେଲିଓଭାରାଙ୍କୁ ମିଶ୍ରିତ ଯୁଗଳ ଟ୍ରଫି – Utkal Mail
ନ୍ୟୁୟର୍କ: ଆମେରିକାର ୧୯ ବର୍ଷୀୟା ଯୁବତୀ କୋକୋ ଗଫ୍ ନୂଆ ଗ୍ରାଣ୍ଡ୍ ସ୍ଲାମ ବିଜୟିନୀ ହୋଇଛନ୍ତି। ରବିବାର ଅର୍ଥର ଏସ୍ ଷ୍ଟାଡିୟମରେ ଖେଳାଯାଇଥିବା ୟୁଏସ୍ ଓପନ୍ ମହିଳା ଏକକ ଫାଇନାଲ୍ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଗଫ୍ ୨-୬, ୬-୩, ୬-୨ ସେଟ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ହରାଇଦେଇଛନ୍ତି। ଏଥି ସହ ୱିମ୍ବଲଡନ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଗଫ୍ ଏଠାରେ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ଟ୍ରଫି ନିଜ ନାମରେ କରିଥିଲେ। ଗତ ବର୍ଷ ଫ୍ରେଞ୍ଚ ଓପନ୍ ଫାଇନାଲ୍ରେ ପରାସ୍ତ ହୋଇ ଉପବିଜେତା ରହିଥିବା ଗଫ୍ ରବିବାର ପ୍ରଥମ ସେଟ୍ ହାରି ଯାଇଥିଲେ। ହେଲେ ପରବର୍ତ୍ତୀ ଦୁଇ ସେଟ୍କୁ ସହଜରେ ଜିତି ଜୀବନର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ନିଶ୍ଚିତ କରିଥିଲେ। ଏଥିସହ ସେ ଟ୍ରାସି ଅଷ୍ଟିନ୍ ଓ ସେରେନା ୱିଲିୟମ୍ସଙ୍କ ପରେ ୟୁଏସ୍ ଓପନ୍ ଜିତିବାରେ ତୃତୀୟ ସ୍ବଳ୍ପ ବୟସ୍କା ମହିଳା ଖେଳାଳି ହୋଇଛନ୍ତି। ଏଠାରେ ଟ୍ରଫି ଜିତିବାରେ ସ୍ଲୋଆନ୍ ଷ୍ଟିଫେନ୍ସ (୨୦୧୭)ଙ୍କ ପରେ ପ୍ରଥମ ଘରୋଇ ମହିଳା ଏକକ ଖେଳାଳି ହୋଇଛନ୍ତି। ଅନ୍ୟପକ୍ଷରେ ଏଠାରେ ଉପବିଜେତା ହୋଇଥିବା ସାବାଲେଙ୍କା ପରାଜୟ ସତ୍ତ୍ବେ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।
କାଜାଖସ୍ତାନର ଆନ୍ନା ଡାନିଲିନା ଓ ଫିନ୍ଲାଣ୍ଡର ହାରି ହେଲିଓଭାରା ଯୋଡ଼ି ମିଶ୍ରିତ ଯୁଗଳ ଟ୍ରଫି ସହ ପ୍ରଥମ ଗ୍ରାଣ୍ଡ ସ୍ଲାମ ବିଜେତା ହୋଇଛନ୍ତି। ରବିବାର ମିଶ୍ରିତ ଯୁଗଳ ଫାଇନାଲ୍ରେ ଏହି ଅଣମାନ୍ୟତାପ୍ରାପ୍ତ ଯୋଡ଼ି ସିଧାସଳଖ ୬-୩, ୬-୪ ସେଟ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆମେରିକା ଯୋଡ଼ି ଜେସିକା ପେଗୁଲା ଓ ଅଷ୍ଟିନ୍ କ୍ରାଇସେକଙ୍କୁ ହରାଇଥିଲେ।