ଭାରତୀୟ ଟିମ୍ ପହଞ୍ଚିବା ପୂର୍ବରୁ ମସ୍କୋ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ: ‘ଅପରେସନ ସିନ୍ଦୂର’ ପ୍ରତିନିଧି ଦଳର ବିମାନ ବିଳମ୍ବିତ

ନୂଆଦିଲ୍ଲୀ: ଡିଏମ୍କେ ସାଂସଦ କାନିମୋଝିଙ୍କ ନେତୃତ୍ୱରେ ମସ୍କୋ ଯାଇଥିବା ‘ଅପରେସନ ସିନ୍ଦୂର’ ପ୍ରତିନିଧିର ଦଳର ବିମାନକୁ ଆଜି ମସ୍କୋ ଚାରିପଟେ ଚକ୍କର କାଟିବାକୁ ପଡ଼ିଥିଲା। ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଯୋଗୁଁ ମସ୍କୋ ବିମାନବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇ ଥିବାରୁ ଭାରତୀୟ ପ୍ରତିନିଧି ଦଳର ବିମାନ ଅବତରଣରେ ୪୦ ମିନିଟ୍ ବିଳମ୍ବ ହୋଇଥିଲା। ଗତରାତିରୁ ଡ୍ରୋନ୍ ଆକ୍ରମଣ ଯୋଗୁଁ ଡୋମୋଡେଡୋଭୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା। ଫଳରେ ସାଂସଦ କାନିମୋଝିଙ୍କୁ ନେଇ ଯାଉଥିବା ବିମାନକୁ ଅବତରଣ ପାଇଁ ଅନୁମତି ମିଳି ନ ଥିଲା। ୪୦ ମିନିଟ୍ ମସ୍କୋ ଚାରିପଟେ ଉଡ଼ିବା ପରେ ଶେଷରେ ବିମାନଟି ସୁରକ୍ଷିତ ଅବତରଣ କରିଥିଲା। ରୁଷିଆରେ ଥିବା ଭାରତୀୟ ଦୂତାବାସ ଅଧିକାରୀମାନେ ବିମାନବନ୍ଦରରେ ସର୍ବଦଳୀୟ ସାଂସଦଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କରି ସୁରକ୍ଷିତ ଭାବେ ସେମାନଙ୍କ ହୋଟେଲକୁ ପଠାଇଥିଲେ।
‘ଅପରେସନ ସିନ୍ଦୂର’ ପ୍ରତିନିଧି ଦଳର ବିମାନ ବିଳମ୍ବିତ
ମସ୍କୋ ଚାରିପଟେ ଚକ୍କର କାଟିବାକୁ ପଡ଼ିଲା
ଏପ୍ରିଲ ୨୨ ପହଲଗାମ ଆକ୍ରମଣର ଜବାବରେ ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ସମ୍ପର୍କରେ ଦେଶଗୁଡ଼ିକୁ ଅବଗତ କରାଇବା ପାଇଁ କାନିମୋଝି ରୁଷିଆ, ସ୍ପେନ୍, ଗ୍ରୀସ୍, ସ୍ଲୋଭେନିଆ ଓ ଲାଟଭିଆକୁ ଏକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଏହି ଟିମ୍ ଆଞ୍ଚଳିକ ନିରାପତ୍ତା ପରିସ୍ଥିତି ଉପରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବା ସହ ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦ ଉପରେ ଅନ୍ତର୍ଜାତୀୟ ସମୁଦାୟକୁ ସଚେତନ କରିବ। ଏହି ପ୍ରତିନିଧି ଦଳରେ ସମାଜବାଦୀ ପାର୍ଟିର ରାଜୀବ ରାୟ, ନ୍ୟାସନାଲ କନଫରେନ୍ସର ମିଆଁ ଅଲତାଫ ଅହମଦ, ବିଜେପିର ବ୍ରିଜେଶ ଚୌଟା, ଆର୍ଜେଡିର ପ୍ରେମଚାନ୍ଦ ଗୁପ୍ତା, ଆପ୍ର ଅଶୋକ କୁମାର ମିତ୍ତଲ ଏବଂ ପୂର୍ବତନ କୂଟନୀତିଜ୍ଞ ମଞ୍ଜୀବ ଏସ୍ ପୁରୀ ଓ ଜାଭେଦ ଅଶରଫ ରହିଛନ୍ତି। ସମସ୍ତେ ଗୋଟିଏ ବିମାନରେ ଥିଲେ ଯାହା ବିଳମ୍ବିତ ହୋଇଥିଲା। ଏହି ପ୍ରତିନିଧି ଦଳ ଋଷୀୟ ଡୁମାର ସଦସ୍ୟ ଏବଂ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ସାକ୍ଷାତ୍ କରିବା ସହ ସ୍ଥାନୀୟ ଥିଙ୍କ୍ଟ୍ୟାଙ୍କ୍ର ଶୀର୍ଷ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଶନିବାର ସେମାନେ ସ୍ଲୋଭେନିଆ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି।