କ୍ରାଇମ

ରାଜରାସ୍ତାରେ କେଟିଏମ୍ ଗ୍ୟାଙ୍ଗ୍‌ ଆତଙ୍କ: ୪ ଘଣ୍ଟାରେ ଝାମ୍ପିନେଲେ ୧୦ ସୁନାଚେନ୍ – Utkal Mail


ପୂଜା ବେଳେ ବଢ଼ିବ ଉତ୍ପାତ, ୨ ଥାନା ଇଲାକାରୁ ୨ଟି ଲେଖାଁଏ ଲୁଟ୍

ଭୁବନେଶ୍ବର: ସୁନାଚେନ୍ ପିନ୍ଧି ସ୍କୁଟିରେ ବଜାର, ପ୍ରାତଃ ଓ ସାନ୍ଧ୍ୟା ଭ୍ରମଣରେ ଚାଲି ଚାଲି ଯାଉଛନ୍ତି କି? ତା’ହେଲେ ସାବଧାନ! ବି‌ଶେଷକରି ମହିଳା ଓ ଯୁବତୀମାନେ! କାରଣ ରାଜରାସ୍ତାରେ ମାତିଛନ୍ତି ଲୁଟେରା। ଆଖି ପିଛୁଳାକେ ସୁନାଚେନ୍ ଛିଣ୍ଡାଇ ଫେରାର ହୋଇ ଯାଉଛନ୍ତି। ମାତ୍ର କିଛି ମିନିଟ୍ ବ୍ୟବଧାନରେ ଗୋଟିଏ ଥାନା ଅଞ୍ଚଳରୁ ଦୁଇ ଦୁଇଟି ସୁନାଚେନ୍ ଲୁଟ୍ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଏ ଲୁଟେରା। ଲୁଟେରା ହାଇସ୍ପିଡ୍ କେଟିଏମ୍ ବାଇକରେ ଆସି ଲୁଟ୍ କରୁଥିବା ଏକାଧିକ ଅଭିଯୋଗରୁ ଜଣାପଡ଼ିଛି। ‘ବ୍ଲାକ ଜ୍ୟାକେଟ୍ ଗ୍ୟାଙ୍ଗ’ ପରେ ଏ ‘କେଟିଏମ୍ ଲୁଟେରା’ ପୁଲିସର ନିଦ ହଜାଇ ଦେଇଛନ୍ତି। କେବଳ ୨୮ ତାରିଖରେ ୭ଟି ସୁନାଚେନ୍ ଲୁଟି କମିସନରେଟ ପୁଲିସର ସୁନାମରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛନ୍ତି ଲୁଟେରା। ତାଙ୍କୁ ଧରିବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସେପ୍ଟେମ୍ବର ୨୮ ତାରିଖ। ସମୟ ପ୍ରାୟ ସନ୍ଧ୍ୟା ୭ଟା ୪୦। ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗର କେ/୩ରେ ରହୁଥିବା ପ୍ରତିମା ସେଠୀ ତାଙ୍କ ସାନ ଭାଇଙ୍କ ସହ ସ୍କୁଟିରେ ଆସୁଥିବା ବେଳେ ଖଣ୍ଡଗିରି ଓଭରବ୍ରିଜ୍ ନିକଟରୁ ୨ଜଣ ଦୁର୍ବୃତ୍ତ ଏକ କେଟିଏମ୍ ବାଇକ(ଓଡି୦୫-ଏନ୍-୫୩୯୧)ରେ ଆସି ପ୍ରତିମାଙ୍କ ସୁନା ଚେନ୍ ଲୁଟି ଫେରାର ହୋଇ ଯାଇଥିଲେ। ତାହା ଏମିତି ଘଟିଥିଲା ଯେ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥିଲା। ସେ ଲୁଟ୍ ସୁନାଚେନର ଓଜନ ଥିଲା ୨୨ ଗ୍ରାମ୍। ତା’ର ପ୍ରାୟ ୪୦ ମିନିଟ୍ ପରେ ଜୟଦେବ ବାଟିକା ଛକ ନିକଟରେ ଥିବା ଓଏସ୍ଆରଟିସି ବସ୍ ଷ୍ଟାଣ୍ଡ ପାଖରୁ ଲୁଟ୍‌ର ଶିକାର ହୋଇଥିଲେ ମିତ୍ରବିନ୍ଧା ଦାସ। କେଟିଏମ୍ ବାଇକରେ ଆସି ୨ ଲୁଟେରା ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ଫେରାର ହୋଇ ଯାଇଥିଲେ। ସେତିକିରେ ଲୁଟ୍‌ପାଟର ଏ ଧାରା ସରି ନଥିଲା, ତା’ର ପ୍ରାୟ ୧୦ ମିନିଟ୍ ପରେ ୧୬ ନମ୍ବର ଜାତୀୟ ରାଜପଥର କାଳୀ ମନ୍ଦିର ପୂର୍ବରୁ ବରମୁଣ୍ଡା ଜଗନ୍ନାଥ ବିହାରରେ ରହୁଥିବା ସୁନୀତା ସାହୁ ଲୁଟ୍‌ର ଶିକାର ହୋଇଥିଲେ। ୨ ଜଣ ଯୁବକ ବାଇକ୍‌ରେ ଆସି ପଛପଟୁ ସୁନୀତାଙ୍କ ବେକରୁ ସୁନାଚେନ୍ ଝିଙ୍କି ନେଇଥିଲେ। ପୁଣି ଅପରାହ୍ନ ସାଢ଼େ ୫ଟାରେ ପୋଖରୀପୁଟ ହନୁମାନ ମନ୍ଦିର ନିକଟରୁ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସାନ୍ଧ୍ୟ ଭ୍ରମଣ ସାରି ଘରକୁ ଫେରୁଥିବା ସ୍ଥାନୀୟ ଅଞ୍ଚଳର ସଞ୍ଜୁକ୍ତା ମେହେରଙ୍କ ସୁନାଚେନ୍ ଓ ଲକେଟ ଲୁଟି ଫେରାର ହୋଇ ଯାଇଥିଲେ। ଏମିତି ସେହି ୨୮ ତାରିଖ ଦିନ ୩ ଘଣ୍ଟା ଭିତରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟେରା ୭ ସୁନାଚେନ୍ ଲୁଟି ଆତଙ୍କ ଖେଳାଇଥିବା ବେଳେ ପୁଲିସ ଜଣଙ୍କର ମଧ୍ୟ ଟେର୍ ପାଇ ପାରି ନାହିଁ।

ପୂଜା ବେଳେ ବଢ଼ିବ ଉତ୍ପାତ
ଏବେଠୁ ଲୁଟେରା ଓ ଚୋରମାନେ ଯେଉଁ ଭଳି ଭାବରେ ଲୁଟପାଟ୍ କରୁଛନ୍ତି, ଆଗକୁ ପୂଜା ଆସୁଥିବା ବେଳେ ସେମାନଙ୍କ ଉତ୍ପାତ ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଉଛି। କାରଣ ଲୁଟେରାଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ନୂଆ ନୂଆ ଗ୍ୟାଙ୍ଗ ଅପରାଧ ଜଗତରେ ସାମିଲ ହେଉଛନ୍ତି। ବିଶେଷ କରି ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ସେବନ କରୁଥିବା ଅସାମାଜିକ ଯୁବକ ଲୁଟରେ ସାମିଲ ହେଉଥିବା ଜଣାପଡ଼ିଛି।

୨ ଥାନା ଇଲାକାରୁ ୨ଟି ଲେଖାଁଏ ଲୁଟ୍
ଦୁଇଟି ଥାନା ଅଞ୍ଚଳରୁ ମାତ୍ର ଅଳ୍ପ ସମୟ ମଧ୍ୟରେ ଦୁଇ ଦୁଇଟି ଲୁଟ୍ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଯେଉଁଥିରେ ପୁଲିସର ପାରିବା ପଣିଆ ପଦାରେ ପଡ଼ିଛି। ୨୮ ତାରିଖ ସନ୍ଧ୍ୟା ୭ଟା ୪୦ରେ ଖଣ୍ଡଗିରି ଓଭରବ୍ରିଜ ନିକଟରୁ ଦୁର୍ବୃତ୍ତମାନେ ପ୍ରତିମା ସେଠୀଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଥିଲେ। ପ୍ରାୟ ୫୦ ମିନିଟ ପରେ ସେହି ଖଣ୍ଡଗିରି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କାଳୀ ମନ୍ଦିର ପୂର୍ବରୁ ଲୁଟେରା ସୁନୀତା ସାହୁଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିଲେ। ସେହିପରି ଏୟାରପୋର୍ଟ ଥାନା ଅଞ୍ଚଳରୁ ୨୮ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ପୋଖରୀପୁଟ ହନୁମାନ ମନ୍ଦିର ନିକଟରୁ ସଞ୍ଜୁକ୍ତା ମେହେର ଓ ପୋଖରୀପୁଟ ଲିଙ୍ଗରାଜ ବିହାର ସନ୍ଧ୍ୟା ପ୍ରାୟ ୭ଟାରେ ଆରତୀ ପଟ୍ଟନାୟକଙ୍କ ଠାରୁ ଲୁଟ୍ ଘଟଣା ପୁଲିସ କାର୍ଯ୍ୟଦକ୍ଷତା, ପାଟ୍ରୋଲିଂ ଉପରେ ପ୍ରଶ୍ନ ଛିଡ଼ା କରିଛି।

ପାଟ୍ରୋଲିଂ ଫେଲ୍
କେବଳ ଲୁଟେରା ନୁହେଁ, ବାଇକ୍ ଚୋର ଓ ସିନ୍ଧିଚୋର ବି ସହରର ପ୍ରାୟ ପ୍ରତିଟି ଇଲାକାରେ ଆତଙ୍କ ଖେଳାଇଛନ୍ତି। ଥାନା ଠାରୁ ଅଳ୍ପ ଦୂର, ରାଜରାସ୍ତା, ପ୍ରମୁଖ ଅଞ୍ଚଳରେ ମଧ୍ୟ ଦୁର୍ବୃତ୍ତମାନେ ଲଗାତାର ଲୁଟପାଟ୍ କରି ଚାଲିଛନ୍ତି। ପାଟ୍ରୋଲିଂ ହେଉ ନ ଥିବାରୁ ଲୁଟେରା, ଚୋରଙ୍କ ଉତ୍ପାତ ବଢ଼ି ଚାଲିଥିବା ଅଭିଯୋଗ ହେଉଛି। ସେହିପରି ଲୁଟ୍ ଓ ଚୋରି ରୋକିବା ପାଇଁ ଉଦ୍ଦିଷ୍ଟ ପିଓପିଡି ଏବଂ ଟିମ୍-୬୦ ମଧ୍ୟ ଫେଲ୍ ମାରିଛି ବୋଲି କୁହାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button