ଓଡିଶା

ବାଟବଣା ବୁଦ୍ଧିଷ୍ଟ ସର୍କିଟ୍, ‘ସ୍ୱଦେଶ ଦର୍ଶନ’ରେ ସାମିଲ ହୋଇପାରିଲାନି

ଭୁବନେଶ୍ୱର,୨୭/୦୯(ମନୋରଞ୍ଜନ ମହାନ୍ତି): ବୃଦ୍ଧ ହେଲାଣି ବୌଦ୍ଧପୀଠ । ଧୈର୍ଯ୍ୟହରା ବୌଦ୍ଧ ଧର୍ମସ୍ଥଳୀ ତଥା ଐତିହ୍ୟ, ପର୍ଯ୍ୟଟନସ୍ଥଳୀ। ଶାନ୍ତି ଆଶାରେ ପରିନିର୍ବାଣ ଖୋଜୁଛି ଶାନ୍ତିସ୍ଥଳ । ବାଟବଣା ବୁଦ୍ଧିଷ୍ଟ ସର୍କିଟ୍ । ରାଜ୍ୟରେ ବୁଦ୍ଧ ପର୍ଯ୍ୟଟନକୁ ନେଇ ବିରାଟ ପରିକଳ୍ପନା ଫଳ ଶୂନ । ଯୋଜନା ଯୋଉଠି ଥିଲା, ସେଇଠି ।

ଦୀର୍ଘ ବର୍ଷ ଭିତରେ କେବଳ ଚର୍ଚ୍ଚା, ଆଲୋଚନା । ବାକି ସବୁକିଛି କାଗଜ କଲମରେ ସୀମିତ । ଏଣେ ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟନୁଯାୟୀ³ ‘ପର୍ଯ୍ୟଟନ ଓ ଶାନ୍ତି’ ଥିଲାବେଳେ ବୁଦ୍ଧଙ୍କ ଶାନ୍ତିର ବାର୍ତ୍ତା ବାଣ୍ଟୁଥିବା ଶାନ୍ତିସ୍ଥଳ ଅସଜଡ଼ା ହୋଇ ପଡ଼ିଛି ।

‘ସ୍ୱଦେଶ ଦର୍ଶନ’ ଯୋଜନା ଅଧୀନରେ ବୁଦ୍ଧିଷ୍ଟ ସର୍କିଟ୍ରେ ଓଡ଼ିଶାକୁ ସାମିଲ ପାଇଁ ରାଜ୍ୟ ପକ୍ଷରୁ ବହୁବାର ଦାବି ଉଠିଛି । ଭିନ୍ନ ଭିନ୍ନ ସମୟରେ ଯଥା³ ୨୦୧୫ ମସିହା ଅକ୍ଟୋବରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମାଙ୍କୁ ଏବଂ ୨୦୨୧ ଅକ୍ଟୋବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଓଡ଼ିଶାକୁ ଯୋଡ଼ିବାକୁ ଏବଂ ବୁଦ୍ଧିଷ୍ଟ ସର୍କିଟ୍ ବିକାଶ ପାଇଁ ଆବଶ୍ୟକ ଅର୍ଥ ଦେବାକୁ ଦାବି ରଖିଥିଲେ । ଏଥିରେ ଅନ୍ୟ ରାଜ୍ୟକୁ ସାମିଲ କରି ଓଡ଼ିଶାକୁ ବାଦ୍ ଦେବା ଚିନ୍ତାଜନକ ବୋଲି କହିଥିଲେ । ବିକାଶମୂଳକ କାର୍ଯ୍ୟ ପାଇଁ ୨୦୧୫ରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଦେଶର ୩ଟି ବୁଦ୍ଧିଷ୍ଟ ସର୍କିଟ୍ ଚିହ୍ନଟ ହୋଇଥିଲା । ବୁଦ୍ଧିଷ୍ଟ ହେରିଟେଜ୍ ଟ୍ରେଲ୍ସ (ଷ୍ଟେଟ୍ ସର୍କିଟସ୍)ରେ ୧୨ଟି ରାଜ୍ୟ ମଧ୍ୟରେ ୮ନଂରେ ଓଡ଼ିଶା ଥିଲା ଯେଉଁଥିରେ ହୀରକ ତ୍ରିଭୁଜ ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଏବଂ ଧଉଳି, ଲାଙ୍ଗୁଡ଼ି ଓ ଖଣ୍ଡଗିରି ଅନ୍ତର୍ଭୁକ୍ତ ଥିଲା ।

ବଡ଼ କଥା ହେଲା, ବୁଦ୍ଧିଷ୍ଟ ସର୍କିଟ୍ ବିକାଶର ଅୟମାରମ୍ଭ ସ୍ୱରୂପ ରାଜ୍ୟରେ ବୁଦ୍ଧ ପର୍ଯ୍ୟଟନକୁ ପରିବ୍ୟାପ୍ତ ଏବଂ ପର୍ଯ୍ୟଟକଙ୍କ ଲାଗି ସୁଯୋଗକୁ ବିସ୍ତାରିତ କରିବାକୁ ପ୍ରତିବର୍ଷ ବୌଦ୍ଧସ୍ଥଳୀରେ ‘କଳିଙ୍ଗ ଅନ୍ତର୍ଜାତୀୟ ବୁଦ୍ଧିଷ୍ଟ ସମ୍ମିଳନୀ’ ଆୟୋଜିତ ହେଉଥିଲା । ଏଥିରେ ଓଡ଼ିଶାର ବୁଦ୍ଧିଷ୍ଟ ଐତିହ୍ୟ ଏବଂ ପର୍ଯ୍ୟଟନ ଉପରେ ବିଶଦ ଆଲୋଚନା ହେଉଥିଲା । ନେପାଳ, ମାଲେସିଆ, ଭିଏତନାମ୍, ଶ୍ରୀଲଙ୍କା ଭଳି ବହୁ ଦେଶରୁ ଟୁର୍ ଅପରେଟର୍ସ, ବିଦ୍ୱାନ, ବୌଦ୍ଧ ଭିକ୍ଷୁ ଆସୁଥିଲେ । ମାତ୍ର ୨୦୧୭ରେ ୪ର୍ଥ ଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇ ବନ୍ଦ ହୋଇଯାଇଛି । ଏହାଦ୍ୱାରା ବହୁତ କିଛି ସୁଯୋଗ ସୃଷ୍ଟି ହେବା ସହ ବୁର୍ଦ୍ଧିଷ୍ଟ ସର୍କିଟ୍ର ରାସ୍ତାକୁ ଖୋଲିଥିଲା ଯାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହାଛଡ଼ା ପୂର୍ବବର୍ଷରେ ଓଡ଼ିଶା ଟୁରିଜିମ୍ କନ୍କ୍ଲେଭ୍ ଏବଂ ଓଡ଼ିଶା ଟ୍ରାଭେଲ୍ ବଜାର (ଓଟିବି)ରେ ବି ଦକ୍ଷିଣ ଏସୀୟ ଦେଶର ଟୁର୍ ଅପରେଟର୍ସଙ୍କ ସହ ଆଲୋଚନା ହୋଇଥିଲା । ଭିଏତନାମ୍ ସହ ଅନ୍ୟାନ୍ୟ ଦେଶର ବୁଦ୍ଧିଷ୍ଟ ସର୍କିଟ୍କୁ ନେଇ ଅତୀତରେ ଅନେକ ରୋଡ୍ ସୋ’ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲେ ବି ଯୋଜନା ଫଳପ୍ରଦ ହୋଇନି ।

ବାକି ରାଜ୍ୟରେ ବୁଦ୍ଧ ପର୍ଯ୍ୟଟନ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ଉନ୍ନୟନ କରାଯାଉଛି ଯାହା ସମୁଦ୍ରକୁ ଶଙ୍ଖେ । ସରକାରୀ ତଥ୍ୟନୁଯାୟୀ³ ୨୦୨୦ରୁ ଏଯାବତ୍ ମାତ୍ର ୪ଟି ସ୍ଥାନକୁ ଭିନ୍ନ ଭିନ୍ନ ପ୍ରକଳ୍ପ ଲାଗି ଅର୍ଥ ମଞ୍ଜୁର ହୋଇଛି । ୨୦୨୦-୨୧ ବର୍ଷରେ ଯାଜପୁର ଜିଲ୍ଲା ଉଦୟଗିରିର ଭିତ୍ତିଭୂମି ଉନ୍ନତି ନିମନ୍ତେ ୧୭୫.୬୪୦ ଲକ୍ଷ, ରତ୍ନଗିରିର ଭିତ୍ତିଭୂମି ଉନ୍ନତି ନିମନ୍ତେ ୪୫୭.୮୮୦ ଲକ୍ଷ, ଲାଙ୍ଗୁଡ଼ିର ଭିତ୍ତିଭୂମି ଉନ୍ନତି ନିମନ୍ତେ ୨୬୨.୦୨୦ ଲକ୍ଷ ଏବଂ ଗଜପତି ଜିଲ୍ଲା ଜିରାଙ୍ଗରେ ଭିତ୍ତିଭୂମି ଉନ୍ନତି ନିମନ୍ତେ ୨୦୨୦- ୨୧ ଏବଂ ୨୦୨୨-୨୩ ବର୍ଷରେ ୨୮୯.୦୦୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଶାନ୍ତିସ୍ତୁପ ଧଉଳିର ସୁବର୍ଣ୍ଣ ଜୟନ୍ତୀ ଓ ଏହାର ବିକାଶ ଏବଂ ନବୀକରଣ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେଇଥିଲେ ସରକାର । ବାକି ସେହିଭଳି ଆଖିଦୃଶିଆ କିଛି ବଡ଼ ଯୋଜନା ବା ପ୍ରକଳ୍ପ ହୋଇନି । ପର୍ଯ୍ୟଟନ ବିଭାଗର ଆଗାମୀ ପ୍ରକଳ୍ପରେ ବି ବୁଦ୍ଧିଷ୍ଟ ସର୍କିଟ୍ ଉଲ୍ଲେଖ ନାହିଁ ।

ଗତବର୍ଷ ମେ’ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେତେବେଳେ କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିବା ଅର୍ଜୁନ ରାମ ମେଘୱାଲ ସୂଚନା ଦେଇଥିଲେ, ଓଡ଼ିଶାର ବୁଦ୍ଧିଷ୍ଟ ସର୍କିଟ୍କୁ ଯୋଡ଼ିବାକୁ କେନ୍ଦ୍ରର ଯୋଜନା ରହିଛି । ସେଥିପାଇଁ ଆଲୋଚନା ହୋଇଛି । ଉକ୍ତସ୍ଥାନର ଉନ୍ନତି ଓ ବିକାଶ ଦିଗରେ କେନ୍ଦ୍ର ସରକାର ସଚେତନ ଏବଂ ଅବଗତ ଅଛନ୍ତି । ଖୁବ୍ ଶୀଘ୍ର ଏ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହିଗଲା

‘ବିଶାଳ କ୍ଷେତ୍ର, ଦୁର୍ବଳ ଭିତ୍ତିଭୂମି³ ଆନ୍ତରିକତାର ଅଭାବ’ ଗତ ଜୁଲାଇ ୧୯ରେ ହୋଟେଲ୍ ଆଣ୍ଡ୍ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଓଡ଼ିଶା (ହାରୋ) ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନର ଭିତ୍ତିଭୂମିକୁ ମଜଭୁତ କରିବାକୁ ଆସନ୍ତା ୧୦୦ ଦିନିଆ କାର୍ଯ୍ୟକ୍ରମ ଲାଗି ନୂଆ ସରକାରଙ୍କୁ ପରାମର୍ଶ ସ୍ୱରୂପ ୨୬ଦଫା ସମ୍ବଳିତ ପ୍ରସ୍ତାବ ପତ୍ର ପ୍ରଦାନ କରିଥିଲା । ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ହାରୋର ଅଧ୍ୟକ୍ଷ ଜେକେ ମହାନ୍ତି କହିଥିଲେ, ବୁଦ୍ଧ ପର୍ଯ୍ୟଟନ ଅଭିବୃଦ୍ଧି ସହ ବୁଦ୍ଧିଷ୍ଟ ସର୍କିଟ୍ର ବିକାଶ ଏବଂ ପର୍ଯ୍ୟଟକଙ୍କ ବୃଦ୍ଧି ଲାଗି ସରକାରଙ୍କ ଆଗ୍ରହ କି ଆନ୍ତରିକତା ନାହିଁ । ବିଶାଳ କ୍ଷେତ୍ର କିନ୍ତୁ ଦୁର୍ବଳ ଭିତ୍ତିଭୂମି । ପୂର୍ବରୁ ପର୍ଯ୍ୟଟନ ମନ୍ତ୍ରଣାଳୟ ସହିତ ଓଡ଼ିଶାର ସମସ୍ତ ବୁଦ୍ଧ ପର୍ଯ୍ୟଟନସ୍ଥଳୀ ବା ବୁଦ୍ଧିଷ୍ଟ ସର୍କିଟ୍ର ଭିତ୍ତିଭୂମି ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଇଥିଲୁ । ମହାପରିନିର୍ବାଣ ଏକ୍ସପ୍ରେସ୍କୁ ପୁରୀ ପର୍ଯ୍ୟନ୍ତ ବିସ୍ତାର କରି ଓଡ଼ିଶା ସହ ସଂଯୋଗ କରିବାକୁ ନିବେଦନ ରଖିଥିଲୁ । ତାକୁ ଦୋହରାଇବା ସହ ରାଜ୍ୟ ସଂଗ୍ରହାଳୟରୁ ନେଇ ବୁଦ୍ଧିଷ୍ଟ ସଂଗ୍ରହାଳୟ ପର୍ଯ୍ୟନ୍ତ ସବୁର ପ୍ରଚାର, ପ୍ରସାରକୁ ଉତ୍କୃଷ୍ଟ ତଥା ଉଚ୍ଚକୋଟୀର କରାଯାଉ । ଲଲିତଗିରି, ଉଦୟଗିରି ଓ ରତ୍ନଗିରି ବୁଦ୍ଧିଷ୍ଟ ସଂଗ୍ରହାଳୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଯାହା ଦରକାର କରାଯାଉ ।

‘ଗୁରୁତ୍ୱ ମିଳିନି, ଠିକଣା ଉପସ୍ଥାପନ ହୋଇନି’

ବିଶିଷ୍ଟ ଗବେଷକ ଡ. ସୁନୀଲ ପଟ୍ଟନାୟକ କହିଛନ୍ତି, ଧଉଳି, ଅରାଗଡ଼, ଜିରାଙ୍ଗ, ଲାଙ୍ଗୁଡ଼ି, କାୟାମା, ତାରାପୁର, ଲଲିତଗିରି, ଉଦୟଗିରି ଓ ରତ୍ନଗିରି ଭଳି ଓଡ଼ିଶାରେ ପାଖାପାଖି ୨୦୦ରୁ ଅଧିକ ସ୍ଥାନ ଐତିହ୍ୟ ସମ୍ବଳିତ ବୁଦ୍ଧ ପରମ୍ପରା ସହ ଯୋଡ଼ି ହୋଇ ରହିଛି । ଯେଉଁଠି ବିଶାଳ ବୁଦ୍ଧ ପର୍ଯ୍ୟଟନର ପ୍ରଚୁର ସମ୍ଭାବନା ରହିଛି । କିନ୍ତୁ ଏଠି ଇତିହାସର ଠିକଣା ଉପସ୍ଥାପନ ହୋଇନି । ବିଶ୍ୱବ୍ୟାପୀ ଏହାର ପରିଚିତି ଥିଲେ ବି ଉପଯୁକ୍ତ ଢ଼ଙ୍ଗରେ ପର୍ଯ୍ୟଟନ ବିଭାଗ ଗୁରୁତ୍ୱ ଦେଇନି । ଏ କ୍ଷେତ୍ରରେ ଅନ୍ୟ ରାଜ୍ୟକୁ ତୁଳନା କରି ଆମ ସହ ତାଙ୍କର ସମ୍ପର୍କକୁ ନେଇ ଗବେଷଣା ଦିଗରେ ଯେଉଁ କାର୍ଯ୍ୟ କରାଯିବା କଥା, ତାହା ସମ୍ପୂର୍ଣ୍ଣ ଅବହେଳିତ । ଅନେକ ସ୍ଥାନ ଏବେ ବି କେବଳ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଖନନ ହୋଇ ଲୋକଲୋଚନର ଆଢ଼ୁଆଳରେ ରହିଛି । ସର୍ବୋପରି ଏଠି ପର୍ଯ୍ୟଟକଙ୍କ ପାଇଁ ବି କିଛି ନାହିଁ ।

ବୁଦ୍ଧିଷ୍ଟ ସର୍କିଟ୍ର ଭାଗ୍ୟ କ’ଣ ହେବ?

ଜଣେ ଟୁରିଷ୍ଟ ଗାଇଡ୍ କହିଛନ୍ତି, ଗତ ଅଗଷ୍ଟ ୩୧ ତାରିଖରେ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାରେ ତଥ୍ୟ ରଖିଥିଲେ, ଆର୍ଥିକ ବର୍ଷ ୨୦୨୩-୨୪ ମଧ୍ୟରେ ରାଜ୍ୟକୁ ୧ କୋଟି ୧୪ ହଜାର ୧୭୫ ଜଣ ପର୍ଯ୍ୟଟକ ଆସିଛନ୍ତି । ସର୍ବାଧିକ ପର୍ଯ୍ୟଟକ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ପୁରୀ ବେଳାଭୂମିକୁ ଭ୍ରମଣ କରିଛନ୍ତି । ଏଥରୁ ସ୍ପଷ୍ଟ, ଯେହେତୁ ରାଜ୍ୟର ଅନ୍ୟ ପର୍ଯ୍ୟଟନସ୍ଥଳୀର ପ୍ରଚାର, ପ୍ରସାର ନାହିଁ କି ପର୍ଯ୍ୟଟକଙ୍କ ଲାଗି ସୁବିଧା ନାହିଁ, ଯେଉଁଥିପାଇଁ ପର୍ଯ୍ୟଟକ ଯିବାକୁ ମଙ୍ଗୁ ନାହାନ୍ତି । ଏପରିସ୍ଥଳେ ବୁଦ୍ଧିଷ୍ଟ ସର୍କିଟ୍ର ଭାଗ୍ୟ କ’ଣ ହେବ? ସରକାର ବି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button