ପାରାଦୀପ ବନ୍ଦରର ନୂଆ ରେକର୍ଡ, ୧୨୨ ଦିନରେ ୫୦ ମିଲିୟନ୍ ପଣ୍ୟ କାରବାର

ପାରାଦୀପ,୦୨/୦୮: ପାରାଦୀପ ବନ୍ଦର ପ୍ରାଧିକରଣ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରି ଚାଲିଛି । ୧୨୨ ଦିନରେ ୫୦ ମିଲିୟନ୍ରୁ ଅଧିକ ପଣ୍ୟ କାରବାର କରି ପାରାଦୀପ ବନ୍ଦର ତା’ର ତାର ନିଜସ୍ୱ ପୂର୍ବ ରେକର୍ଡ ଭାଙ୍ଗିଛି । ଏହି ପଣ୍ୟ କାରବାର ବିଗତ ଦିନମାନଙ୍କଠାରୁ ପ୍ରାୟ ୫.୧୬% ଅଧିକ । ୧୨୨ ଦିନରେ ବନ୍ଦର ମୋଟ୍ ୫୦.୧୬ ମିଲିୟନ୍ ମେଟ୍ରିକ୍ ଟନ୍ (ଏମ୍ଏମ୍ଟି)ପଣ୍ୟ କାରବାର କରିଛି ।
ସେହିପରି ବନ୍ଦରରେ ଚଳିତ ବର୍ଷ ୨୩.୧୧ ଏମ୍ଏମ୍ଟି କୋଇଲା ପଣ୍ୟ ପରିଚାଳନା କରାଯାଇଛି ଓ ୬.୭୨% ଅଭିବୃଦ୍ଧି ଘଟିଛି । ଆଇରନ୍ ପିଲେଟ୍ ୯ ଏମ୍ଏମ୍ଟି କାରବାର କରି ୨୦.୭୪% ଅଭିବୃଦ୍ଧି ଏବଂ କଣ୍ଟେନର ପଣ୍ୟରେ ୮୫.୦୭% ଅଭିବୃଦ୍ଧି ହୋଇଛି । ଏହି ରେକର୍ଡ ପରେ ପାରାଦୀପ ବନ୍ଦର ଏକ ବିଶାଳ ରେକର୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପଣ୍ୟ ପରିଚାଳନାରେ ଚଳିତ ଆର୍ଥିକ ବର୍ଷରେ ୧୫୦ ଏମ୍ଏମ୍ଟି ଅତିକ୍ରମ କରି ସର୍ବଭାରତୀୟ ବୃହତ ବନ୍ଦର ମଧ୍ୟରେ ପାରାଦୀପ ନୂତନ କୀର୍ତ୍ତିମାନ ସ୍ଥାପନ କରାଯିବା ଆଶା କରାଯାଉଛି । ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହରନାଦ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱଲ୍ଙ୍କ ତତ୍ତ୍ୱାବଧାନରେ ଏହି ସଫଳତା ମିଳିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।