ହିନ୍ଦୀ ବିରୋଧୀ ଅଭିଯାନକୁ ଶାଣିତ କରୁଛି ଡିଏମ୍କେ: ଯୋଗୀଙ୍କ ବୟାନକୁ ରାଜନୈତିକ କମେଡ଼ି କହିଲେ ଷ୍ଟାଲିନ

ନୂଆଦିଲ୍ଲୀ: ହିନ୍ଦୀ ଭାଷା ଲଦି ଦିଆଯାଉଥିବା ଅଭିଯୋଗ କରି ତାମିଲନାଡ଼ୁର ଡିଏମ୍କେ ନେତୃତ୍ବାଧୀନ ସରକାର କେନ୍ଦ୍ର ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବେଳେ ଏବେ ଦକ୍ଷିଣ ରାଜ୍ୟଗୁଡ଼ିକରେ ହିନ୍ଦୀ ବିରୋଧୀ ଅଭିଯାନକୁ ବ୍ୟାପକ କରିବା ଲକ୍ଷ୍ୟରେ କାମ କରୁଛି। ତିନି ଭାଷା ବିବାଦକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ ଡିଏମ୍କେକୁ ସମାଲୋଚନା କରିଥିବାରୁ ଏହାର କଡ଼ା ଜବାବ ଦେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ କହିଛନ୍ତି ଯେ ଯୋଗୀଙ୍କ ମନ୍ତବ୍ୟ କେବଳ ବିଡ଼ମ୍ବନା ନୁହେଁ, ବରଂ ଏକ କଳା ରାଜନୈତିକ କମେଡି। ଆମ ଉପରେ ‘ଜବରଦସ୍ତି ହିନ୍ଦୀ ଭାଷାକୁ ଲଦିବା ଓ ଦମନବାଦ’କୁ ବିରୋଧ କରୁଛୁ। ବିଜେପି ଆମ ଆଭିମୁଖ୍ୟରେ ‘ବିବ୍ରତ’ ହୋଇପଡ଼ିଛି ବୋଲି ଷ୍ଟାଲିନ କହିଛନ୍ତି।
ଏକ ସାକ୍ଷାତ୍କାରରେ ଯୋଗୀ ଆଦିତ୍ୟନାଥ ଡିଏମ୍କେ ନେତାଙ୍କୁ ଟାର୍ଗେଟ କରି କହିଥିଲେ ଯେ ସେମାନେ ଅଞ୍ଚଳ ଓ ଭାଷା ଆଧାରରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି କାରଣ ଷ୍ଟାଲିନ ଭାବୁଛନ୍ତି ଯେ ତାଙ୍କ ଭୋଟ୍ ବ୍ୟାଙ୍କ ବିପଦରେ ଅଛି। ଡିଏମ୍କେ ଏହି ପ୍ରସଙ୍ଗରେ ରାଜନୀତି କରୁଛି ବୋଲି ବିଜେପି କହିଛି। ତାମିଲନାଡୁ ଓ କେନ୍ଦ୍ର ମଧ୍ୟରେ ଆଉ ଏକ ବିବାଦ ହେଉଛି ସୀମା ନିର୍ଦ୍ଧାରଣ ପ୍ରକ୍ରିୟା। ଡିଏମ୍କେ କହିଛି ଯେ ୨୦୨୬ ପରେ ହେବାକୁ ଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦକ୍ଷିଣ ରାଜ୍ୟଗୁଡ଼ିକୁ କ୍ଷତିରେ ପକାଇବ। ଏହି ରାଜ୍ୟଗୁଡ଼ିକ ବର୍ଷ ବର୍ଷ ଧରି ପରିବାର ନିୟୋଜନକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିଛନ୍ତି ଏବଂ ଜନସଂଖ୍ୟା ପରିବର୍ତ୍ତନ ଆଧାରରେ ସୀମା ନିର୍ଦ୍ଧାରଣ କରାଗଲେ ଏହି ଜନସଂଖ୍ୟା ନିୟନ୍ତ୍ରଣ ସେମାନଙ୍କ ବିରୋଧରେ ଯାଇପାରେ। ଜନସଂଖ୍ୟା ନିୟନ୍ତ୍ରଣରେ ଉଲ୍ଲେଖନୀୟ ସଫଳତା ଓ ଦେଶର ଜିଡିପିରେ ଅବଦାନ ସତ୍ତ୍ୱେ ଦକ୍ଷିଣ ରାଜ୍ୟଗୁଡ଼ିକୁ ସଂସଦରେ କମ୍ ସ୍ଥାନ ପ୍ରଦାନ କରାଯାଇପାରେ ବୋଲି ସେ କହିଛନ୍ତି।