ଓଡିଶା

ଚମକାଇ ଦେବ ବିଦ୍ୟାଳୟର ବିଜୁଳି ବିଲ୍‌, ଗୋଟିଏ ପଙ୍ଖାକୁ ୬୪ହଜାର

ବରଙ୍ଗପୁର, ୨୮/୦୮ : ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ୍ ବାମୁଣୀ ଗାଁର ଏକ ସରକାରୀ ବିଦ୍ୟାଳୟକୁ ଏମିତି ବିଜୁଳି ବିଲ୍ ଆସିଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଏଠାରେ ଟାଟାପାୱାର କିପରି ଭାବେ ବିଲ୍ କଷିବା ଆରମ୍ଭ କରିଦେଇଛି ତାହା ଏହି ବିଲ୍ରୁ ଜଣାପଡୁଛି । ସ୍କୁଲ ପରେ ସ୍କୁଲ ଚଢାଉ କରି ଫାଇନ୍ ପରେ ଫାଇନ୍ ଆଦାୟ କରିବାରେ ମାତିଛନ୍ତି ଟାଟା ପାୱାର କର୍ମଚାରୀ ।

ଏଭଳିକି ଏହି ବିଦ୍ୟାଳୟରେ ଗୋଟିଏ ବର୍ଷର କେବଳ ପଙ୍ଖା ବିଲ୍ ପାଇଁ ୬୪ ହଜାର ଟଙ୍କା ଫାଇନ୍ ପଡ଼ିଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ କୌଣସି ବଖରାରେ ବିଦ୍ୟୁତ୍ ସଂଯୋଗ ହୋଇନି । କେବଳ କାର୍ଯ୍ୟାଳୟରେ ଗୋଟିଏ ପଙ୍ଖା ଲାଗିଛି । ଏହି ପଙ୍ଖାର ବିଲ୍ କୁଆଡ଼େ ମିଟର ଚାଲିନଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଡୋମେଷ୍ଟିକ୍ ଲାଇନ୍ରେ ପଙ୍ଖା ଚଲାଇଥିବା ନେଇ ଟାଟାପାୱାର ସ୍କ୍ୱାଡ୍ ଟିମ୍ ୬୪ହଜାର ଟଙ୍କାର ଫାଇନ୍ ପକାଇଛନ୍ତି ।

ସେଭଳି ଏହି ବିଦ୍ୟାଳୟର ୯ମ ଓ ୧୦ ଶ୍ରେଣୀ ୫-ଟି ଯୋଜନାରେ ଚାଲିଥିବା ବେଳେ ଏଠାରେ ୧୦ଟି କମ୍ପ୍ୟୁଟର, ୩ଟି ସ୍ମାର୍ଟ ବୋର୍ଡ, ୨ଟି ଇନ୍ଭର୍ଟର ଲାଗିଛି । ଆଗରୁ ମାସିକ ୭ଶହ ଟଙ୍କାର ବିଲ୍ ଉଠୁଥିଲା । ସ୍କ୍ୱାଡ୍ ଟିମ୍ ଯାଞ୍ଚ କରି ୨୦ହଜାର ଟଙ୍କା ଫାଇନ୍ ପକାଇଥିବା ବିଦ୍ୟାଳୟର ଶିକ୍ଷକ କହିଛନ୍ତି । କେବଳ ଏହି ଗୋଟିଏ ବିଦ୍ୟାଳୟ ନୁହେଁ, ନବରଙ୍ଗପୁର ବ୍ଲକ୍ର ଶରଣପୁର ଗାଁର ୫-ଟି ସ୍କୁଲ ମଧ୍ୟ ଅନୁରୂପ ଭାବେ ଗୋଟିଏ ବର୍ଷର ବିଦ୍ୟୁତ୍ ବିଲ୍ ବାବଦକୁ ଅଧିକ କିଲୋୱାଟ୍ ଲୋଡ୍ ବ୍ୟବହାର ହୋଇଥିବା ଯାଞ୍ଚ କରି ଟାଟାପାୱାର ଭିଜିଲାନ୍ସ ଟିମ୍ ଦୁଇଗୁଣା ୨ଲକ୍ଷ ୮୩ ହଜାର ଟଙ୍କା ଫାଇନ୍ ପକାଇ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ । ପରେ ୩ ମାସ ପରେ ଜିଲ୍ଲା ଶିକ୍ଷାଅଧିକାରୀ ହସ୍ତକ୍ଷେପ ପରେ ବିଦ୍ୟାଳୟ ପକ୍ଷରୁ ୨୦ ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ପୈଠ କରିବାରେ ବିଦ୍ୟୁତ ସଂଯୋଗ କରାଯାଇଥିଲା । କିନ୍ତୁ ଫାଇନ୍ ବାବଦକୁ ୨ ଲକ୍ଷ ୮୩ ହଜାର ଟଙ୍କା ବକେୟା ରହିଛି । ଏଭଳି ମାର୍ଚ୍ଚ ମାସରେ ଟାର୍ଗେଟ୍ ପୂରଣ ପାଇଁ ବିଦ୍ୟାଳୟଗୁଡିକୁ ଟାଟା ପାୱାର ବିଦ୍ୟୁତ ସଂଯୋଗ କାଟିଦେଥିବାରୁ ସ୍ମାର୍ଟ କ୍ଲାସ୍ ରୁମ ଅଚଳ ହୋଇପଡ଼ିଥିବା ବେଳେ ପିଲାଙ୍କୁ ପିଇବା ପାଣି ପାଇଁ ଦୟନୀୟ ଅବସ୍ଥା ଭୋଗିବାକୁ ପଡିଥିଲା ବୋଲି ବିଦ୍ୟାଳୟ କମିଟିର ସଦସ୍ୟ ନବକୃଷ୍ଣ ଭତ୍ରା ଅଭିଯୋଗ କରିଛନ୍ତି । ବିଭିନ୍ନ ବିଦ୍ୟାଳୟ ପାଇଁ ବିଦ୍ୟୁତ୍ ବିଲ ବାବଦକୁ ଆବଶ୍ୟକ ଟଙ୍କା ସ୍କୁଲ ବଜେଟ୍ଗୁଡିକରେ ନଥିବା ବେଳେ ଶିକ୍ଷକ ଓ ଅଭିଭାବକ ମହଲରେ ଚିନ୍ତା ବଢ଼ାଇଛି । ଏନେଇ ସହକାରୀ ଜିଲ୍ଲା ଶିକ୍ଷାଅଧିକାରୀ ଡ.ରେଶମ ଲାଲ ନାୟକଙ୍କୁ ଯୋଗାଯୋଗ କରିବାରୁ ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ୍ ବିଭାଗକୁ ଅବଗତ କରାଯାଇଛି । ବିଭାଗ ପକ୍ଷରୁ ବିଦ୍ୟୁତ ବିଲ୍କୁ ସଂଶୋଧନ କରାଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button